ଘରେ ଅଧିକ ମହତ୍ତ୍ୱ ମିଳିବାରୁ ଚାକରାଣୀକୁ ମର୍ଡର!
କାଳେ ମୀନା କଳାଜାଦୁ କରୁଥିଲେ ବୋଲି ସନ୍ଦେହ କରୁଥିଲେ ଡାକ୍ତର। ଏହାକୁ ନେଇ ପିଲାଙ୍କ ପାଠପଢ଼ାରେ ପ୍ରଭାବ ପଡୁଥିଲା।ଗିରଫ କଲା ବେଳେ ପୁଲିସକୁ ଡାକ୍ତର ମନୀଷ କହିଥିଲେ, ମୋତେ ଫାଶୀ ଦେଇଦିଅ।

ଦିଲ୍ଲୀରେ ଚାକରାଣୀ ହତ୍ୟାକାଣ୍ଡରେ ବଡ଼ ଖୁଲାସା। ଆଉ କେହି ନୁହେଁ। ଡାକ୍ତର ହିଁ କଲେ ହତ୍ୟା। ଆଉ ଏହା ପଛର କାରଣ ବି ବେଶ୍ ଅଜବ। କୁଆଡ଼େ ଚାକରାଣୀଙ୍କୁ ଘରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ଯାହା ଡାକ୍ତରଙ୍କ ପକ୍ଷେ ଦିନକୁ ଦିନ ଅସହ୍ୟ ହୋଇପଡ଼ୁଥିଲା। ସେଥିଲାଗି ଘରୁ ଯେନତେନ ପ୍ରକାରେ ବାହାର କରିବାକୁ ଚକ୍ରାନ୍ତ କରୁଥିଲେ। ଦକ୍ଷିଣ ଦିଲ୍ଲୀର ମାଉଣ୍ଟ କୈଳାସରେ ଗୁରୁବାର ୪୫ ବର୍ଷୀୟ ଘରୋଇ ସହାୟିକାଙ୍କୁ ହତ୍ୟା କରିଥିଲେ ଡାକ୍ତର ମନୀଷ ଗୁପ୍ତା। ଆଉ ମନୀଷଙ୍କୁ ଘଟଣାସ୍ଥଳରୁ ହିଁ ପୁଲିସ ଗିରଫ କରିଛି। ଡାକ୍ତରଙ୍କ ଘରେ କାମ କରୁଥିବା ମହିଳାଙ୍କୁ ଆଗ ବ୍ୟାଟରେ ପିଟି ଲହୁଲୁହାଣ କରିଥିଲେ ମନୀଷ। ପରେ ଗୁପ୍ତିରେ ବାରମ୍ୱାର ଭୂଷି ମାରିଦେଲେ। କେବଳ ଏତିକିନୁହେଁ। ରକ୍ତ ଜୁଡୁବୁଡ଼ୁ ଶରୀର ପଡ଼ିଥିଲା ବେଳେ ଅଭିଯୁକ୍ତ ଡାକ୍ତର ସିଡିରେ ତଳକୁ ଓହ୍ଲାଇ ରକ୍ତାକ୍ତ ହାତରେ ଡ୍ରଇଂ ରୁମରେ ବସିରହିଥିଲେ। ଏତିକିବେଳେ ପଡ଼ୋଶୀ ଆସିବାରୁ ପୁଲିସକୁ ଡାକିବାକୁ ଡାକ୍ତର କହିଥିଲେ। କାରଣ ସେ ସରେଣ୍ଡର କରିବାକୁ ଚାହୁଁଥିଲେ। ମର୍ଡର ମାମଲାର ତଦନ୍ତ କରୁଥିବା ପୁଲିସ କହିଛି, ଡାକ୍ତର ମନୀଷ ଗୁପ୍ତା ଦୁଇ ଦଶନ୍ଧି ଧରି ନାନା ମାନସିକ ରୋଗ ସହ ଜୁଝୁଥିଲେ। ତାଙ୍କୁ ଓବସେସିଭ- କମ୍ପ୍ଲେସିଭ ଡିସଅର୍ଡର ଓ ଡିପ୍ରେସନ ଥିଲା। ମୃତକ ମିନା ପ୍ରାୟ ୨୦ ବର୍ଷ ହେଲା ଡାକ୍ତରଙ୍କ ଘରେ କାମ କରୁଥିଲେ। ପରିବାରର ବେଶ୍ ବିଶ୍ୱସ୍ତ ଓ ଘନିଷ୍ଠ ଥିଲେ। ବିଶେଷକରି ଡାକ୍ତରଙ୍କ ପତ୍ନୀ ଓ ପୁଅ ସହ ତାଙ୍କର ଅଧିକ ଘନିଷ୍ଠତା ଥିଲା। ହେଲେ ମନୀଷ ସଂପୃକ୍ତ ମହିଳାଙ୍କୁ ପସନ୍ଦ କରୁନଥିଲେ। ଘରୁ ବାହାର କରିବାକୁ ଚାହୁଁଥିଲେ ସୁଦ୍ଧା ପରିବାର ଲୋକେ ଏ ନିଷ୍ପତ୍ତିକୁ ବିରୋଧ କରୁଥିଲେ। ମୀନାଙ୍କ ପ୍ରତି ଡାକ୍ତରଙ୍କ ଏଭଳି ହୀନ ଭାବନା ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କାଳେ ମୀନା କଳାଜାଦୁ କରୁଥିଲେ ବୋଲି ସନ୍ଦେହ କରୁଥିଲେ ଡାକ୍ତର। ଏହାକୁ ନେଇ ପିଲାଙ୍କ ପାଠପଢ଼ାରେ ପ୍ରଭାବ ପଡୁଥିଲା। ତେବେ ସେ ଏହା ପୂର୍ବରୁ କେବେ ବି ମୀନାଙ୍କ ସହ ମାଡ଼ପିଟ୍ କରିନଥିଲେ। କ୍ରାଇମ ସିନ୍ ରିକ୍ରିଏସ କରାଯିବ। କ୍ରିକେଟ ବ୍ୟାଟ୍ ଓ ଗୁପ୍ତିକୁ ଜବତ କରିଛି ପୁଲିସ। ହତ୍ୟା ବେଳେ ଡାକ୍ତରଙ୍କ ପତ୍ନୀ ଘରେ ନଥିଲେ। ପୁଅକୁ ପରେ ଖବର ମିଳିଥିଲା। ଗିରଫ କଲା ବେଳେ ପୁଲିସକୁ ଡାକ୍ତର ମନୀଷ କହିଥିଲେ, ମୋତେ ଫାଶୀ ଦେଇଦିଅ। ସକାଳ ୧୦ଟାରେ ପତ୍ନୀ କାମକୁ ବାହାରିପଡ଼ିଥିଲେ। ଡାକ୍ତର ଓ ତାଙ୍କ ପୁଅ ଘରେ ଥିଲେ। ସାଢ଼େ ୧୦ଟାରେ ମୀନା ବାଥରୁମରେ କପଡ଼ା ଧୋଇ ଶୁଖାଇବାକୁ ଛାତକୁ ଯାଇଥିଲେ। ଆଉ ଏତିକିବେଳେ ହିଁ ମୀନାଙ୍କୁ ଆକ୍ରମଣ କରିଥିଲେ ଡାକ୍ତର। ଆଗ ବ୍ୟାଟରେ ମୁଣ୍ଡକୁ ପିଟିଥିଲେ। ତଳେ ପଡ଼ିବା ପରେ ଗୁପ୍ତିରେ ଗଳା କାଟିବା ସହ ଭୁଷିଦେଇଥିଲେ।
