ଦିମାଗି ନକ୍ସଲ କିଏ- କାହିଁକି ଚିଦାମ୍ୱରଙ୍କୁ ବିଜେପି କଲା ଟାର୍ଗେଟ ?
ଏଭଳି ଦିମାଗି ନକ୍ସଲଙ୍କଠୁ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ମୋଦି। କାହାର ନାଁ ନ ନେଇଥିଲେ ସୁଦ୍ଧା କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ଗୃହମନ୍ତ୍ରୀ ପି.ଚିଦାମ୍ୱରମ ନିଜକୁ ଦିମାଗି ନକ୍ସଲ ବୋଲି କହିଛନ୍ତି। ଦିମାଗି ନକ୍ସଲ ଭାବେ ସେ ନିଜକୁ ଗର୍ବିତ ମନେ କରୁଛନ୍ତି। ଏହାକୁ ନେଇ ବିଜେପି କଡ଼ା କାଉଣ୍ଟର କରିଛି।

ଦିମାଗି ନକ୍ସଲକୁ ନେଇ ରାଜନୈତିକ ଘମାସାନ। ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ୱୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି ଦିମାଗି ନକ୍ସଲ ବା ନକ୍ସଲ ମାନସିକଧାରୀ ଶବ୍ଦ ପ୍ରୟୋଗ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଗୁଜବ କରି ଦେଶକୁ ଡରାଇବା, ଭୟଭୀତ କରାଇବାରେ ଯେମିତି କିଛି ଲୋକଙ୍କୁ ଖୁସି ଦେଉଛି। ହତ୍ୟାକାରୀ ବା ଅସ୍ତ୍ରଶସ୍ତ୍ରଧାରି ନକ୍ସଲ ତ ମୂଳୋତ୍ପାଟନ ହୋଇଗଲେ। ହେଲେ ନକ୍ସଲ ମାନସିକତାଧାରୀ ମଣିଷ ସଦା ମଉକା ଖୋଜିବାରେ ବ୍ୟସ୍ତ। ହିଂସା, ସ୍ୱେଛାଚାରିତା ଦିଗରେ ସମାଜକୁ ଭୁଲ ବାଟରେ ନେବାକୁ ସବୁବେଳେ ଚିନ୍ତିତ। ୨୦୪୭ ଯାଏ ବିକଶିତ ଭାରତର ସ୍ୱପ୍ନରେ ଏମିତି ବି ସଂକଟ ଆସିବ ବୋଲି ସେ ଭାବିନଥିଲେ। ସେଥିଲାଗି ଏଭଳି ଦିମାଗି ନକ୍ସଲଙ୍କଠୁ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ମୋଦି। କାହାର ନାଁ ନ ନେଇଥିଲେ ସୁଦ୍ଧା କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ଗୃହମନ୍ତ୍ରୀ ପି.ଚିଦାମ୍ୱରମ ନିଜକୁ ଦିମାଗି ନକ୍ସଲ ବୋଲି କହିଛନ୍ତି। ଦିମାଗି ନକ୍ସଲ ଭାବେ ସେ ନିଜକୁ ଗର୍ବିତ ମନେ କରୁଛନ୍ତି। ଏହାକୁ ନେଇ ବିଜେପି କଡ଼ା କାଉଣ୍ଟର କରିଛି। ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ୱରମଙ୍କ କାର୍ଯ୍ୟକାଳରେ ୧୮୦ ଜିଲ୍ଲା ନକ୍ସଲବାଦରେ ପ୍ରଭାବିତ ଥିଲା। ତାଙ୍କ ସମୟରେ ୫ହଜାର ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅଗଷ୍ଟ ୧୫ର ଦିନକ ପରେ ଦିମାଗି ନକ୍ସଲର ଚେହେରା ସାମ୍ନାକୁ ଆସିଗଲା। କଂଗ୍ରେସ କାଳରେ ନକ୍ସଲଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି। ନକ୍ସଲବାଦ ଦେଶର ଆନ୍ତରିକ ସୁରକ୍ଷା ଲାଗି ସବୁଠୁ ବଡ଼ ବିପଜ୍ଜନକ ଅଟେ। ସେ କଂଗ୍ରେସ ଓ ଚିଦାମ୍ୱରମଙ୍କୁ ସ୍ମରଣ କରିଦେଇଛନ୍ତି ଯେ, ଏପ୍ରିଲ ୧୩, ୨୦୦୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ, ଏହା କହିବା ଅତ୍ୟୁକ୍ତି ହେବନି ଯେ, ନକ୍ସଲବାଦର ସମସ୍ୟା ଦେଶ ସାମ୍ନାରେ ସବୁଠୁ ବଡ଼ ଆନ୍ତରିକ ସୁରକ୍ଷାକୁ ଆହ୍ୱାନ ଅଟେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସରେ ନକ୍ସଲବାଦର ପ୍ରଭାବ ବେଶ୍ କମ୍ ହୋଇଛି। ମେ ୩୧, ୨୦୨୬ରେ ସରକାର ଏହି ଉପଲବ୍ଧି ହାସଲ କରିଛନ୍ତି। ଏବେ ନକ୍ସଲ ପ୍ରଭାବିତ ଜିଲ୍ଲାର ସଂଖ୍ୟା ଶୂନ୍ ହୋଇଯାଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକାଳରେ ବସ୍ତର ଭଳି ନକ୍ସଲ ପ୍ରଭାବିତ କ୍ଷେତ୍ର ଏବେ ବସ୍ତର ଅଲମ୍ପିକ ଭଳି କାର୍ଯ୍ୟକ୍ରମର ଆୟୋଜନ କରୁଛି।
