Dhanu Yatra 2027:ଜାନୁଆରୀ ୧୨ରୁ ଧନୁଯାତ୍ରା,ବଦଳିବେ କି ମହାରାଜ କଂସ?
ବରଗଡ଼ର ଗଳିକନ୍ଦି ପୁଣି ପାଲଟିବ ମଥୁରା ନଗରୀ, ମଞ୍ଚରେ ଗର୍ଜିବେ ମହାରାଜ କଂସ। ବିଶ୍ଵ ପ୍ରସିଦ୍ଧ ଧନୁ ଯାତ୍ରା ପାଇଁ ଘୋଷଣା ହେଲା ତାରିଖ l ଜାନୁଆରୀ ୧୨ରୁ ଜାନୁୟାରୀ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ ଧନୁଯାତ୍ରା l ତାରିଖ ଘୋଷଣା କରିଛନ୍ତି, ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ l ତେବେ ତାରିଖ ଘୋଷଣା ସହ ଏଥର ମହାରାଜ କଂସଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ବରଗଡ:ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୯ତମ ସଂସ୍କରଣ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରୀ ୧୨ ରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ଚାଲିବ ଏହି ଏହି ମହାନ ଲୋକନାଟ୍ୟ l ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏହି ଘୋଷଣା କରିଛନ୍ତି। ଅନେକ ହୋ ହାଲ୍ଲା ଭିତରେ ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା ଏବଂ କାର୍ଯ୍ୟକାରୀ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ସାରିଥିଲା l ବୈଠକରେ ଆଗାମୀ ଯାତ୍ରାର ଆୟୋଜନ ସହ ୨୦୨୫-୨୬ ବର୍ଷର ଆୟବ୍ୟୟ ହିସାବ ସମୀକ୍ଷା କରାଯାଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨ କୋଟି ୧୩ ଲକ୍ଷ ୩୧ ହଜାର ୨୩୯ ଟଙ୍କାର ବଳକା ପାଣ୍ଠି ଥିବାବେଳେ, ୨୦୨୫-୨୬ରେ ୩ କୋଟି ୫୦ ଲକ୍ଷ ୮୭ ହଜାର ୮୧୬ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ସମୀକ୍ଷା ସହିତ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ ଏଥର ଧନୁଯାତ୍ରା ଶେଷ ହେବାର ୩୦ ଦିନ ମଧ୍ୟରେ ବିଭିନ୍ନ କମିଟି ଏବଂ ସେଗୁଡ଼ିକର ଆବାହକ ମାନେ ସେମାନଙ୍କର ସମସ୍ତ ଖର୍ଚ୍ଚ ହିସାବ ସମିତି ନିକଟରେ ଦାଖଲ କରିବାକୁ ପଡ଼ିବ। ଏହି ବୈଠକରେ ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା ମହୋତ୍ସବ ସମିତିର ସଂପାଦକ ସୁରେଶ୍ଵର ଶତପଥୀ, ସାଂସଦ ପ୍ରଦୀପ ପୁରୋହିତ, ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବରଗଡ ଏସପିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କମିଟି ସଦସ୍ୟ ଉପସ୍ଥିତ ରହିଥିଲେ l

ଅନ୍ୟପଟେ, ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ତଥା ମହାନାୟକ କଂସ ପରିବର୍ତ୍ତନ ପାଇଁ ପାଇଁ ଜୋର୍ ଧରିଥିଲା ଦାବି l ୨୦୧୫-୨୬ ଚୟନ ପ୍ରକ୍ରିୟାରେ ସୁଯୋଗ ପାଇଥିବା କଂସ କଳାକାର ସୁଶିଲ ମେହେରଙ୍କ ଅଭିନୟ ଉତ୍କୃଷ୍ଟ ନଥିବାରୁ ତାଙ୍କୁ ବଦଳି କରି ନୂଆ କଂସ ଚୟନ କରିବାକୁ ସ୍ଵର ଉଠିଥିଲା l ଏହାକୁ ନେଇ କମିଟି କହିଛି ଆଲୋଚନା କରି କଂସ ବଦଳିବ ନା ନାହିଁ ୧୫ ଦିନ ମଧ୍ୟରେ ଜଣାଇ ଦିଆଯିବ l ତେବେ ଏଥର ନୂଆ କଂସ ହେବେ ନା ପୁଣି ସୁଶିଲ ମେହେର କଂସ ବଜାୟ ରହିବେ ଏବେ ତାହା ଉପରେ ସମସ୍ତଙ୍କ ନଜର l ଅନ୍ୟପଟେ ଏଥର ଧନୁଯାତ୍ରାକୁ କିଭଳି ଭାବେ ଆହୁରି ଭବ୍ୟ କରାଯିବ ସେନେଇ ପ୍ରଚେଷ୍ଟା ଚାଲିଥିବା କହିଛନ୍ତି ବରଗଡ ବିଧାୟକ l ୧୯୪୭-୪୮ରୁ ଆରମ୍ଭ ହୋଇଥିବା ଏହି ଧନୁଯାତ୍ରାରେ ବରଗଡ଼ ମଥୁରା ଓ ଅମ୍ବାପାଲି ଗୋପପୁର ପାଲଟେ। ଏଥର କଂସ ଦରବାର ଓ ରଙ୍ଗମହଲକୁ ନୂଆ ଥିମ୍ରେ ସଜାଇ ଯାତ୍ରାକୁ ଅଧିକ ଭବ୍ୟ କରିବା ଲକ୍ଷ୍ୟ ରହିଛି।
