Job Fraud: ଚାକିରି ନାଁରେ ୩ କୋଟି ଟଙ୍କା ଠକେଇ !
ଧାମନଗରରେ ଚାକିରି ଦେବା ନାଁରେ ୫୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀଙ୍କଠାରୁ ୩ କୋଟି ଟଙ୍କା ଠକେଇ ଅଭିଯୋଗ। ଜମିବାଡ଼ି ବିକି ଚାକିରି ପାଇଁ ଦେଇଥିଲେ ଟଙ୍କା, ଧାମନଗର ଥାନାରେ ନ୍ୟାୟ ଓ ଟଙ୍କା ଫେରସ୍ତ ଦାବି କଲେ ପୀଡ଼ିତ।
ଭଦ୍ରକ: ଚାକିରିର ଆଶା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗକୁ ନେଇ ଭଦ୍ରକ ଜିଲ୍ଲା ଧାମନଗରରେ ଚର୍ଚ୍ଚା ଜୋର ଧରିଛି। ଏକ ବୃଦ୍ଧାଶ୍ରମରେ ବିଭିନ୍ନ ପଦବୀରେ ନିଯୁକ୍ତି ଦେବା ନାଁରେ ୫୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀଙ୍କଠାରୁ ପ୍ରାୟ ୩ କୋଟି ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଶୀର୍ବାଦ ବୃଦ୍ଧାଶ୍ରମର ସମ୍ପାଦିକା ତଥା ପରିଚାଳକ ମଞ୍ଜୁଲତା ସ୍ୱାଇଁଙ୍କ ବିରୋଧରେ ଧାମନଗର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୀଡ଼ିତମାନେ ଟଙ୍କା ଫେରସ୍ତ ଓ ନ୍ୟାୟ ଦାବି କରିଛନ୍ତି। ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ନିର୍ମିତ ଧାମନଗରସ୍ଥିତ ଇଣ୍ଟେଗ୍ରେଟେଡ୍ ଇନଫ୍ରାଷ୍ଟ୍ରକଚର କମ୍ପ୍ଲେକ୍ସ (ଆଇଆଇସି) ପରିସରରେ ଏକ ବୃଦ୍ଧାଶ୍ରମ ରହିଛି। ଏହାର ପରିଚାଳନା ଦାୟିତ୍ୱ ‘ଆଶୀର୍ବାଦ’ ନାମକ ଏକ ବେସରକାରୀ ସଂଗଠନକୁ ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ଏହି ବୃଦ୍ଧାଶ୍ରମରେ ବିଭିନ୍ନ ପଦବୀରେ ଚାକିରି ଦେବାକୁ କହି ସଂସ୍ଥାର ସମ୍ପାଦିକା ମଞ୍ଜୁଲତା ସ୍ୱାଇଁ ଯୁବକ ଯୁବତୀଙ୍କଠାରୁ ବିଭିନ୍ନ କିସ୍ତିରେ ଟଙ୍କା ସଂଗ୍ରହ କରିଥିଲେ। ତେବେ ଦୀର୍ଘ ମାସ ବିତିଯିବା ପରେ ମଧ୍ୟ ନିଯୁକ୍ତି ମିଳିନଥିଲା। ଚାକିରି ସମ୍ପର୍କରେ ପଚାରିବାରୁ କେବଳ ସମୟ ଗଡ଼ାଯାଉଥିବା ଅଭିଯୋଗ ହୋଇଛି। ଚାକିରି ପାଇବା ଆଶାରେ ଅନେକ ଗରିବ ପରିବାର ନିଜର କଷ୍ଟଅର୍ଜିତ ଟଙ୍କା ଦେଇଥିବା ପୀଡ଼ିତମାନେ କହିଛନ୍ତି। କେହି ଜମିବାଡ଼ି ବିକ୍ରି କରିଥିବା ବେଳେ ଆଉ କେହି ସୁନାଗହଣା ବନ୍ଧା ରଖି ଟଙ୍କା ଯୋଗାଡ଼ କରିଥିଲେ। ଅନ୍ୟ କେତେକ ଲୋକ ଧାରକରଜ କରି ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି। ଚାକିରି ନମିଳିବା ପରେ ଟଙ୍କା ଫେରସ୍ତ ମାଗିବାକୁ ଯାଇଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଥିବା ସେମାନେ କହିଛନ୍ତି। ଧାମନଗର ବ୍ଲକ୍ ନିକଟରେ ଥିବା କାର୍ଯ୍ୟାଳୟକୁ ଯାଇ ଟଙ୍କା ମାଗିବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ପୀଡ଼ିତମାନଙ୍କ କହିବା ଅନୁସାରେ, ଗତ ସେପ୍ଟେମ୍ବର ମାସରେ ସେମାନେ ଧାମନଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଏଯାଏଁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଶେଷରେ ପୁଣି ଥାନାକୁ ଆସି ନ୍ୟାୟ ପାଇଁ ଗୁହାରି କରିଛନ୍ତି ପୀଡ଼ିତମାନେ। ଅନ୍ୟପକ୍ଷରେ, ବୃଦ୍ଧାଶ୍ରମରେ ଦୀର୍ଘଦିନ ଧରି ବୟସ୍କଙ୍କ ସେବା ଓ ଯତ୍ନ କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ଦୀର୍ଘ ସମୟ ଧରି ଦରମା ମିଳିନଥିବା ଅଭିଯୋଗ ଉଠିଛି। ଏହା ଘଟଣାକୁ ଆହୁରି ଗମ୍ଭୀର କରିଛି। ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ଆଶୀର୍ବାଦ ବୃଦ୍ଧାଶ୍ରମର ସମ୍ପାଦିକା ମଞ୍ଜୁଲତା ସ୍ୱାଇଁଙ୍କୁ ପଚରାଯିବାରୁ ସେ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ଠିକ୍ ଭାବେ ଅର୍ଥ ମିଳୁନଥିବାରୁ ନିଜ ହାତରୁ ଖର୍ଚ୍ଚ କରି ବୃଦ୍ଧବୃଦ୍ଧାମାନଙ୍କୁ ଆଶ୍ରୟ ଦେଇ ରଖିଥିବା ସେ କହିଛନ୍ତି। ତେବେ ଚାକିରି ନାଁରେ ଟଙ୍କା ନେବା ସମ୍ପର୍କିତ ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ପୀଡ଼ିତମାନେ ସେମାନଙ୍କ ଟଙ୍କା ଫେରସ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶୀଘ୍ର ନ୍ୟାୟ ନମିଳିଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଚାକିରିର ଆଶାରେ ଟଙ୍କା ଦେଇଥିବା ଏହି ଲୋକମାନେ କେବେ ନ୍ୟାୟ ପାଇବେ ଏବଂ ସେମାନଙ୍କ କଷ୍ଟଅର୍ଜିତ ଟଙ୍କା କେବେ ଫେରିପାଇବେ, ତାହା ଏବେ ବଡ଼ ପ୍ରଶ୍ନ ହୋଇ ରହିଛି।
