Delimitation Row: ଡିଲିମିଟେସନ ନା ସତ୍ତା ଓ ସମୀକରଣର ଖେଳ?
ଡିଲିମିଟେସନ ବିଲକୁ ବିରୋଧ କରିବ ଇଣ୍ଡିମେଣ୍ଟ। କାରଣ ଏହା ଗଣତନ୍ତ୍ର ଲାଗି ବଡ଼ ବିପଦ। ଏହା ଜରିଆରେ ବିଜେପି- ଆରଏସଏସ ସବୁଦିନ ଲାଗି ସତ୍ତାକୁ ହାତରେ ରଖିବାକୁ କରୁଛି ବିଗ୍ ପ୍ଲାନ୍। ଡିଏମକେ ଓ ଏନସିପି(ଶରଦପାଓ୍ୱାର) ଦଳକୁ ବିଲ୍ କୁ ସମର୍ଥନ ନେଇ ସତର୍କ କରାଇଲେ ରାହୁଲ।ବିଜେଡି ସ୍ପଷ୍ଟ କରିଛି ଯେ ଦଳ କୌଣସି ମେଣ୍ଟର ଅଂଶ ନୁହେଁ

ଡିଲିମିଟେସନ ବିଲକୁ ବିରୋଧ କରିବ ଇଣ୍ଡିମେଣ୍ଟ। କାରଣ ଏହା ଗଣତନ୍ତ୍ର ଲାଗି ବଡ଼ ବିପଦ। ଏହା ଜରିଆରେ ବିଜେପି- ଆରଏସଏସ ସବୁଦିନ ଲାଗି ସତ୍ତାକୁ ହାତରେ ରଖିବାକୁ କରୁଛି ବିଗ୍ ପ୍ଲାନ୍। ଗଣତନ୍ତ୍ରକୁ ସମାପ୍ତ କରି ପୁରା ସତ୍ତା ପରମାନେଣ୍ଟ ନିଜ ହାତକୁ ନେବାକୁ ଚାହୁଁଛନ୍ତି ମୋଦି। ଏହି ବିଧେୟକ ପାରିତ ହେଲେ ଏସସି, ଏସଟିଙ୍କ ସହ ଅନ୍ୟାୟ ହେବ। ସଂସଦରେ ବିଲ୍ ପାରିତ ପାଇଁ ବିଜେପି ଦୁଇ ତୃତୀୟାଂଶ ବହୁମତ ଆଣିବାରେ ଫେଲ୍ ମାରିବାରୁ ପୁଣି ଥରେ ଏହି ବିଲ୍ ଆଣି ନାଟକ କରୁଛି। ସେଥିଲାଗି ଏଥର ଇଣ୍ଡିମେଣ୍ଟ ନିଷ୍ପତ୍ତି ନେଇଛି, ଏହି ବିଲକୁ ବିରୋଧ କରିବ ବୋଲି କହିଛନ୍ତି ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସେପଟେ ଡିଲିମିଟେସନ ବିଲ୍ କୁ ଡିଏମକେର ସମର୍ଥନ ନିଷ୍ପତ୍ତି ଦେଖି ପରାମର୍ଶ ଦେବା ସହ ତାତ୍ସଲ୍ୟ କରିଛନ୍ତି ରାହୁଲ ଗାନ୍ଧୀ। ଏହା ତାମିଲନାଡ଼ୁ ଲୋକଙ୍କ ଲାଗି ବଡ଼ ବିପଦ ସାଜିବ। ତାମିଲ ସଂସ୍କୃତି ଲାଗି କ୍ଷତିକାରକ ପାଲଟିବ। ବିଜେପି ଏମିତି କରି ତାମିଲନାଡ଼ୁରେ କେବଳ ନିଜର ସତ୍ତା ଚାହୁଁଛି। ବିଜେପିର ଏହା ବଡ଼ ଷଡ଼ଯନ୍ତ୍ର। ତାମିଲନାଡ଼ୁର ସ୍ୱତନ୍ତ୍ର ପରିଚୟ ଛଡ଼ାଇନେବାକୁ ମସୁଧା କରୁଛି। ଯିଏ ଡିଲିମିଟେସନ ବିଲକୁ ସମର୍ଥନ କରୁଛି, ସେମାନେ ତାମିଲନାଡ଼ୁ ଲୋକଙ୍କ ଭବିଷ୍ୟତ ସହ ବଡ଼ ଖେଳ ସାଜିବା ସଦୃଶ ହେବ। ଦିଲ୍ଲୀରେ ଖଡ଼ଗେଙ୍କ ବାସଭବନରେ ବସିଥିବା ଇଣ୍ଡିମେଣ୍ଟ ବୈଠକ ପରେ ପ୍ରେସମିଟରେ ଏ ସୂଚନା ଦେଇଛନ୍ତି ପ୍ରମୁଖ ନେତାଏ। ବିଜେଡି ସ୍ପଷ୍ଟ କରିଛି ଯେ ଦଳ କୌଣସି ମେଣ୍ଟର ଅଂଶ ନୁହେଁ। ବର୍ତ୍ତମାନ ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନଥିବା ବେଳେ ରାଜ୍ୟସଭାରେ ଦଳର ପ୍ରତିନିଧିତ୍ୱ ରହିଛି। ବିଲ୍ ରାଜ୍ୟସଭାରେ ଆଲୋଚନା ପାଇଁ ଆସିବା ସମୟରେ ବିଜେଡି ନିଜର ଆଭିମୁଖ୍ୟ ସ୍ଥିର କରିବ। ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଡିଲିମିଟେସନ୍ ବିଲ୍ରେ ଜନସଂଖ୍ୟା ଆଧାରରେ ଆସନ ସଂଖ୍ୟା ବୃଦ୍ଧିକୁ ନେଇ ପୂର୍ବରୁ ବିରୋଧ ହୋଇଥିଲା ତେବେ ସରକାର ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ବିଲ୍ର ସମ୍ପୂର୍ଣ୍ଣ ରୂପରେଖ ସ୍ପଷ୍ଟ ହୋଇନାହିଁ। ତେଣୁ ବିଲ୍ ଉପସ୍ଥାପିତ ହେବା ପରେ ହିଁ ଏହାର ବିଭିନ୍ନ ବ୍ୟବସ୍ଥା ଉପରେ ମତ ରଖିହେବ ବୋଲି କହିଛନ୍ତି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ। ରାଜ୍ୟ ସ୍ୱାର୍ଥକୁ ସଦା ପ୍ରାଥମିକତା ଦେଇଛି ବିଜେଡି। ତେବେ ଏପ୍ରିଲରେ ଲୋକସଭାରେ ଆବଶ୍ୟକ ସମର୍ଥନ ଜୁଟାଇବାରେ ସରକାର ଫେଲ୍ ମାରିବାରୁ ଡିଲିମିଟେସନ ବିଲ୍ ଓ ମହିଳା ସଂରକ୍ଷଣ ବିଲ୍ ବିଧେୟକ ପାରିତ ହୋଇପାରିନଥିଲା। ସେଥିଲାଗି ଏଥିରେ ସଂଶୋଧନ ଆଣି ଏହାକ ନୂଆ ରୂପରେ ଆଗତ କରିବାକୁ ସରକାର ଚାହୁଁଛନ୍ତି। ଏଥର ସରକାର ଏଥିରେ ଦୁଇଟି ବଡ଼ ପରିବର୍ତ୍ତନ କରିଛନ୍ତି। ପ୍ରଥମେ ସୀମାପୁନଃନିର୍ଦ୍ଧାରଣ ବା ଡିଲିମିଟେସନକୁ ନୂଆ ଜନଗଣନାରୁ ଅଲଗା କରିଦେଇଛନ୍ତି। ଆଉ ସମସ୍ତ ରାଜ୍ୟର ଲୋକସଭା ଆସନରେ ସମାନରୂପରେ ୫୦ ପ୍ରତିଶତ ବୃଦ୍ଧିର ପ୍ରସ୍ତାବ ରଖିଛନ୍ତି। ସରକାରଙ୍କ ତର୍କ ଯେ, ଏଥିରେ ମହିଳା ସଂରକ୍ଷଣ ଲାଗୁ କରିବାର ରାସ୍ତା ଫିଟିବ। କିନ୍ତୁ ସମାଲୋଚକଙ୍କ କହିବା କଥା, ଜନସଂଖ୍ୟାର ଆଧାର ହଟାଇବା ପରେ ସିଟରେ ୫୦ ପ୍ରତିଶତ ବୃଦ୍ଧିର ସିଦ୍ଧାନ୍ତ କଅଣ। ରାଜନୈତିକ ସମୀକ୍ଷକଙ୍କ ମତରେ, ଏହା କେବଳ ସାମ୍ୱିଧାନିକ ସଂଶୋଧନ ନୁହେଁ। ବରଂ ୨୦୨୯ର ରାଜନୀତି, ବିରୋଧୀ ଏକତା, ଦକ୍ଷିଣ ଭାରତୀୟ ରାଜ୍ୟର ଟେନସନ ଓ ମହିଳା ଭୋଟରଙ୍କ ପାଖରେ ପହଞ୍ଚିବାର ବ୍ୟାପକ ରଣନୀତିର ଅଂଶବିଶେଷ ଅଟେ। ପ୍ରଶ୍ନ ଉଠୁଛି। ବିଜେପି ବାସ୍ତବରେ ମହିଳା ସଂରକ୍ଷଣ ଲାଗୁ କରିବାକୁ ଚାହୁଁଛି ନା ଡିଲିମିଟେସନ ଜରିଆରେ ନୂଆ ରାଜନୈତିକ ସମୀକରଣ କରିବାକୁ କରୁଛି ପ୍ରୟାସ। ଯଦି ଡିଲିମିଟେସନକୁ ନୂଆ ଜନଗଣନା ସହ ଯୋଡ଼ା ଯାଇଥାଆନ୍ତା। ଅଧିକ ଜନସଂଖ୍ୟା ବୃଦ୍ଧିର ରାଜ୍ୟ ବିଶେଷକରି ୟୁପି, ବିହାରକୁ ଅତିରିକ୍ତ ଆସନର ଲାଭ ମିଳନ୍ତା। କିନ୍ତୁ ଦକ୍ଷିଣ ଭାରତୀୟ ରାଜ୍ୟର ପ୍ରତିନିଧିତ୍ୱ ଅପେକ୍ଷାକୃତ ହ୍ରାସ ପାଇଥାଆନ୍ତା। ଅର୍ଥାତ ଯେଉଁ ରାଜ୍ୟଗୁଡ଼ିକ ଦଶନ୍ଧି ଧରି ପରିବାର ନିୟୋଜନ ନୀତିକୁ ବା ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ଅନୁପାଳନ କରିଆସୁଛନ୍ତି। ସେମାନଙ୍କୁ ଜନସଂଖ୍ୟା କମ୍ ଆଧାରରେ ରାଜନୈତିକ କ୍ଷତି ସହିବାକୁ ପଡ଼ିଥାଆନ୍ତା। ସେଥିଲାଗି ସିଟରେ ୫୦ ପ୍ରତିଶତ ସମାନ ବୃଦ୍ଧି ପ୍ରସ୍ତାବ ଏହି ଟେନସନକୁ ସମାପ୍ତ କରିବ। ବଡ଼ କଥା, ଥରେ ବିଲ୍ ଫେଲ୍ ହେବା ପରେ ସରକାର ଏହାକୁ ଦ୍ୱିତୀୟ ଥର ସେପର୍ଯ୍ୟନ୍ତ ଆଣିବେନି, ଯେପର୍ଯ୍ୟନ୍ତ ତାକୁ ପାରିତ କରିବାକୁ ଆବଶ୍ୟକୀୟ ସଂଖ୍ୟା ଜୁଟାଇବାର ବିଶ୍ୱାସ ନଥିବ। ସେଥିଲାଗି ତ ବିଭିନ୍ନ ଦଳରୁ ବିଭାଜନ ଗୋଷ୍ଠୀ ଏନଡିଏକୁ ସମର୍ଥନ କରିବେ ବୋଲି ଆଶାବାଦୀ ସରକାର। ଏପ୍ରିଲରୁ ଆଜି ଯାଏ ରାଜନୀତିର ପାଣିପାଗ ଅନେକ ପରିବର୍ତ୍ତନ ହୋଇସାରିଛି। ଲୋକସଭାରେ ୨୨ ସିଟ୍ ଥିବା ଡିଏମକେ ଲଗାତାର କହୁଛି, ସେମାନଙ୍କ ରାଜ୍ୟର ଆସନ ହ୍ରାସ ନହେଲେ ସେମାନେ ସମର୍ଥନ କରିବାକୁ ରାଜି। ଜନଗଣନା ସର୍ତ୍ତ ହଟାଇବା ପଛରେ ବି ରହିଛି ବଳିଷ୍ଠ ଯୁକ୍ତି। କୋଭିଡ ମହାମାରୀ କାରଣରୁ ୨୦୨୧ରେ ଜନଗଣନା ହୋଇପାରିନଥିଲା। ଯଦି ସରକାର ଜନଗଣନା ସମ୍ପୂର୍ଣ୍ଣ ହେବା ଯାଏ ଅପେକ୍ଷା କରିବେ ଓ ତା ପରେ ଡିଲିମିଟେସନ ପ୍ରକ୍ରିୟା ପୁରା କରିଥାଆନ୍ତେ। ତାହେଲେ ମହିଳା ସଂରକ୍ଷଣର କ୍ରିୟାନ୍ୱୟନ ଲମ୍ୱା ସମୟ ଧରି ହୋଇପାରିବନି। ଗତକାଲି ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଡିଲିମିଟେସନ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲରେ ବାଜିସାରିଛି ମୋହର। ଏଥିରେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇବାର ବ୍ୟବସ୍ଥା ରହିଛି। ଯାହା ୨୫ ବର୍ଷ ଯାଏ ବଳବତ୍ତର ରହିବ,ଅର୍ଥାତ ୨୦୫୧ ଯାଏ ଏଥିରେ କୌଣସି ପରିବର୍ତ୍ତନ ହେବନି। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି।
