ONE CRASH, 31 LIVES LOST : ଟ୍ୟାଙ୍କର ଦୁର୍ଘଟଣାର ବଡ଼ ଖୁଲାସା
ଗୋଟିଏ ଧକ୍କା, ତା’ପରେ ଭୟଙ୍କର ଅଗ୍ନିକାଣ୍ଡ! ମିଶରର କାହିରାରେ ଜଳିଗଲା ୨୭ଟି ଗାଡ଼ି, ଆଖି ପିଛୁଳାକେ ଚାଲିଗଲା ୩୧ ଜୀବନ ! ଶେଷରେ ସାମ୍ନାକୁ ଆସିଲା ଦୁର୍ଘଟଣାର ଚାଞ୍ଚଲ୍ୟକର ତଥ୍ୟ…

ମିଶରର ରାଜଧାନୀ କାହିରାରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ତେଲ ବୋଝେଇ ଟ୍ୟାଙ୍କରକୁ ଏକ କାର୍ ଧକ୍କା ଦେବା ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ଆହତ ହୋଇଛନ୍ତି। ଏହି ଘଟଣା ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି।ଗତକାଲି କାହିରାର ରିଙ୍ଗ୍ ରୋଡ୍ର ଗିଜା ପ୍ରଦେଶ ଅନ୍ତର୍ଗତ ଅଲ୍-ୱାରାକ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ପେଟ୍ରୋଲିୟମ୍ ଉତ୍ପାଦ ବୋଝେଇ ଏକ ଟ୍ୟାଙ୍କର ରାସ୍ତାରେ ଯାଉଥିବା ସମୟରେ ପଛପଟୁ ଆସୁଥିବା ଏକ କାର୍ ତାକୁ ଧକ୍କା ଦେଇଥିଲା। ଏହାପରେ ଟ୍ୟାଙ୍କରର ଗୋଟିଏ ଟାୟାର ଫାଟିଯିବାରୁ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଟ୍ୟାଙ୍କରଟି ରାସ୍ତାର ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଟ୍ୟାଙ୍କରରୁ ତେଲ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଆଖପାଖରେ ଥିବା ଅନେକ ଗାଡ଼ିକୁ ବ୍ୟାପି ଯାଇଥିଲା। ଏହି ଭୟଙ୍କର ଅଗ୍ନିକାଣ୍ଡରେ ପ୍ରାୟ ୨୭ଟି କାର୍ ଓ ମୋଟରସାଇକେଲ୍ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ୩୯ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇ ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି, ଏହି ଦୁର୍ଘଟଣା ପାଇଁ ଦାୟୀ ସନ୍ଦେହରେ ଜଣେ କାର୍ ଚାଳକଙ୍କୁ ଆଜି ପୋଲିସ ଗିରଫ କରିଛି। ମିଶରର ପବ୍ଲିକ୍ ପ୍ରୋସିକ୍ୟୁସନ୍ର ସୂଚନା ଅନୁସାରେ, ଅଭିଯୁକ୍ତ ଚାଳକ ଘଣ୍ଟା ପ୍ରତି ପ୍ରାୟ ୧୧୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିଲେ। ଅନ୍ୟ ଗାଡ଼ିକୁ ଓଭରଟେକ୍ କରିବା ସମୟରେ ତାଙ୍କ କାର୍ ଟ୍ୟାଙ୍କରର ପଛପଟେ ଧକ୍କା ଦେଇଥିଲା । ଏହି ଧକ୍କା ଯୋଗୁଁ ଟ୍ୟାଙ୍କରଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିବା ଅଭିଯୁକ୍ତ ସ୍ୱୀକାର କରିଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ମୃତକଙ୍କ ପରିଚୟ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷା କରାଯାଉଛି। ମିଶରର ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍-ସିସି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରେ ଅଭିଯୁକ୍ତଙ୍କ ଭୂମିକା ଓ ଅନ୍ୟାନ୍ୟ ଦିଗକୁ ନେଇ ପୋଲିସ ଏବଂ ତଦନ୍ତକାରୀ ସଂସ୍ଥାର ତଦନ୍ତ ଜାରି ରହିଛି।
