ଦଶପଲ୍ଲାରେ ପୁଣି ଫଳକ ରାଜନୀତି: ଉଦ୍ଘାଟନକୁ ନେଇ ବିଧାୟକ-ସାଂସଦ ମୁହାଁମୁହିଁ
ଦଶପଲ୍ଲାରେ ପୁଣି ଫଳକ ରାଜନୀତି: ଉଦ୍ଘାଟନକୁ ନେଇ ବିଧାୟକ-ସାଂସଦ ମୁହାଁମୁହିଁ, ଗୋଟିଏ ପ୍ରକଳ୍ପର ଦୁଇଥର ଉଦ୍ଘାଟନ
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ପୁଣିଥରେ ଫଳକ ରାଜନୀତିକୁ ନେଇ ସରଗରମ ହୋଇଛି ରାଜନୈତିକ ମହଲ। ଏଥର ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ୩୩ ଶଯ୍ୟା ବିଶିଷ୍ଟ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦ୍ଘାଟନ। ଉଦ୍ଘାଟନ କାର୍ଯ୍ୟକ୍ରମକୁ ନେଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ଉଭୟ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ମଧ୍ୟ ଉତ୍ତେଜନା ଦେଖାଯାଇଛି।
ରବିବାର ଦଶପଲ୍ଲାରେ ଦୁଇଟି ସରକାରୀ ପ୍ରକଳ୍ପର ଉଦ୍ଘାଟନ କାର୍ଯ୍ୟକ୍ରମ ରହିଥିଲା। ଗୋଟିଏ ହେଲା ବ୍ଲକ ଶିକ୍ଷା ଅଧିକାରୀ (BEO)ଙ୍କ ନୂତନ କାର୍ଯ୍ୟାଳୟ ଏବଂ ଅନ୍ୟଟି ହେଲା ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୩୩ ଶଯ୍ୟା ବିଶିଷ୍ଟ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ର। ଏହି ଦୁଇଟି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ବିଧାୟକ, ସାଂସଦ ଏବଂ ଜିଲ୍ଲାପାଳଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ତେବେ ନିମନ୍ତ୍ରଣପତ୍ରରେ କେବଳ ତାରିଖ ଉଲ୍ଲେଖ ଥିବା ବେଳେ ଉଦ୍ଘାଟନର ନିର୍ଦ୍ଦିଷ୍ଟ ସମୟ ଦିଆଯାଇନଥିଲା। ଏହି ଅସ୍ପଷ୍ଟତାକୁ ନେଇ ପରବର୍ତ୍ତୀ ସମୟରେ ବିବାଦ ଦେଖାଦେଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, BEO କାର୍ଯ୍ୟାଳୟ ଉଦ୍ଘାଟନ ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ପୂର୍ବରୁ ଏହାର ଉଦ୍ଘାଟନ କରିସାରିଥିଲେ। ଏହା ଜାଣିବା ପରେ ବିଧାୟକ ଅସନ୍ତୋଷ ପ୍ରକାଶ କରି ସେଠାରୁ ଫେରି ଆସିଥିଲେ। ଏହାପରେ ସେ ନିଜ ସମର୍ଥକମାନଙ୍କ ସହ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଉଦ୍ଘାଟନ ହେବାକୁ ଥିବା ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ରର ଫିତା କାଟିବା ସହ ଉଦ୍ଘାଟନ ଫଳକକୁ ଉନ୍ମୋଚନ କରିଥିଲେ। ବିଧାୟକଙ୍କ ଏହି ପଦକ୍ଷେପ ପରେ ଘଟଣାସ୍ଥଳରେ ରାଜନୈତିକ ଉଷ୍ମତା ବଢ଼ିଯାଇଥିଲା। ପରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ସେହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପୁଣିଥରେ ଫିତା କାଟି ଏବଂ ଫଳକ ଉନ୍ମୋଚନ କରି ଉଦ୍ଘାଟନ କରିଥିଲେ। ଫଳରେ ଗୋଟିଏ ପ୍ରକଳ୍ପର ଦୁଇଥର ଉଦ୍ଘାଟନ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ ଉଭୟ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା, ପାଟିତୁଣ୍ଡ ଏବଂ ଉତ୍ତେଜନା ସୃଷ୍ଟି ହୋଇଥିବା ସୂଚନା ମିଳିଛି। କିଛି ସମୟ ପାଇଁ ପରିସ୍ଥିତି ଉତ୍ତପ୍ତ ହୋଇଥିଲେ ମଧ୍ୟ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ନୂଆଗାଁ ଏବଂ ଗଣିଆ କଲେଜ ଲାଇବ୍ରେରୀ ଗୃହର ଉଦ୍ଘାଟନ ଫଳକକୁ ନେଇ ଦଶପଲ୍ଲା ବିଧାୟକ ଓ କନ୍ଧମାଳ ସାଂସଦଙ୍କ ମଧ୍ୟରେ ସମାନ ଭଳି ବିବାଦ ଦେଖାଦେଇଥିଲା। ଏଥର ପୁଣି ଦଶପଲ୍ଲାରେ ସେହି ଦୃଶ୍ୟର ପୁନରାବୃତ୍ତି ହୋଇଥିବାରୁ ଅଞ୍ଚଳରେ ଫଳକ ରାଜନୀତି ପୁଣି ସରଗରମ ହୋଇଛି। ଗୋଟିଏ ସରକାରୀ ପ୍ରକଳ୍ପର ଉଦ୍ଘାଟନକୁ ନେଇ ଦୁଇ ଜନପ୍ରତିନିଧିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପ୍ରଶାସନିକ ସମନ୍ୱୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ନିମନ୍ତ୍ରଣପତ୍ରରେ ସମୟ ଉଲ୍ଲେଖ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା କି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
