Court Dismiss Maintenance Plea:କୋଭିଡରେ ବାପ ଘରକୁ ଯାଇ ଫେରିଲେନି ପତ୍ନୀ- ଭରଣପୋଷଣ ଦାବିକୁ ଖାରଜ କଲେ ହାଇକୋର୍ଟ
ପତ୍ନୀଙ୍କୁ ପ୍ରମାଣିତ କରିବାକୁ ପଡ଼ିବ ଯେ, ସ୍ୱାମୀ ତାଙ୍କୁ ଭରଣପୋଷଣ ଦେବାକୁ ମନା କରିଥିଲେ ନା ଅବହେଳା କରିଥିଲେ କି। ସେ ନିଜେ ଭରଣପୋଷଣ କରିବାକୁ ସକ୍ଷମ ଅଛନ୍ତି କି ନାହିଁ ଓ ସ୍ୱାମୀଙ୍କ ପାଖରେ ସେତିକି ପର୍ଯ୍ୟାପ୍ତ ସାଧନ ଅଛି କି ନାହିଁ। ଏ ମାମଲାରେ ମହିଳା ଜଣକ ନିଜ ଦୁଇ ଝିଅଙ୍କ ସହ ମୈଶୁର ପରିବାର ଅଦାଲତରେ ସ୍ୱାମୀଙ୍କଠୁ ଭରଣପୋଷଣ ଦାବି କରିଥିଲେ।

କୋଭିଡରେ ବେମାର ବାପା ମାଆଙ୍କୁ ଦେଖାଶୁଣା କରିବାକୁ ଯାଇଥିଲେ ପତ୍ନୀ। ହେଲେ ସେବେଠୁ ଆଉ ଫେରିନଥିଲେ। କିନ୍ତୁ ସ୍ୱାମୀଙ୍କଠୁ ଭରଣପୋଷଣ ଦାବି କରିଥିଲେ। ଯାହକୁ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଭରଣପୋଷଣର ପୁନର୍ବିଚାର ପିଟିସନକୁ ଖାରଜ କରି ହାଇକୋର୍ଟ କହିଛନ୍ତି ଯ, ବୈବାହିକ ଘର ଛାଡ଼ିବା ପଛରେ ଉଚିତ ଓ ଯୁକ୍ତିଯୁକ୍ତ କାରଣ ପ୍ରମାଣିତ ହେଉନି। ସେଥିଲାଗି ସ୍ୱାମୀଙ୍କଠୁ ଭରଣପୋଷଣ ଦାବି ପତ୍ନୀ କରିପାରିବେନି। ଅଦାଲତ ପାଇଥିଲେ ଯେ, କୋଭିଡରେ ବେମାରରେ ପଡ଼ିଥିବା ବାପା ମାଆ ଓ ଭଉଣୀଙ୍କୁ ଦେଖାଶୁଣା କରିବାକୁ ମାଆ ଘର ଯାଇଥିବା ପତ୍ନୀ ଆଉ ଶ୍ୱଶୁର ଘରକୁ ଫେରିଲେନି। ସ୍ୱାମୀଙ୍କ ଆଗ୍ରହ ଓ ଅନୁରୋଧ ସତ୍ତ୍ୱେ ଘରକୁ ଫେରିଲେନି। ଜଷ୍ଟିସ ଡାକ୍ତର ଚିଲକୁର ସୁମଲତାଙ୍କ ଖଣ୍ଡପୀଠ ପରିବାର ଅଦାଲତର ରାୟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଆଉ କହିଛନ୍ତି, ଭରଣପୋଷଣର ଅଧିକାର ନିଜକୁ ନିଜେ ମିଳିଯାଏନା। ଏହା ଲାଗି ପତ୍ନୀଙ୍କୁ ପ୍ରମାଣିତ କରିବାକୁ ପଡ଼ିବ ଯେ, ସ୍ୱାମୀ ତାଙ୍କୁ ଭରଣପୋଷଣ ଦେବାକୁ ମନା କରିଥିଲେ ନା ଅବହେଳା କରିଥିଲେ କି। ସେ ନିଜେ ଭରଣପୋଷଣ କରିବାକୁ ସକ୍ଷମ ଅଛନ୍ତି କି ନାହିଁ ଓ ସ୍ୱାମୀଙ୍କ ପାଖରେ ସେତିକି ପର୍ଯ୍ୟାପ୍ତ ସାଧନ ଅଛି କି ନାହିଁ। ଏ ମାମଲାରେ ମହିଳା ଜଣକ ନିଜ ଦୁଇ ଝିଅଙ୍କ ସହ ମୈଶୁର ପରିବାର ଅଦାଲତରେ ସ୍ୱାମୀଙ୍କଠୁ ଭରଣପୋଷଣ ଦାବି କରିଥିଲେ। ପରିବାର ଅଦାଲତ ପତ୍ନୀ ଓ ବଡ଼ ଝିଅର ଦାବିକୁ ଖାରଜ କରିଥିଲେ। ସାନ ଝିଅର ବିବାହ ବା କୌଣସି ଲାଭଜନକ ରୋଜଗାର ନ ମିଳିବା ଯାଏ ତାକୁ ପ୍ରତି ମାସରେ ୮ହଜାର ଟଙ୍କା ଭରଣପୋଷଣ ଦେବାକୁ ଅନୁମତି ଦେଇଥିଲେ। ନଭେମ୍ୱର ୨୦୨୩ର ଆଦେଶରେ ସାନ ଝିଅର ଶିକ୍ଷା ସମ୍ପୂର୍ଣ୍ଣ ପର୍ଯ୍ୟନ୍ତ ତାହାର ପୁରା ଶିକ୍ଷା ବାବଦୀୟ ଖର୍ଚ୍ଚ ଉଠାଇବାକୁ ନିର୍ଦେଶ ବି ଦେଇଥିଲେ। ପତ୍ନୀଙ୍କ ଦାବି ଖାରଜ ପରେ ସେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ପୁନର୍ବିଚାର ପିଟିସନ ପକାଇଥିଲେ। ଦୁହିଁଙ୍କ ବିବାହ ୧୯୯୫ରେ ହୋଇଥିଲା। ୨୫ ବର୍ଷ ଧରି ଉଭୟଙ୍କ ବୈବାହିକ ଜୀବନରେ କୌଣସି ବଡ଼ ସମସ୍ୟା ହୋଇନଥିଲା। ସ୍ୱାମୀଙ୍କ ଅନୁସାରେ, ୨୦୨୧ କୋଭିଡ୍ ମହାମାରୀରେ ପତ୍ନୀ ନିଜ ମାଆ ଘରକୁ ଯାଇଥିଲେ। କୋଭିଡରେ ସଂକ୍ରମିତ ହୋଇ ତାଙ୍କ ବାପାଙ୍କ ହାର୍ଟଆଟାକ ବି ହୋଇଥିଲା। ମହାମାରୀର କାୟା ଟିକେ ଖସିବା ପରେ ସେ ପତ୍ନୀଙ୍କୁ ଘରକୁ ଫେରିବାକୁ କହିବାରୁ ପତ୍ନୀ ଶୁଣିନଥିଲେ। ଏପରିକି ତାଙ୍କୁ ଶ୍ୱଶୁର ଘରକୁ ଆଣିବାକୁ ଯିବାରୁ ପତ୍ନୀ ପୁଲିସରେ ଏତଲା ଦେଇଥିଲେ। ସେ କରଜ ନେଇ ପତ୍ନୀଙ୍କ ନାଁରେ ଗୋଟିଏ ଜମି ବି କିଣିଥିଲେ। ଦୁଇ ଝିଅଙ୍କ ଶିକ୍ଷା ଖର୍ଚ୍ଚ ବି ଉଠାଉଥିଲେ। ସେପଟେ ପତ୍ନୀ ଆରୋପ ଲଦିଥିଲେ ଯେ, ସେ ସ୍ୱାମୀ ଦ୍ୱାରା ପ୍ରତାରଣାର ଶୀକାର ହୋଇଥିଲେ। ହେଲେ ହାଇକୋର୍ଟ ସ୍ୱାମୀଙ୍କ ଦ୍ୱାରା କୌଣସି ପ୍ରତାରଣାର ପ୍ରମାଣ ବା ଠୋସ୍ ସାକ୍ଷୀ ପାଇନଥିଲେ।
