ସିଏମଓରୁ ଫାଇଲ ଗାଏବ- ପାଣ୍ଡିଆନଙ୍କୁ ନୋଟିସ ଓ ପଲିଟିକ୍ସ
ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଗୁରୁଦାୟିତ୍ୱ ତୁଲାଉଥିଲେ। ତୃତୀୟ ମହଲାରୁ ଫାଇଲ ଗାଏବ ଛୋଟ କଥା ନୁହେଁ।୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଓ କନ୍ଧମାଳ ଦଙ୍ଗା ମାମଲାରେ ଜଷ୍ଟିସ ଏ.ଏସ.ନାଇଡୁ ତଦନ୍ତ କମିଶନ ରିପୋର୍ଟ ଏବଂ ୨୦୧୬ରେ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ସିଏମଓରୁ ଗାଏବ ହୋଇଥିବା ଅଭିଯୋଗ ହୋଇଥିଲା

ସିଏମଓରୁ ଫାଇଲ ଚୋରି ପ୍ରସଙ୍ଗରେ ପାଣ୍ଡିଆନଙ୍କୁ ସମନ ପରେ ତେଜିଲା ରାଜନୀତି। ୨୫ ତାରିଖ ଦିନ ୧୧ଟାରେ ଏସିପି ଜୋନ୍-୧ ଅଫିସରେ ହାଜର ହେବାକୁ କହିଛି ପୁଲିସ। ପାଣ୍ଡିଆନଙ୍କୁ ନୋଟିସ ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର ବୋଲି ଆରୋପ ଲଦିଲାଣି ବିଜେଡି। କେବଳ ନବୀନଙ୍କ ପାଟି ଚୁପ୍ ସକାଶେ ପାଣ୍ଡିଆନଙ୍କୁ ନୋଟିସ୍ ହୋଇଛି ବୋଲି କହିଛନ୍ତି ସମ୍ୱିତ ରାଉତରାୟ। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନବୀନ କଲା ପରେ ଏଭଳି ସମନ କେବଳ ଆକ୍ରୋଶମୂଳକ ବୋଲି ବାରି ହୋଇପଡୁଛି। ହେଲେ ବିଜେଡି ନେତା ଭୁପିନ୍ଦର ସିଂ ପାଣ୍ଡିଆନଙ୍କୁ ସମନ ବାବଦରେ ଭିନ୍ନ କଥା କହିଛନ୍ତି। ଯଦି ସମନ ହୋଇଛି, ପାଣ୍ଡିଆନ ଆସିବା ଦରକାର। କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁ ବ୍ୟବସ୍ଥା ଭିତରେ ଥିଲେ ପାଣ୍ଡିଆନ। ପ୍ରମିଳା ମଲ୍ଲିକ କହିଛନ୍ତି, ସରକାର ନିଜେ ଫାଇଲ ଲୁଚାଇ ଅନ୍ୟକୁ ଦୋଷ ଦେଉଛନ୍ତି। ରାଜନୀତିରୁ ସନ୍ୟାସ ନେଇସାରିଥିବା ପାଣ୍ଡିଆନଙ୍କ ଲାଗି ଏତେ ଛାନିଆ କାହିଁକି ବିଜେଡି ବୋଲି ପଚାରିଛନ୍ତି ବିଧାୟକ ବାବୁ ସିଂ। ନବୀନ ତ ସବୁବେଳେ କହିଆସୁଥିଲେ, ଆଇନ ତା ବାଟରେ ଯିବ। ସିଏମଓରୁ ଫାଇଲ ଗାଏବ କଅଣ ମନକୁ ହୋଇଗଲା କି ବୋଲି ପଚାରିଛନ୍ତି ବାବୁ ସିଂ। ନବୀନ ତ ଗୁରୁବାର ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ। ହେଲେ ଫାଇଲ ଚୋରି ମାମଲା ତ ବହୁ ଆଗରୁ। ପୂର୍ବତନ ଫାଇଭ-ଟି ସଚିବଙ୍କୁ କେବଳ ସମନରେ ଏତେ ଡ଼ର। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଯାହାଙ୍କର ସଂପୃକ୍ତି ଥିବ ସେମାନଙ୍କଠୁ ଉତ୍ତର ଚାହୁଁଛନ୍ତି ରାଜ୍ୟବାସୀ। ସେ ନବୀନ ହୁଅନ୍ତୁ ଅବା ପାଣ୍ଡିଆନ୍। କଂଗ୍ରେସ କହିଛି, ଫାଇଲ ଚୋର ଧରା ନ ପଡ଼ିବା ଯାଏ କାହାକୁ ଆକ୍ଷେପ କରିବା ଉଚିତ ନୁହେଁ। ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଗୁରୁଦାୟିତ୍ୱ ତୁଲାଉଥିଲେ। ତୃତୀୟ ମହଲାରୁ ଫାଇଲ ଗାଏବ ଛୋଟ କଥା ନୁହେଁ ବୋଲି କହିଛନ୍ତି ବିଧାୟକ ଅଶୋକ ଦାସ। ସରକାରୀ ଦପ୍ତର ଅସୁରକ୍ଷିତ ବେଳେ ସାଧାରଣ ଲୋକେ କେତେ ସୁରକ୍ଷିତ। ନବୀନ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଏହି ଫାଇଲ ଗାଏବ ହୋଇଥିବା ଅଭିଯୋଗ ହୋଇଛି। ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ଫାଇଲ ଚୋରି ଘଟଣାରେ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ ରାଜେଶ ବର୍ମା ଓ ତତ୍କାଳୀନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ହାଜିର ହେବାକୁ ହୋଇଥିଲା ନୋଟିସ। ଜୁଲାଇ ୨୨ରେ ହାଜର ହେବାକୁ ନୋଟିସ ହୋଇଥିଲେ ସୁଦ୍ଧା ୧୮ତାରିଖରେ ଆଗୁଆ କ୍ୟାପିଟାଲ ଥାନାରେ ହାଜର ହୋଇ ତଦନ୍ତକାରୀ ଅଧିକାରୀଙ୍କ ପ୍ରଶ୍ନର ସାମ୍ନା କରିଥିଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର। ହେଲେ ୨୨ରେ ହାଜର ହୋଇନଥିଲେ ରାଜେଶ ବର୍ମା। ସେଥିଲାଗି ରାଜେଶ ବର୍ମାଙ୍କୁ ପୁଣି ଥରେ ନୋଟିସ କରିଛି ପୁଲିସ। ୩୦ରେ ହାଜର ହେବାକୁ ନୋଟିସ୍ ହୋଇଛି। ଏହା ସହ ପୂର୍ବତନ ଆଇଏଏସ ଉପେନ୍ଦ୍ର ବେହେରାଙ୍କୁ ବି ୨୬ ତାରିଖରେ ହାଜର ହେବାକୁ ନୋଟିସ ହୋଇଛି। ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଓ କନ୍ଧମାଳ ଦଙ୍ଗା ମାମଲାରେ ଜଷ୍ଟିସ ଏ.ଏସ.ନାଇଡୁ ତଦନ୍ତ କମିଶନ ରିପୋର୍ଟ ଏବଂ ୨୦୧୬ରେ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ସିଏମଓରୁ ଗାଏବ ହୋଇଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ଶରତଚନ୍ଦ୍ର ମାରାଣ୍ଡି ଜୁନ୍ ୧୦ରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଜୁଲାଇ ୧୬ରେ ସିଏମଓ ଦପ୍ତରର ପୂର୍ବତନ ଦୁଇ ବରିଷ୍ଠ ଆଇଏଏସଙ୍କୁ ସମନ ପଠାଯାଇଥିଲା।
