ବାହୁଡା ଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକ
ବାହୁଡା ଯାତ୍ରା ପ୍ରସ୍ତୁତି ନେଇ ଲୋକସେବା ଭବନରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ହୋଇଥିବା ରୋଡମ୍ୟାପର ଅନୁଧ୍ୟାନ । CCTV ଓ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରର ପ୍ରଭାବୀ ବ୍ୟବହାର ଉପରେ ଜୋର।
ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ସେ ଭିଡ଼ ପରିଚାଳନା, ନିରନ୍ତର ସୂଚନା ସଞ୍ଚାର ଓ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୋଲିସ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରିବାକୁ ନିବେଦନ କରିଥିଲେ। ବୈଠକରେ ସୂଚନା ଦିଆଯାଇଥିଲା ଯେ, ରଥଯାତ୍ରା ଆରମ୍ଭରୁ ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ ହୋଇଛି। ଲଗାଣ ବର୍ଷା, ପ୍ରତିକୂଳ ପାଗ ଓ ଅତ୍ୟଧିକ ଗରମ ସତ୍ତ୍ୱେ ଅଧିକାରୀ, କର୍ମଚାରୀ ଓ ସେବାୟତମାନେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସେବାୟତମାନଙ୍କ ସମର୍ପଣ ଭାବନା ଏବଂ ସମସ୍ତ ପ୍ରଶାସନିକ ଟିମ୍ର ମିଳିତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ପୁରୀରେ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହି ପହଣ୍ଡି, ରଥଟଣା, ଦକ୍ଷିଣି ମୋଡ଼, ଆଡପ ମଣ୍ଡପ ଦର୍ଶନ ସହ ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମର ନିୟମିତ ତଦାରଖ କରୁଥିବା ସମୀକ୍ଷାରେ ଜଣାପଡ଼ିଥିଲା।
ଭିଡ଼ ପରିଚାଳନା ପାଇଁ ବୈଜ୍ଞାନିକ ପଦ୍ଧତିରେ ‘କ୍ରାଉଡ୍ ଡେନ୍ସିଟି’ ଆକଳନ କରିବା ସହ ସିସିଟିଭିରୁ ମିଳୁଥିବା ସୂଚନାକୁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ମାଧ୍ୟମରେ ତୁରନ୍ତ ସମ୍ପୃକ୍ତ ସ୍ଥାନକୁ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ସମ୍ଭାବ୍ୟ ସମସ୍ୟାର ତୁରନ୍ତ ସମାଧାନ ସମ୍ଭବ ହେବ ବୋଲି ସେ କହିଥିଲେ। ବାହୁଡା ଯାତ୍ରା ପରେ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରୀ ବିଜେ ଅନୁଷ୍ଠିତ ହେବାକୁ ଥିବାରୁ ସମସ୍ତ ନୀତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ ହେବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ କାରଣରୁ ଦୁଇଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତ ଶ୍ରଦ୍ଧାଳୁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ସୂଚନା ଉପସ୍ଥାପନ କରିଥିଲେ। ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ ଓ ପୋଲିସ ମଡର୍ଣ୍ଣାଇଜେସନ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସୁରକ୍ଷା ଓ ପୋଲିସ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ. ସିଂଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବାହୁଡା ଯାତ୍ରା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ।
