ଆସିଲା CM-KISAN ଟଙ୍କା
ନୂଆଁଖାଇ ପୂର୍ବରୁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ଆସିଲା CM-KISANର ପଞ୍ଚମ କିସ୍ତି: ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ, ୪୧ ଲକ୍ଷରୁ ଅଧିକ ଚାଷୀ ଉପକୃତ।

ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀ ଓ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପୂର୍ବରୁ ରାଜ୍ୟର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସିଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ବାବଦକୁ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ପଠାଯାଇଛି। ଏହି ଅର୍ଥରାଶି ରାଜ୍ୟର ୪୧,୩୭,୭୮୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୩,୯୪୯ ଭୂମିହୀନ କୃଷି ପରିବାର ଏବଂ ୩୨୯ଟି ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ (PVTG) ପରିବାରକୁ ମିଳିଛି। ଆଗାମୀ ରବି ଫସଲ ପୂର୍ବରୁ ବିହନ, ସାର ଓ କୀଟନାଶକ ଭଳି କୃଷି ସାମଗ୍ରୀ କିଣିବାରେ ଏହି ଅର୍ଥ ଚାଷୀଙ୍କ ପାଇଁ ସହାୟକ ହେବ। ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀ ଓ ଭୂମିହୀନ ପରିବାରଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ପ୍ରକୃତ ମୂଳଦୁଆ। ସିଏମ୍-କିଷାନ୍ ଯୋଜନା କେବଳ ଆର୍ଥିକ ସହାୟତା ନୁହେଁ, ଚାଷୀଙ୍କୁ ଆତ୍ମନିର୍ଭର କରିବା ଓ ତାଙ୍କ ଶ୍ରମକୁ ସମ୍ମାନ ଦେବାର ଏକ ପ୍ରୟାସ ବୋଲି ସେ କହିଥିଲେ।
ଚାଷୀଙ୍କ ଆୟ ଦୁଇଗୁଣ କରିବା ଲକ୍ଷ୍ୟ
ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ଚାଷୀ ପରିବାରର ବାର୍ଷିକ ଆୟକୁ ଅତିକମରେ ଦୁଇଗୁଣ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାରମ୍ପରିକ ଚାଷ ସହ କୃଷିର ବିବିଧିକରଣ ମାଧ୍ୟମରେ ଚାଷୀଙ୍କ ଆୟ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା
‘ସମୃଦ୍ଧ କୃଷକ ଯୋଜନା’ ଅଧୀନରେ କେନ୍ଦ୍ର ସରକାରଙ୍କ MSP ସହ ରାଜ୍ୟର ଇନପୁଟ୍ ସହାୟତା ମିଶାଇ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କ୍ରୟ କରାଯାଉଛି। ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପଠାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୨୦୨୫-୨୬ ଖରିଫ ଋତୁରେ ୧୮.୮୪ ଲକ୍ଷ ଚାଷୀଙ୍କଠାରୁ ୭୭.୪୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିବା ବେଳେ ଇନପୁଟ୍ ସବସିଡି ବାବଦକୁ ୫,୬୬୩.୮୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ରବି ଋତୁରେ ୩.୬୩ ଲକ୍ଷ ଚାଷୀଙ୍କୁ ୧,୪୯୪.୮୯ କୋଟି ଟଙ୍କା ଦିଆଯାଇଥିବା ସୂଚନା ଦିଆଯାଇଛି।

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୧୦୦୦ କୋଟିର ପ୍ୟାକେଜ୍
ସମ୍ପ୍ରତି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ହୋଇଥିବା ପ୍ରବଳ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି। ରାଜସ୍ୱ ଓ କୃଷି ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ କ୍ଷୟକ୍ଷତି ଆକଳନ ରିପୋର୍ଟ ଆଧାରରେ ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ।
କୃଷି ବିଦ୍ୟାନିଧିରେ ୬୮,୯୧୦ ଛାତ୍ରଛାତ୍ରୀ ଉପକୃତ
ଚାଷୀ ପରିବାରର ପିଲାମାନଙ୍କୁ ଉଚ୍ଚ ବୈଷୟିକ ଶିକ୍ଷା ପାଇଁ ‘କୃଷି ବିଦ୍ୟାନିଧି ଯୋଜନା’ ମାଧ୍ୟମରେ ସହାୟତା ଦିଆଯାଉଛି। ୨୦୨୫-୨୬ ଶିକ୍ଷାବର୍ଷରେ ୬୮,୯୧୦ ଜଣ ହିତାଧିକାରୀଙ୍କ ସନ୍ତାନଙ୍କୁ ୨୯୧.୬୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଚାଷୀମାନେ ସରକାରୀ ସୁବିଧା ପାଇବା ପାଇଁ ‘ଫାର୍ମର୍ସ ରେଜିଷ୍ଟ୍ରି’ରେ ନିଜ ଜମିର ତଥ୍ୟ ସହ ପଞ୍ଜୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଜୈବିକ ଚାଷ ଓ କୃଷି ବିବିଧିକରଣ ଉପରେ ଗୁରୁତ୍ୱ
ଜଳବାୟୁ ପରିବର୍ତ୍ତନ, ଅନିୟମିତ ପାଣିପାଗ, ଜଳାଭାବ ଓ ମୃତ୍ତିକା କ୍ଷୟ ଭଳି ସମସ୍ୟା କୃଷି କ୍ଷେତ୍ର ପାଇଁ ଆହ୍ୱାନ ସୃଷ୍ଟି କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାକୁ ମୁକାବିଲା ପାଇଁ ଜୈବିକ ଚାଷ, ମାଣ୍ଡିଆ ଚାଷ ଓ ପୁନରୁଦ୍ଧାରକାରୀ କୃଷି (Regenerative Agriculture)କୁ ପ୍ରୋତ୍ସାହନ ଦିଆଯାଉଛି।
ଗତବର୍ଷ ରାଜ୍ୟରେ ୪,୮୮୬ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ୬.୯୨ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଥିବା ସେ ସୂଚନା ଦେଇଥିଲେ। ଏଥିସହ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ଥିବା କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସରକାରୀ ଅଧିକାରୀ ଓ ମନ୍ତ୍ରୀମଣ୍ଡଳ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସ୍ୱଚ୍ଛ ପ୍ରକ୍ରିୟାରେ ସହାୟତା ପ୍ରଦାନ କରାଯିବ। ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଥିବାରୁ ଚାଷୀମାନେ ଗୁଜବରେ ବିଶ୍ୱାସ ନକରିବାକୁ ସେ ଆହ୍ୱାନ ଦେଇଥିଲେ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ‘ଅଦିନିଆ ବର୍ଷା’କୁ ସରକାର ଆନୁଷ୍ଠାନିକ ଭାବେ ବିପର୍ଯ୍ୟୟ ତାଲିକାରେ ସାମିଲ କରିଛନ୍ତି। ଏହା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, କୃଷି ବିଭାଗର ବରିଷ୍ଠ ଅଧିକାରୀ, ଓୟୁଏଟି କୁଳପତି ଡ. ପ୍ରଭାତ କୁମାର ରାଉଳଙ୍କ ସମେତ ବିଭାଗୀୟ ଅଧିକାରୀ ଓ ୭୫୦ରୁ ଊର୍ଦ୍ଧ୍ୱ ଚାଷୀ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମର ସିଧାସଳଖ ଲାଇଭ୍ଷ୍ଟ୍ରିମିଂ ସହ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଭିଭାଷଣ ଶେଷରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଚାଷୀ ଭାଇଭଉଣୀଙ୍କୁ ଆଗାମୀ ଗଣପର୍ବ ନୂଆଁଖାଇର ଆଗୁଆ ଶୁଭେଚ୍ଛା ଜଣାଇଥିଲେ।
