Deo River Tragedy:ଦେଓ ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ
ଗ୍ରାମରେ ଶୁଦ୍ଧକ୍ରିୟାରେ ଯୋଗଦେବା ପରେ ଦେଓ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ନଦୀପଠାରେ ପଡ଼ିଥିବା ଚପଲ ଓ ଗାମୁଛା ସୃଷ୍ଟି କରିଥିଲା ଆଶଙ୍କା। ଦୀର୍ଘ ୧୮ ଘଣ୍ଟାର ଖୋଜାଖୋଜି ପରେ ମିଳିଲା ମୃତଦେହ।
ମୟୂରଭଞ୍ଜ: ଦେଓ ନଦୀରେ ଗାଧୋଇବାକୁ ଯାଇ ନିଖୋଜ ଥିବା ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ୧୮ ଘଣ୍ଟା ପରେ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଉଦଳା ଥାନା ଅନ୍ତର୍ଗତ କଇଁସାରୀ ଗ୍ରାମର ମାୟାଧର ନାୟକ। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ମାୟାଧର ଗ୍ରାମରେ ଏକ ଶୁଦ୍ଧକ୍ରିୟାରେ ଯୋଗଦେବା ପରେ ଜାମୁଘାଟ ପୋଲ ନିକଟ ଦେଓ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଦୀର୍ଘ ସମୟ ପରେ ମଧ୍ୟ ସେ ଘରକୁ ଫେରିନଥିଲେ। ନଦୀପଠାରେ ତାଙ୍କ ଚପଲ ଓ ଗାମୁଛା ପଡ଼ିଥିବା ଦେଖି ଗ୍ରାମବାସୀଙ୍କ ମନରେ ସନ୍ଦେହ ହୋଇଥିଲା। ଏନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା।ଖବର ପାଇ ଖୁଣ୍ଟା ଅଗ୍ନିଶମ ବାହିନୀ ଗତକାଲି ରାତି ୧୦ଟା ପର୍ଯ୍ୟନ୍ତ ନଦୀରେ ଖୋଜାଖୋଜି କରିଥିଲେ। ତେବେ ରାତିରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଆଜି ସକାଳେ ଉଦଳା ଅଗ୍ନିଶମ ବାହିନୀ ପୁନର୍ବାର ତଲାସୀ ଅଭିଯାନ ଆରମ୍ଭ କରି ଦୀର୍ଘ ସମୟର ପ୍ରୟାସ ପରେ ମାୟାଧରଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ପରିବାରବର୍ଗ ଓ ପୋଲିସର ଉପସ୍ଥିତିରେ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଉଦଳା ମେଡିକାଲକୁ ପଠାଯାଇଛି। ଉଦଳା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
