Koraput Vigilance Fraud:କାଗଜପତ୍ରରେ ଉନ୍ନୟନ କାର୍ଯ୍ୟ,ମାଟିରେ ନାହିଁ କାମ
କାଗଜପତ୍ରରେ ହୋଇଥିଲା ଉନ୍ନୟନମୂଳକ କାର୍ଯ୍ୟ, କିନ୍ତୁ ବାସ୍ତବରେ ନଥିଲା କାମର ଚିହ୍ନ। ଏପରି ଜାଲିଆତି ଓ ସରକାରୀ ଅର୍ଥ ହେରଫେର ଅଭିଯୋଗରେ କୋରାପୁଟରେ ଦୁଇ ଜଣଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।
କୋରାପୁଟ:ସରକାରୀ ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣଙ୍କୁ ଗିରଫ କରିଛି। କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ବାନୁଆଗୁଡ଼ା ଗ୍ରାମ ପଞ୍ଚାୟତରେ ୧୨ ଲକ୍ଷ ୩୩ ହଜାର ୪୩୫ ଟଙ୍କାର ସରକାରୀ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ରହିଛି। ଏହି ଘଟଣାରେ ପୂର୍ବତନ ସହକାରୀ ଡାଟା ଏଣ୍ଟ୍ରି ଅପରେଟର (ADEO) ତଥା ପୂର୍ବତନ ଗ୍ରାମ ରୋଜଗାର ସେବକ (GRS) ଜି. ଶଙ୍କର ଏବଂ ଗ୍ରାମ ମେଟ୍ ଲାଇଖାନା ନାୟକଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ସୂଚନା ଅନୁସାରେ, ଜି. ଶଙ୍କର ବର୍ତ୍ତମାନ ଲାମ୍ତାପୁଟ ବ୍ଲକରେ ADEO ଭାବେ କାର୍ଯ୍ୟରତ ଅଛନ୍ତି। ଅଭିଯୋଗ ଅନୁଯାୟୀ, ଦୁଇ ଅଭିଯୁକ୍ତ ବିଭିନ୍ନ ସରକାରୀ ଅନୁଦାନପ୍ରାପ୍ତ ପ୍ରକଳ୍ପର କାମ ସମ୍ପନ୍ନ ହୋଇଥିବା ନେଇ କାଗଜପତ୍ରରେ ମିଥ୍ୟା ତଥ୍ୟ ଦର୍ଶାଇଥିଲେ। ଏଥିସହ ସରକାରୀ ରେକର୍ଡରେ ଜାଲିଆତି କରି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି। ତଦନ୍ତରେ ସମ୍ପୃକ୍ତ ଚାରୋଟି ପ୍ରମୁଖ ପ୍ରକଳ୍ପର କାର୍ଯ୍ୟ କ୍ଷେତ୍ରସ୍ତରରେ ବାସ୍ତବରେ ହୋଇନଥିବା ଅଭିଯୋଗ ରହିଛି। ଏହି ଘଟଣାରେ ୨୩ ଅକ୍ଟୋବର ୨୦୨୬ରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୬(୫), ୩୩୬(୩), ୩୪୦(୨), ୩୪୪ ଏବଂ ୬୧(୨)ରେ ମାମଲା ରୁଜୁ କରାଯାଇଛି। ଗିରଫ ପରେ ଉଭୟଙ୍କୁ ଜୟପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି। ମାମଲାରେ ଅଭିଯୋଗଗୁଡ଼ିକର ପରବର୍ତ୍ତୀ ତଦନ୍ତ ଜାରି ରହିଛି।
