Kotia Row Heats Up: କୋଟିଆ କଳି- ଅସ୍ମିତା ଓ ଅଖଣ୍ଡତାକୁ ନେଇ ବୟାନବାଜି
କୋଟିଆ ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ। କୋଟିଆର ଦୁରବସ୍ଥା ପାଇଁ ବିଜେପି ସରକାରକୁ ଦାୟୀ କଲେ ପ୍ରଦୀପ ମାଝୀ। ସେପଟେ, ସ୍ଥିତି ଆକଳନ ପାଇଁ ସବୁ ଦଳ ଟିମ୍ ପଠାଇବାକୁ କହିଲେ ମନମୋହନ ସାମଲ।

କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ତେଜିଛି ବୟାନବାଜି। କୋଟିଆର ସ୍ଥିତି ଆକଳନ କରିବା ଏବଂ ସେଠାକାର ଲୋକଙ୍କ ସମସ୍ୟା ବୁଝିବା ପାଇଁ ସମସ୍ତ ରାଜନୈତିକ ଦଳ ଟିମ୍ ପଠାଇବାର ନୈତିକ ଅଧିକାର ରହିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏଥିସହ ସମସ୍ତ ରାଜନୈତିକ ଦଳକୁ ଏକାଠି କରିବା ପାଇଁ ବିଚାରବିମର୍ଶ ଚାଲିଥିବା ସେ କହିଛନ୍ତି।
ଅନ୍ୟପଟେ, କୋଟିଆର ବର୍ତ୍ତମାନର ଦୟନୀୟ ସ୍ଥିତି ପାଇଁ ବିଜେପି ସରକାରକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ବିଜେଡିର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। କୋଟିଆରେ ରାଜନୈତିକ ଓ ପ୍ରଶାସନିକ ବିଫଳତା ଦେଖାଦେଇଥିବା ବେଳେ ସେଠାକାର ଲୋକେ ଅସହାୟ ଅବସ୍ଥାରେ ରହିଥିବା ସେ ଅଭିଯୋଗ କରିଛନ୍ତି।
ପ୍ରଦୀପ ମାଝୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ବହୁ ମନ୍ତ୍ରୀ ଓ ଅଧିକାରୀ କୋଟିଆ ଗସ୍ତ କରି ଦେଓମାଳି ପର୍ବତରେ ଭୋଜିଭାତ କରିବା ସହ ଭାଷଣ ଦେଇ ଫେରିଛନ୍ତି। କିନ୍ତୁ ଏଯାଏଁ ଷ୍ଟାଣ୍ଡିଂ କମିଟି ଗଠନ ହୋଇପାରିନାହିଁ। ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ନିର୍ବାଚନ ଘୋଷଣା କରିଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବଶ୍ୟକ ରାଜନୈତିକ ଓ ପ୍ରଶାସନିକ ତତ୍ପରତା ଦେଖାଯାଉନଥିବା ସେ କହିଛନ୍ତି।
ଗତକାଲି ପ୍ରାୟ ୧୫୦ ଜଣ YSR କଂଗ୍ରେସ ନେତା ଓ କର୍ମୀ କୋଟିଆରେ ପ୍ରଚାର କରିବା ଘଟଣାକୁ ନେଇ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି ପ୍ରଦୀପ ମାଝୀ। ଏହି ପ୍ରସଙ୍ଗରେ ତୁରନ୍ତ ସମାଧାନର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ରାଜ୍ୟରେ ଟ୍ରିପଲ୍ ଇଞ୍ଜିନ୍ ସରକାର ଥିବା ସତ୍ତ୍ୱେ କୋଟିଆ ସମସ୍ୟାର ସମାଧାନ ହୋଇପାରୁନଥିବା କହି ସେ ସରକାରଙ୍କୁ ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟରେ ମାମଲା କିମ୍ବା ପିଟିସନ୍ ଦାଖଲ କରି ସରକାର ନିଜ ଦାୟିତ୍ୱରୁ ଖସିପାରିବେ ନାହିଁ ବୋଲି ସେ କହିଛନ୍ତି। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଆନ୍ଧ୍ର ପ୍ରଶାସନ ଉପରେ କ୍ଷୋଭ ଝାଡ଼ିଛନ୍ତି ପିସିସି ସଭାପତି ଭକ୍ତ ଦାସ। କୋଟିଆରେ ଓଡ଼ିଶାର ସ୍ୱାର୍ଥ ଓ ଅଧିକାରରର ସୁରକ୍ଷା ଦିଗରେ ସରକାର ଉପଯୁକ୍ତ ପଦକ୍ଷେପ ନେଉନାହାନ୍ତି। ରାଜ୍ୟ ସରକାରଙ୍କ ଦୁର୍ବଳତାରୁ ଆନ୍ଧ୍ର ପ୍ରଶାସନ ଏଭଳି କରିବାକୁ ସୁଯୋଗ ପାଉଛି। କୋଟିଆର ବାସ୍ତବସ୍ଥିତି ଅନୁଧ୍ୟାନ ଲାଗି କଂଗ୍ରେସର ଏକ ପ୍ରତିନିଧି ଦଳ କୋଟିଆ ଗସ୍ତ କରିବ। ଏହା ସହ କୋଟିଆରେ ଦୁଇ ରାଜ୍ୟର ଭୋଟର ତାଲିକା ଓ ନିର୍ବାଚନ ସଂକ୍ରାନ୍ତୀୟ ଦସ୍ତାବିଜର ସ୍ଥିତି ଯାଞ୍ଚର ଆବଶ୍ୟକତା ଥିବା କହିଛନ୍ତି ଭକ୍ତ। ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କୁ ଭୟ କରୁଥିବାର ଆରୋପ ଲଦିଛନ୍ତି।
କୋଟିଆର ସୀମା ବିବାଦ, ନିର୍ବାଚନୀ ପ୍ରଚାର ଓ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେଉଁ ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି।
