ସିଜେପିର ଉଗ୍ର ପ୍ରଦର୍ଶନ: ସରକାରଙ୍କ ଅପିଲ-ଆନ୍ଦୋଳନରୁ ଓହରିଯାଆନ୍ତୁ
ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ବଳପ୍ରୟୋଗ କରିବା ବନ୍ଦ କରୁ। ସେପଟେ ଧାରଣାରୁ ଓହରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନଡ୍ଡା। ଏହାରି ଭିତରେ ସିଜେପିର ଫାଉଣ୍ଡର ତଥା ସଂସ୍ଥାପକ ଅଭିଜିତ ଦୀପକେ ଅଢ଼େଇ ଦିନ ପରେ ସଂସଦ ଚାଲ ଅଭିଯାନ ଭିତରେ ନିଜର ଅନଶନ ସାରି ଦେଇଛନ୍ତି।

ସଂସଦର ମୌସୁମୀ ଅଧିବେଶନର ଆଜି ପ୍ରଥମ ଦିନ। ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନରତ ସିଜେପି ସମର୍ଥକ ଆଜି ସଂସଦକୁ ପଦଯାତ୍ରା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ସଂସଦ ଭବନ ପାଖରେ ଆନ୍ଦୋଳନକାରୀ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଆଉ ପୁଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଥିଲା। ଧସ୍ତାଧସ୍ତିରେ ଅନେକ ପୁଲିସ ଆହତ ହୋଇଛନ୍ତି।ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠିଚାର୍ଜ କରିଥିଲା। ଦ୍ୱିପ୍ରହର ସୁଦ୍ଧା ଆନ୍ଦୋଳନକାରୀଙ୍କୁ ସଂସଦ ଭବନ ପାଖରୁ ହଟାଇଦେଇଥିଲା। ଏହା ସହ କନ୍ନାଟ ପ୍ଲେସକୁ ବି ଖାଲି କରିଦେଇଥିଲା। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ସିଜେପିର ପ୍ରତିନିଧି ଦଳ ଭେଟି ନିଜର ଦାବି ଜଣାଇଛନ୍ତି। ପ୍ରମୁଖ ଦାବି ଭିତରେ ରହିଛି, ସୋନମ ଓ୍ୱାଙ୍ଗଚୁକଙ୍କୁ ହସ୍ପିଟାଲରୁ ରିଲିଜ କରାଯାଉ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ନଚେତ ତାଙ୍କୁ ପଦରୁ ହଟାଯାଉ। ନିଟ୍ ୨୦୨୬ ପରୀକ୍ଷା ଲିକ୍ ପରେ ଆତ୍ମହତ୍ୟା କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ୧ କୋଟି ଲେଖାଏଁ କ୍ଷତିପୂରଣ ଦିଆଯାଉ। ଏହା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ବଳପ୍ରୟୋଗ କରିବା ବନ୍ଦ କରୁ। ସେପଟେ ଧାରଣାରୁ ଓହରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନଡ୍ଡା। ଏହାରି ଭିତରେ ସିଜେପିର ଫାଉଣ୍ଡର ତଥା ସଂସ୍ଥାପକ ଅଭିଜିତ ଦୀପକେ ଅଢ଼େଇ ଦିନ ପରେ ସଂସଦ ଚାଲ ଅଭିଯାନ ଭିତରେ ନିଜର ଅନଶନ ସାରି ଦେଇଛନ୍ତି। ସୋନମ ଓ୍ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ତାଙ୍କୁ ପାଣି ପିଆଇ ତାଙ୍କର ଅନଶନ ଭାଙ୍ଗିଥିଲେ। ସେଠାରେ ଅଭିନେତ୍ରୀ ଶାବାନା ଆଜମି, ଅଭିନେତା ପ୍ରକାଶ ରାଜ, ଆରଜେଡି ସାଂସଦ ମନୋଜ ଝା, ଯୋଗେନ୍ଦ୍ର ଯାଦବ ପ୍ରମୁଖ ଜନ୍ତରମନ୍ତରରେ ଅନଶନ କରୁଥିବା ଅଲଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନର ଛାତ୍ରଙ୍କୁ ପାଣି ପିଆଇ ସେମାନଙ୍କର ଅନଶନ ସମାପ୍ତ କରିଥିଲେ। ନିଟ ପରୀକ୍ଷାରେ ହୋଇଥିବା ଅନିୟମିତତା ଓ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା ଗଡ଼ବଡ଼ିର ନିରପେକ୍ଷ ତଦନ୍ତ ଓ ଜବାବଦେହୀ, ପରୀକ୍ଷା କେଳେଙ୍କାରୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଓ ଦେଶରେ ଲଗାତାର ବଢ଼ୁଥିବା ବେରୋଜଗାରି, ସରକାରୀ ପରୀକ୍ଷାରେ ବିଳମ୍ୱରେ ଫଳାଫଳ ପ୍ରକାଶ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କେହି ଯେଭଳି ଖେଳିବେନି, ସେ ମୁଦ୍ଦା ଉପରେ ସରକାରଙ୍କୁ ଘେରାଯିବ। ତେବେ ସୂଚନା ମିଳିଛି ଯେ, ପ୍ରଦର୍ଶନକାରୀଙ୍କୁ ଜନ୍ତରମନ୍ତରରୁ ଜବରଦସ୍ତି ହଟାଇବେନି ସରକାର।
