CHIKITI NAC: ଚିକିଟି ଏନଏସିର ବିକାଶ — ୪ ବର୍ଷର ହିସାବ
ଗଞ୍ଜାମ ଜିଲ୍ଲାର ଚିକିଟି ଏନଏସି । ୧୨ଟି ୱାର୍ଡ ଓ ପ୍ରାୟ ୧୫ ହଜାର ଲୋକଙ୍କୁ ନେଇ ଗଠିତ ଏହି ସହରରେ ଦିନେ ଲୋକଙ୍କୁ ଭୋଗିବାକୁ ପଡୁଥିଲା ଅନେକ ସମସ୍ୟା । ତେବେ ୨୦୨୨ରୁ ୨୦୨୬ । ଏହି ୪ ବର୍ଷରେ ଚିକିଟି ଏନଏସିରେ କେତେ ବଦଳିଛି ଚିତ୍ର? କେତେ ସମସ୍ୟାର ହୋଇଛି ସମାଧାନ? ଅଧ୍ୟକ୍ଷା ଦୀପାରାଣୀ ସାହୁଙ୍କ ନେତୃତ୍ୱରେ ଲୋକେ କେତେ ଉପକୃତ ହୋଇଛନ୍ତି?

ଗଞ୍ଜାମ ଜିଲ୍ଲାର ଚିକିଟି ସହର । ପ୍ରାୟ ୧୫ ହଜାର ଜନସଂଖ୍ୟା ଓ ୧୨ଟି ୱାର୍ଡକୁ ନେଇ ଗଠିତ ଚିକିଟି ଏନଏସି । ଦିନେ ଏଠାରେ ଲୋକଙ୍କ ସମସ୍ୟାର ଅନ୍ତ ନଥିଲା । ପାନୀୟ ଜଳଠାରୁ ରାସ୍ତାଘାଟ, ଭତ୍ତାଠାରୁ ରାସନ କାର୍ଡ ଏବଂ ଭୂମିହୀନଙ୍କୁ ଜାଗା ଓ ଘର ଯୋଗାଇବା—ଏମିତି ଅନେକ ସମସ୍ୟା ନେଇ ଲୋକେ ହନ୍ତସନ୍ତ ହେଉଥିଲେ। ୨୦୨୨ରେ ଚିକିଟି ଏନଏସି ଅଧ୍ୟକ୍ଷା ଭାବେ ଦୀପାରାଣୀ ସାହୁ ଦାୟିତ୍ୱ ନେବା ପରେ ଏହି ସମସ୍ୟାଗୁଡିକର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । କେବଳ ମୌଳିକ ସୁବିଧା ନୁହେଁ, ସ୍ୱଚ୍ଛ ସର୍ବେକ୍ଷଣରେ ଚିକିଟିର ସଫଳତା ଏବଂ ଜାଗା ମିଶନରେ ପୁରସ୍କାର ମଧ୍ୟ ଏହି ସହରର ନୂଆ ପରିଚୟ ହୋଇଛି । ୨୦୨୨-୨୩, ୨୦୨୩-୨୪ ଏବଂ ୨୦୨୪-୨୫ । ଲଗାତାର ତିନି ବର୍ଷ ଧରି ସ୍ୱଚ୍ଛ ସର୍ବେକ୍ଷଣରେ ଚିକିଟି ଜାତୀୟ ସ୍ତରରେ ନିଜର ଉପସ୍ଥିତି ଜାହିର କରିଛି । ସେହିପରି ୨୦୨୨-୨୩ରେ ଜାଗା ମିଶନ କ୍ଷେତ୍ରରେ ମଧ୍ୟ ଚିକିଟି ଏନଏସି ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିବା କରାଯାଇଛି । ଭୂମିହୀନ ଓ ବାସହୀନ ବସ୍ତିବାସିନ୍ଦାଙ୍କ ମଧ୍ୟରୁ ୪୫ଟି ପରିବାରକୁ ଜାଗା ସହ ଘର ଯୋଗାଇବାରେ ଏନଏସି ସଫଳ ହୋଇଥିବା କୁହାଯାଇଛି । ଯେଉଁ ଅଞ୍ଚଳରେ ଏହି ପରିବାରଗୁଡିକୁ ଘର ଯୋଗାଇ ଦିଆଯାଇଛି, ତାହାକୁ ‘ଆଦର୍ଶ କଲୋନୀ’ ଭାବେ ନାମକରଣ କରାଯାଇଛି । ତେବେ ବିକାଶର ଏହି ଚିତ୍ର ମଧ୍ୟରେ ଏବେ ବି ରହିଛି କିଛି ଅଧୁରା କାମ । ଅବଶିଷ୍ଟ ସମସ୍ୟାଗୁଡିକର ସମାଧାନ ପାଇଁ ଆଗାମୀ ୪ରୁ ୫ ମାସ ମଧ୍ୟରେ କାମ ଶେଷ କରିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ଏନଏସି ଅଧ୍ୟକ୍ଷା । ଚିକିଟି ଏନଏସିରେ ୨୦୨୨ରୁ ୨୦୨୬ । ଚାରି ବର୍ଷରେ ବିକାଶର ଦାବି, ପୁରସ୍କାରର ସଫଳତା ଏବଂ ଲୋକଙ୍କ ସମସ୍ୟାର ସମାଧାନ—ସବୁକୁ ନେଇ ଚର୍ଚ୍ଚା ଜୋର ଧରିଛି ।ତେବେ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ଏହି ସମୟରେ ଚିକିଟି ଏନଏସି ଅଧ୍ୟକ୍ଷାଙ୍କ କାର୍ଯ୍ୟକାଳରେ ଲୋକେ କେତେ ଉପକୃତ ହୋଇଛନ୍ତି, ବିକାଶର ଦାବି କେତେଦୂର ବାସ୍ତବରେ ପ୍ରତିଫଳିତ ହୋଇଛି—ତାହା ଆଗାମୀ ଦିନରେ ଲୋକଙ୍କ ମତ ଓ ନିର୍ବାଚନୀ ଫଳାଫଳରୁ ହିଁ ସ୍ପଷ୍ଟ ହେବ।
