ମେଗା ଆଲୁମିନିୟମ୍ ପ୍ରୋଜେକ୍ଟ ପାଇଁ ଏମଓୟୁ ସ୍ୱାକ୍ଷରିତ
ମେଗା ଆଲୁମିନିୟମ୍ ପ୍ରୋଜେକ୍ଟ ପାଇଁ ଏମଓୟୁ ସ୍ୱାକ୍ଷରିତ। ୟୁଏଇର ଇଣ୍ଟରନାସନାଲ ହୋଲଡିଂ କମ୍ପାନୀ ସହ ଇପିକଲର ଏମଓୟୁ ସ୍ୱାକ୍ଷରିତ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେଲା ୧.୧୦ଲକ୍ଷ କୋଟି ଟଙ୍କାର ଏମଓୟୁ। ୫୩ହଜାର୫ଶହ ନିଯୁକ୍ତି ସୁଯୋଗ।

ମେଗା ଆଲୁମିନିୟମ୍ ପ୍ରୋଜେକ୍ଟ ପାଇଁ ଏମଓୟୁ ସ୍ୱାକ୍ଷରିତ। ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ଅର୍ଥନୀତିରେ ପରିଣତ କରିବା ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଦିଗରେ ଆଜି ରାଜ୍ୟ ଶିଳ୍ପ ଇତିହାସରେ ଯୋଡ଼ି ହେଲା ଏକ ନୂଆ ଅଧ୍ୟାୟ। ଆଜି ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ, ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପରେ ପ୍ରାୟ ୧୧.୫ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ଆଧୁନିକ ଓ ସମାବେଶୀ ଓଡିଶା ଗଠନ କରିବା ପାଇଁ ଆମର ଉଦ୍ୟମ ସଫଳତାର ସହ ଜାରି ରହିଛି। ଏହାସହ ଓଡ଼ିଶାର ସମ୍ବଳ ଓ ପ୍ରତିଭା ସହ ମଧ୍ୟ-ପ୍ରାଚ୍ୟର ପୁଞ୍ଜି ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟରେ ଏକ ସମୃଦ୍ଧ ପାର୍ଟନରସିପ୍ ଗଠନ ହେବ ବୋଲି ଦୃଢ଼ ଆଶା ପ୍ରକଟ କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ବକ୍ସାଇଟ୍ ଖଣି କାର୍ଯ୍ୟ, ଆଲୁମିନା ରିଫାଇନିଂ, ଆଲୁମିନିୟମ୍ ସ୍ମେଲଟିଙ୍ଗ, କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ ସମେତ ଡାଉନ୍ଷ୍ଟ୍ରିମ୍ ଆଲୁମିନିୟମ୍ ଉତ୍ପାଦନ ଓ ଭିତ୍ତିଭୂମିର ବିକାଶ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୩୫,୦୦୦ ଏବଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ୧୮,୫୦୦ ଲୋକଙ୍କୁ ମିଶାଇ ସମୁଦାୟ ୫୩,୫୦୦ରୁ ଉର୍ଦ୍ଧ୍ୱ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମ ସରକାର ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ନେଇ ଆଗକୁ ବଢ଼ୁଛି। ଏହି ଅବସରରେ 'ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ' (IHC)ର ଚିଫ୍ ଷ୍ଟ୍ରାଟେଜିକ୍ ଅଫିସର୍ (CSO) ପିଟର ଆବ୍ରାମ କହିଛନ୍ତି ଯେ, ଏହା ଭାରତ ଏବଂ ୟୁଏଇ (UAE) ମଧ୍ୟରେ ଏକ ସୁଦୃଢ଼ ସମ୍ପର୍କର ନୂତନ ଅଧ୍ୟାୟ ସୃଷ୍ଟି କରିବ। ଏହି ଚୁକ୍ତି କେବଳ ଏକ ବ୍ୟବସାୟିକ ନିବେଶ ନୁହେଁ, ବରଂ ଓଡ଼ିଶାର ସ୍ଥାୟୀ ବିକାଶ ପାଇଁ ଏକ ଦୀର୍ଘକାଳୀନ ଭାଗିଦାରୀ। ଆସ୍ଥା, ସମାନ ଚିନ୍ତାଧାରା ଓ ମିଳିତ ଲକ୍ଷ୍ୟ ଆଧାରରେ ଗଠିତ ଏହି ସମ୍ପର୍କ ଆଗାମୀ ଦିନରେ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି, ଆର୍ଥିକ ସେବା ଏବଂ ଗ୍ରାହକ ସେବା କ୍ଷେତ୍ରରେ ବ୍ୟାପକ ସଫଳତା ଆଣିଦେବ। ଓଡ଼ିଶା କେବଳ ଏକ ନିବେଶ ସ୍ଥଳୀ ନୁହେଁ, ବରଂ ଦୀର୍ଘକାଳୀନ ସ୍ଥାୟୀ ବିକାଶର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ରଣନୀତିକ ସହଯୋଗୀ ବୋଲି ସେ ପ୍ରକାଶ କରିଛନ୍ତି । ଏହି ସମାବେଶରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ୟୁଏଇ IHC ଗ୍ରୁପ୍ର ନିର୍ଦ୍ଦେଶକ ଓ ସିଇଓ ସୟଦ୍ ବସର୍ ସୁଏବ୍, ୟୁଏଇ ଇଣ୍ଟରନ୍ୟାସନାଲ୍ ରିସୋର୍ସେସ୍ ହୋଲ୍ଡିଂ (IRH)ର ସିଇଓ ଅଲି ଅଲ୍-ରସ୍ଦି, IHC ଗ୍ରୁପ୍ର ନେତୃବୃନ୍ଦ ହେସାମ୍ ଓ ଅବ୍ଦୁଲା ଅଲ୍-ରସ୍ଦି ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଶିଳ୍ପ ଜଗତର ପ୍ରତିଷ୍ଠିତ ନେତୃବୃନ୍ଦ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
