୧୨ ପ୍ରସ୍ତାବରେ କ୍ୟାବିନେଟ୍ର ମୋହର; କେଜିରୁ ପିଜି ମାଗଣା ଶିକ୍ଷା
ରାଜ୍ୟ କ୍ୟାବିନେଟରେ ୮ଟି ବିଭାଗର ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ । ବୈଠକରେ ଶିକ୍ଷାକ୍ଷେତ୍ର ସହ ଜଡ଼ିତ ଦୁଇଟି ବଡ଼ ନିଷ୍ପତ୍ତିର ଘୋଷଣା ।

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ୮ଟି ବିଭାଗର ୧୨ଟି ପ୍ରସ୍ତାବରେ ବାଜିଲା ମୋହର। ରାଜ୍ୟ କ୍ୟାବିନେଟର ୪୩ତମ ବୈଠକରେ ରାଜ୍ୟର ବିକାଶ ପାଇଁ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ଶିକ୍ଷାକ୍ଷେତ୍ର ସହ ଜଡ଼ିତ ଦୁଇଟି ବଡ଼ ନିଷ୍ପତ୍ତିର ଘୋଷଣା କରାଯାଇଛି। ଏଥିମଧ୍ୟରେ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ଏବଂ ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଡ୍ ଡେ ମିଲ୍ ପ୍ରଦାନ ନିଷ୍ପତ୍ତି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷାବର୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା କାର୍ଯ୍ୟକାରୀ ହେବ। ଏହି ଯୋଜନା ଅନୁଯାୟୀ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, କଲେଜ ଓ ବିଶ୍ୱବିଦ୍ୟାଳୟରେ ନିୟମିତ ପାଠ୍ୟକ୍ରମରେ ନାମ ଲେଖାଇଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ନାମଲେଖା ଫି’ ଛାଡ଼ କରାଯିବ। ଫଳରେ ନବମ ଶ୍ରେଣୀରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ କୌଣସି ନାମଲେଖା ଦେୟ ଦେବାକୁ ପଡ଼ିବ ନାହିଁ। ଏହି ଯୋଜନାରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ପଢ଼ୁଥିବା ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ତେବେ ସେଲ୍ଫ-ଫାଇନାନ୍ସିଂ ପାଠ୍ୟକ୍ରମ, ବେସରକାରୀ ଅଣ-ଅନୁଦାନପ୍ରାପ୍ତ ସଂସ୍ଥା, ପିପିପି ମୋଡ୍ର ଅନୁଷ୍ଠାନ ଏବଂ ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମକୁ ଏହି ଯୋଜନାରେ ସାମିଲ କରାଯାଇ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆର୍ଥିକ ସମସ୍ୟା ଯୋଗୁଁ କୌଣସି ଛାତ୍ରଛାତ୍ରୀ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି କିମ୍ବା ପାଠପଢ଼ା ଅଧାରୁ ଛାଡ଼ି ନ ଦିଅନ୍ତି, ସେଥିପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି। ଏହାଦ୍ୱାରା ଦୁର୍ବଳ ଓ ପଛୁଆ ବର୍ଗର ପରିବାରଙ୍କ ଉପରୁ ଆର୍ଥିକ ବୋଝ କମିବା ସହ ନାମଲେଖା ଓ ଉପସ୍ଥାନ ହାର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଏହି ଯୋଜନା ପାଇଁ ପ୍ରଥମ ବର୍ଷରେ ୮୯୫.୫୭ କୋଟି ଟଙ୍କା ବ୍ୟୟ ହେବ। ଆଗାମୀ ପାଞ୍ଚ ବର୍ଷରେ ଏହା ପାଇଁ ୫,୪୬୭.୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ମାଧ୍ୟମରେ ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ସରକାର ଆକଳନ କରିଛନ୍ତି। ଅନ୍ୟପଟେ, କ୍ୟାବିନେଟରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଡ୍ ଡେ ମିଲ୍ ପ୍ରଦାନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ଜାରି ରହିବ। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ମିଳୁଥିବାବେଳେ, ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ଏହାର ସୁବିଧା ପାଇବେ। ଏହାଦ୍ୱାରା ରାଜ୍ୟର ୫୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଛଡ଼ା କ୍ୟାବିନେଟରେ ଜୟଦେବବିହାର-ନନ୍ଦନକାନନ ରୋଡ ୮ ଲେନ୍ ପ୍ରଶସ୍ତ କରିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ସଡ଼କ ପ୍ରକଳ୍ପର କାମ ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
