ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଘୂର୍ଣ୍ଣିବଳୟ ସମୁଦ୍ର ପତନରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି ।

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। । ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଘୂର୍ଣ୍ଣିବଳୟ ସମୁଦ୍ର ପତନରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଲଘୁଚାପ ଆହୁରି ସକ୍ରିୟ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଅନେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି। କଟକ-ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି ଏବଂ ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ୫ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ସର୍ବାଧିକ ୧୮୦ ମିଲିମିଟର, ସମ୍ବଲପୁରର ଯୁଯୁମୁରାରେ ୧୩୦ ମିଲିମିଟର ଏବଂ ବରଗଡ଼ର ଅତାବିରାରେ ୧୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ନୂଆପଡ଼ା ଓ ବଲାଙ୍ଗୀର ସମେତ ୯ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଏବଂ ଅନ୍ୟ ୧୮ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିବା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ, କନ୍ଧମାଳରେ ୨ ଦିନ ସ୍କୁଲ ଛୁଟି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସରକାରୀ ଏବଂ ବେସରକାରୀ ସ୍କୁଲ୍ଗୁଡ଼ିକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ବେଦ ଭୂଷଣ ଘୋଷଣା କରିଛନ୍ତି। ଲଗାଣ ବର୍ଷାରେ ଜୀବନ ଯାତ୍ରା ପ୍ରଭାବିତ ହେଉଥିବାରୁ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ମଧ୍ୟ ଅପିଲ୍ କରାଯାଇଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ ବୋଲି ପୂର୍ବାନୁମାନ ମିଳିଛି। ସେହିପରି ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗ ଅଧିକାରୀ କହିଛନ୍ତି ଯେ, “ପରିସ୍ଥିତି ଆଗାମୀ କିଛି ଦିନ ଅସ୍ଥିର ରହିବ, ସମସ୍ତେ ସତର୍କ ରହିବା ଆବଶ୍ୟକ।” ସେପଟେ ରାଜ୍ୟରେ ଦୁଇ ଦିନ ହେଲା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କିଛି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ପାଣିପାଗ ବିଭାଗ ସାଧାରଣ ଲୋକଙ୍କୁ ଆବଶ୍ୟକ ନ ହେଲେ ଘରୁ ବାହାରକୁ ନଯିବା, ଜଳବନ୍ଦୀ ଅଞ୍ଚଳରୁ ଦୂରେ ରହିବା ଏବଂ ବିଭାଗ ପକ୍ଷରୁ ଜାରି କରାଯାଉଥିବା ସତର୍କ ସୂଚନାକୁ ପାଳନ କରିବାକୁ ଅନୁରୋଧ କରିଛି।
