Keonjhar Bus Accident : ତେଲକୋଇରେ ଦୁର୍ଘଟଣା- ଗଛରେ ପିଟିହେଲା ବସ୍
କେନ୍ଦୁଝରରେ ଭୟଙ୍କର ବସ୍ ଦୁର୍ଘଟଣା! ଆଗଚକା ଫାଟି ଗଛରେ ପିଟିହେଲା ବସ୍।
କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଘଟିଛି ଏକ ବଡ଼ ଧରଣର ବସ୍ ଦୁର୍ଘଟଣା। ଯାତ୍ରୀବାହୀ ବସ୍ର ଆଗଚକା ହଠାତ୍ ଫାଟିଯିବାରୁ ବସ୍ଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ପରେ ଆହତମାନଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ସୂଚନା ଅନୁଯାୟୀ, କାଳିଆହତାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଦୁର୍ଗାମାଧବ ନାମକ ଯାତ୍ରୀବାହୀ ବସ୍ରେ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ତେବେ ଦେଉଳଡିହା ଛକ ନିକଟରେ ହଠାତ୍ ବସ୍ର ଆଗ ଚକା ଫାଟିଯାଇଥିଲା। ଫଳରେ ଚାଳକ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ବସ୍ଟି ସିଧାସଳଖ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା। ହଠାତ୍ ଘଟିଥିବା ଏହି ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀମାନଙ୍କୁ ବସ୍ରୁ ବାହାର କରାଯାଇ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ଆହତମାନଙ୍କ ଚିକିତ୍ସା ଚାଲିଛି । ତେବେ ହଠାତ୍ ଆଗଚକା ଫାଟିଯିବା ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଥିବାରୁ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
