Bus Conductor Humanity: ବସ୍ରେ ଛାଡ଼ିଗଲେ ୩ ଲକ୍ଷ, ଫେରାଇଲେ ମହିଳା କଣ୍ଡକ୍ଟର
ତେଲେଙ୍ଗାନାରେ ମହିଳା ବସ୍ କଣ୍ଡକ୍ଟରଙ୍କ ସଚ୍ଚୋଟତା ଓ ମାନବିକତାକୁ ନେଇ ଚାରିଆଡ଼େ ପ୍ରଶଂସା। ଶାଦନଗର ଡିପୋର TGSRTC କଣ୍ଡକ୍ଟର ସରିତା ବସ୍ରେ ଛାଡ଼ିଯାଇଥିବା ୩ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ସୁରକ୍ଷିତ ଭାବେ ଯାତ୍ରୀଙ୍କୁ ଫେରାଇଛନ୍ତି।

ହାଇଦ୍ରାବାଦ: ସଚ୍ଚୋଟତା ଓ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (TGSRTC)ର ଜଣେ ମହିଳା କଣ୍ଡକ୍ଟର। ବସ୍ରେ ଯାତ୍ରୀ ଭୁଲବଶତଃ ଛାଡ଼ି ଯାଇଥିବା ୩ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ସୁରକ୍ଷିତ ଭାବେ ଫେରାଇ ଦେଇ ସେ ପ୍ରଶଂସା ସାଉଁଟିଛନ୍ତି।
ସୂଚନା ଅନୁସାରେ, ଶାଦନଗର ଡିପୋର ବସ୍ରେ ଶାଦନଗରର ବ୍ୟବସାୟୀ ଜାହାଙ୍ଗୀର ନିଜ ପତ୍ନୀଙ୍କ ସହ ହାଇଦ୍ରାବାଦ ଯାଉଥିଲେ। ଉଭୟ ହଜ୍ ଯାତ୍ରାରେ ଯିବା ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଅଫଜଲଗଞ୍ଜ ବସ୍ଷ୍ଟାଣ୍ଡରେ ଓହ୍ଲାଇଥିଲେ। ତେବେ ତରବରିଆରେ ସେମାନେ ୩ ଲକ୍ଷ ଟଙ୍କା ଥିବା ବ୍ୟାଗ୍ଟି ବସ୍ ଭିତରେ ଛାଡ଼ି ଯାଇଥିଲେ। ବସ୍ ଆଗକୁ ଯିବା ପରେ କଣ୍ଡକ୍ଟର ସରିତାଙ୍କ ନଜର ବ୍ୟାଗ୍ ଉପରେ ପଡ଼ିଥିଲା। ସେ ତୁରନ୍ତ ଡ୍ରାଇଭର ନରସିଂହୁଲୁଙ୍କୁ ଏନେଇ ଜଣାଇଥିଲେ। ଉଭୟେ ବ୍ୟାଗ୍ଟିକୁ ସୁରକ୍ଷିତ ଭାବେ ରଖିଥିଲେ। ଅନ୍ୟପକ୍ଷରେ, ନିଜ ବ୍ୟାଗ୍ ଛାଡ଼ି ଆସିଥିବା ଜାଣିବା ପରେ ଜାହାଙ୍ଗୀର ପୁଣି ବସ୍ଷ୍ଟାଣ୍ଡକୁ ଫେରିଥିଲେ। ସେଠାରେ ଆବଶ୍ୟକ ଯାଞ୍ଚ ଓ ପ୍ରମାଣ ପରେ କଣ୍ଡକ୍ଟର ସରିତା ଓ ଡ୍ରାଇଭର ନରସିଂହୁଲୁ ଟଙ୍କା ଭର୍ତ୍ତି ବ୍ୟାଗ୍ଟି ତାଙ୍କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିଥିଲେ। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିବା ପରେ TGSRTC କର୍ମଚାରୀଙ୍କ ସଚ୍ଚୋଟତାକୁ ନେଇ ସବୁଆଡ଼େ ପ୍ରଶଂସା ହେଉଛି। ତେଲେଙ୍ଗାନା ପରିବହନ ମନ୍ତ୍ରୀ ପୋନ୍ନମ ପ୍ରଭାକର ମଧ୍ୟ କଣ୍ଡକ୍ଟର ସରିତା ଓ ଡ୍ରାଇଭର ନରସିଂହୁଲୁଙ୍କ ନିସ୍ୱାର୍ଥ ସେବା ଓ ସଚ୍ଚୋଟତାକୁ ପ୍ରଶଂସା କରିଛନ୍ତି। ଟଙ୍କା ପାଇବା ପରେ ନିଜ ସ୍ୱାର୍ଥ ନଦେଖାଇ ତାହାକୁ ପ୍ରକୃତ ମାଲିକଙ୍କୁ ଫେରାଇଦେବା—ଆଜିର ସମୟରେ କଣ୍ଡକ୍ଟର ସରିତାଙ୍କ ଏହି ମାନବିକତା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି।
