୩ ପିଲାଙ୍କୁ ଧରି ସାହାଯ୍ୟ ଆଶାରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ବଣ୍ଡା ମହିଳା
୩ ପିଲାଙ୍କୁ ଧରି ସରକାରୀ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବଣ୍ଡା ମହିଳା। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାରେ ଦେଖିବାକୁ ମିଳିଛି ଘଟଣା ।
ମାଲକାନଗିରି: ୩ ପିଲାଙ୍କୁ ଧରି ସରକାରୀ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବଣ୍ଡା ମହିଳା। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାରେ ଦେଖିବାକୁ ମିଳିଛି ଘଟଣା । ବଣ୍ଡା ଜନଜାତିର ଅସହାୟ ମହିଳା ସମ୍ବାରୀ କିର୍ସାନୀ। ସ୍ୱାମୀ ତାଙ୍କୁ ଓ ତିନି ସନ୍ତାନଙ୍କୁ ଛାଡ଼ି ଆନ୍ଧ୍ରପ୍ରଦେଶ ପଳାଇଯିବା ପରେ ଏବେ ସେ ଭଡ଼ା ଘରେ ରହି କୁଲି ମଜୁରୀ କରି ପରିବାର ଚଳାଉଛନ୍ତି। ଘର ଭଡ଼ା, ପିଲାଙ୍କ ଭରଣପୋଷଣ ଓ ପାଠପଢ଼ାର ଖର୍ଚ୍ଚ ବହନ କରିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ସୂଚନା ଅନୁସାରେ, ସମ୍ବାରୀ କିର୍ସାନୀ ୨୦୧୪ ମସିହାରେ ବିବାହ କରିଥିଲେ। ସେମାନଙ୍କର ତିନିଜଣ ସନ୍ତାନ ରହିଛନ୍ତି। ଗତ ଦଶହରା ସମୟରେ ସ୍ୱାମୀଙ୍କ ସହ ପାରିବାରିକ ବିବାଦ ପରେ ସ୍ୱାମୀ ଘର ଛାଡ଼ି ଆନ୍ଧ୍ରପ୍ରଦେଶ ଚାଲିଯାଇଥିଲେ। ସେହିଦିନଠାରୁ ସମ୍ବାରୀ ଏକାକୀ ତିନି ପିଲାଙ୍କ ଦାୟିତ୍ୱ ବହନ କରୁଛନ୍ତି। ସମ୍ବାରୀ ଦାବି ହେଉଛି, ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ସହ ରହିବା ପାଇଁ ଏକ ବାସଗୃହ ଯୋଗାଇ ଦିଆଯାଉ। ଅନ୍ୟପଟେ, ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏହା ଏକ ପାରିବାରିକ ବିବାଦ। ମହିଳାଙ୍କ ସମସ୍ୟାର ସମାଧାନ ପାଇଁ ଡିସିପିଓଙ୍କ ସହ ଆଲୋଚନା କରି କାଉନସେଲିଂ କରାଯିବ। ଏହାସହ ପୋଲିସରେ ମାମଲା ରୁଜୁ ହୋଇଥିବା ବେଳେ, ଛୋଟ ପିଲାମାନେ ବଡ଼ ହେଲେ ସେମାନଙ୍କୁ ସରକାରୀ ହଷ୍ଟେଲରେ ରଖି ପାଠପଢ଼ାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ଏବେ ଦେଖିବାକୁ ବାକି ରହିଲା, ଅସହାୟ ବଣ୍ଡା ମହିଳା ସମ୍ବାରୀ କିର୍ସାନୀଙ୍କୁ ପ୍ରଶାସନ କେବେ ଏବଂ କିପରି ସହାୟତା ଯୋଗାଇଦେଉଛି।
