ମନ୍ଦିର ଜମି ଜବରଦଖଲକୁ ନେଇ ଉତ୍ତେଜନା
ମନ୍ଦିର ଜମି ଜବରଦଖଲ ଅଭିଯୋଗ, ନୂଆ ଭୁବନ ଛକରେ ତୀବ୍ର ବିରୋଧ। ଶିବ ମନ୍ଦିର ଜମିକୁ ନେଇ ବିବାଦ, ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ଉଦ୍ୟମ ।
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ, ୱାର୍ଡ ନମ୍ବର-୨ ନୂଆ ଭୁବନ ଛକରେ ମନ୍ଦିର ଜମିକୁ ନେଇ ତୀବ୍ର ଉତ୍ତେଜନା। ସ୍ଥାନୀୟ ଶିବ ମନ୍ଦିରର ଅଧୀନରେ ଥିବା ଜମି ଜବରଦଖଲକୁ ନେଇ ମୁହାଁମୁହିଁ ହୋଇଛନ୍ତି ଗ୍ରାମବାସୀ ଓ ଜବରଦଖଲକାରୀ। ଅଭିଯୋଗ ଅନୁଯାୟୀ, ନୂଆ ଭୁବନ ଛକସ୍ଥିତ ଶିବ ମନ୍ଦିର ଅଧୀନରେ ଥିବା ସମ୍ପତ୍ତିକୁ ସ୍ୱର୍ଗତ ପ୍ରଦୀପ୍ତ କୁମାର ମିଶ୍ରଙ୍କ ସ୍ତ୍ରୀ ସୀମା ମିଶ୍ର ବେଆଇନ ଭାବେ ଜବରଦଖଲ କରି ରଖିଛନ୍ତି। ଏହି ଅଭିଯୋଗକୁ ନେଇ ନୂଆ ଭୁବନ ଗ୍ରାମବାସୀ ଏବଂ ମନ୍ଦିର କମିଟି ପକ୍ଷରୁ ଆପତ୍ତି ଉଠାଯିବା ପରେ ପରିସ୍ଥିତି ଧୀରେଧୀରେ ଗମ୍ଭୀର ହୋଇପଡ଼ିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଭୁବନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲା। ଅନ୍ୟପକ୍ଷରେ, ମନ୍ଦିର କମିଟି ଓ ଗ୍ରାମବାସୀଙ୍କ ଦାବି ହେଉଛି, ମନ୍ଦିର ଜମିରୁ ଜବରଦଖଲ ହଟାଯିବା ସହ ଜମିକୁ ସମ୍ପୂର୍ଣ୍ଣ ଭାବେ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରାଯାଉ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
