Odisha Politics Abt Orangutan: ଓରାଙ୍ଗଉଟାନ ଉଦ୍ଧାର ଘଟଣା: ଶାସକ ଓ ବିରୋଧୀ ଆରୋପ-ପ୍ରତ୍ୟାରୋପ
ଓରାଙ୍ଗଉଟାନକୁ ନେଇ ତେଜିଲା ରାଜନୀତି: CBI ତଦନ୍ତ ଦାବି କଲା BJD, BJP କହିଲା- ‘ଅଭିଯୋଗ କରୁଥିବା ନେତାଙ୍କ ସମ୍ପୃକ୍ତି ନାହିଁ ତ?’
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ବିରଳ ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ନେଇ ତେଜିଛି ରାଜ୍ଯ ରାଜନୀତି। ଘଟଣାର ତଦନ୍ତକୁ ନେଇ ବିରୋଧୀ ବିଜୁ ଜନତା ଦଳ (BJD) ସିବିଆଇ ତଦନ୍ତ ଦାବି କରିଥିବା ବେଳେ ଶାସକ ବିଜେପି ଏହାର ଜବାବ ରଖିଛି। ତଦନ୍ତ ଚାଲିଥିବା ସମୟରେ ଘଟଣାକୁ ରାଜନୀତିକରଣ କରିବା ଠିକ୍ ନୁହେଁ ବୋଲି ବିଜେପି କହିଛି। ଭୋଗରାଇ ବିଧାୟକ ତଥା ବିଜେଡି ନେତା ଗୌତମ ବୁଦ୍ଧ ଦାସ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଏହା କେବଳ ରାଜ୍ୟର ସୁରକ୍ଷା ପ୍ରସଙ୍ଗ ନୁହେଁ, ଦେଶର ତଟ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲଗାଇଛି ବୋଲି ସେ କହିଛନ୍ତି। ଗୌତମ ବୁଦ୍ଧ ଦାସଙ୍କ ଅଭିଯୋଗ ଅନୁସାରେ, ଘଟଣାକୁ ପାଞ୍ଚ ଦିନ ବିତିଥିଲେ ମଧ୍ୟ ତଦନ୍ତରୁ କୌଣସି କାରଣ ସାମ୍ନାକୁ ଆସିନାହିଁ। କିଛି ଲୋକଙ୍କୁ କେବଳ ପଚରାଉଚରା କରାଯାଇଛି ଏବଂ ତଦନ୍ତକାରୀ ଦଳର ହାତ ଏପର୍ଯ୍ୟନ୍ତ ଖାଲି ରହିଛି ବୋଲି ସେ ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ, ଓରାଙ୍ଗଉଟାନ ଭଳି ଏକ ବିରଳ ପ୍ରଜାତିର ଜନ୍ତୁ ଦୂର ଇଣ୍ଡୋନେସିଆ ଅଞ୍ଚଳରୁ ଭୋଗରାଇ ପର୍ଯ୍ୟନ୍ତ କିପରି ଆସିଲା, ତାହାର ଉତ୍ତର ମିଳିବା ଆବଶ୍ୟକ। ଘଟଣା ପଛରେ ଏକ ବଡ଼ ରାକେଟ୍ ଥିବା ଆଶଙ୍କା ପ୍ରକାଶ କରି ବିଧାୟକ ସିବିଆଇ ତଦନ୍ତ ଦାବି କରିଛନ୍ତି। ଯେଉଁ ରାସ୍ତା ଦେଇ ଏହି ଜନ୍ତୁ ବାଲେଶ୍ୱରରେ ପହଞ୍ଚିଲା, ସେହି ରାସ୍ତାରେ ଅନ୍ୟ ବଡ଼ ଧରଣର ଚୋରାଚାଲାଣ ହେଉଥିବା ସମ୍ଭାବନାକୁ ମଧ୍ୟ ତଦନ୍ତ ପରିସରକୁ ଆଣିବାକୁ ସେ ଦାବି କରିଛନ୍ତି।
ଅନ୍ୟପଟେ ବିଜେଡିର ଅଭିଯୋଗ ପରେ, ଏହାର ଜବାବ ଦେଇ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ଓରାଙ୍ଗଉଟାନ ଉଦ୍ଧାର ହୋଇଛି, ସେହି ଅଞ୍ଚଳର ବିଧାୟକ ଏଭଳି ଅଭିଯୋଗ କରିବା ପୂର୍ବରୁ ନିଜ ଅଞ୍ଚଳ ସହ ଜଡ଼ିତ କୌଣସି ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତେବେ ଓରାଙ୍ଗଉଟାନ ଘଟଣାରେ ସରକାର ସମ୍ବେଦନଶୀଳ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଏସ୍ଟିଏଫ୍ ଘଟଣାର ତଦନ୍ତ କରୁଛି ଏବଂ ଏନେଇ ନୋଟିସ୍ ମଧ୍ୟ ଜାରି ହୋଇଛି ବୋଲି ସେ ଦାବି କରିଛନ୍ତି। ତଦନ୍ତକୁ ତ୍ୱରାନ୍ୱିତ କରି ଘଟଣା ଉପରୁ ପରଦା ହଟାଇବା ପାଇଁ ସରକାର ପ୍ରୟାସ କରୁଥିବା ସେ କହିଛନ୍ତି। ଉଦ୍ଧାର ହୋଇଥିବା ଓରାଙ୍ଗଉଟାନକୁ ସୁରକ୍ଷିତ ରଖିବା ପାଇଁ ନନ୍ଦନକାନନରେ ବ୍ୟବସ୍ଥା କରାଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ଏହା ସହ ଆହୁରି ମଧ୍ଯ କହିଛନ୍ତି ଯେ, ତଦନ୍ତ ଚାଲିଥିବା ସମୟରେ ଘଟଣାକୁ ରାଜନୀତିକରଣ କରିବା ଏବଂ ଲୋକଙ୍କ ମଧ୍ୟରେ ଭୁଲ ଧାରଣା ସୃଷ୍ଟି କରିବା ନିନ୍ଦନୀୟ। ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଏବଂ ତଦନ୍ତରୁ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।
ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ନେଇ ଏବେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜୋର ଧରିଛି। ତଦନ୍ତର ଅଗ୍ରଗତି ଏବଂ ଓରାଙ୍ଗଉଟାନ ବାଲେଶ୍ୱରକୁ କିପରି ଆସିଲା, ଏହାର ପ୍ରକୃତ ରହସ୍ୟ କେବେ ଖୋଲୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
