Bhandaripokhari Durga Puja: ମହାନବମୀରେ ଭଣ୍ଡାରିପୋଖରୀରେ ଭକ୍ତିମୟ ପରିବେଶ
ମହାନବମୀରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ମା’ ଜାଗୁଳାଇ ଓ ସରସଦା ପୂଜା ମଣ୍ଡପରେ ଭକ୍ତିମୟ ପରିବେଶ। ଗୋଟିଏ ପୀଠରେ ୩୫ ବର୍ଷର ପରମ୍ପରା, ଅନ୍ୟପଟେ ରାବଣ ପୋଡ଼ିର ଆକର୍ଷଣକୁ ନେଇ ବଢ଼ୁଛି ଉତ୍ସାହ।
ଭଣ୍ଡାରିପୋଖରୀ:ଶାରଦୀୟ ଦୁର୍ଗାପୂଜାର ମହାନବମୀ ଅବସରରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳର ମା’ ଜାଗୁଳାଇଙ୍କ ପୀଠ ଓ ସରସଦା ପୂଜା ମଣ୍ଡପ ଚଳଚଞ୍ଚଳ ହୋଇଉଠିଛି। ଉଭୟ ପୀଠରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ନିଷ୍ଠା ଓ ଭକ୍ତିର ସହ ଚାଲିଛି। ସକାଳୁ ମହାସ୍ନାନ, ଷୋଡ଼ଶୋପଚାର ପୂଜା, ହବନ ଓ ଆଳତି ଆଦି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ମନ୍ତ୍ରୋଚ୍ଚାରଣ, ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ଚଣ୍ଡୀପାଠରେ ପୂଜାମଣ୍ଡପଗୁଡ଼ିକର ପରିବେଶ ଭକ୍ତିମୟ ହୋଇଉଠିଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଆଖପାଖ ପଞ୍ଚାୟତ ଓ ଗ୍ରାମରୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ପରିବାର ସହ ନୂଆ ପୋଷାକ ପିନ୍ଧି ଛୋଟ ପିଲାଙ୍କଠାରୁ ଯୁବକଯୁବତୀ ପର୍ଯ୍ୟନ୍ତ ସମସ୍ତେ ମଣ୍ଡପକୁ ଆସୁଛନ୍ତି। ବିଭିନ୍ନ ପୂଜାମଣ୍ଡପରେ କୁମାରୀ ପୂଜା ଓ କନ୍ୟା ପୂଜାର ପରମ୍ପରା ମଧ୍ୟ ପାଳନ କରାଯାଉଛି।
ଭଣ୍ଡାରିପୋଖରୀର ଏକ ପ୍ରମୁଖ ଐତିହାସିକ ପୀଠ ମା’ ଜାଗୁଳାଇଙ୍କ ମଣ୍ଡପରେ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେଉଛି ‘ରାବଣ ପୋଡ଼ି’। ଏଥିପାଇଁ ବିଶାଳ ରାବଣ ପ୍ରତିକୃତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆକର୍ଷଣୀୟ ଆଲୋକସଜ୍ଜା ଓ ରଙ୍ଗବେରଙ୍ଗ ଆତସବାଜିର ବ୍ୟବସ୍ଥା କରାଯାଉଛି। ଏହାକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ସମାଗମ ହେବାର ଆଶା ରହିଛି। ଅନ୍ୟପଟେ ସରସଦା ପୂଜା ମଣ୍ଡପରେ ଦୀର୍ଘ ୩୫ ବର୍ଷର ପରମ୍ପରା ଅନୁଯାୟୀ ମା’ ଦୁର୍ଗାଙ୍କ ୩୫ତମ ବାର୍ଷିକ ପୂଜୋତ୍ସବ ପାଳନ କରାଯାଉଛି। ଗ୍ରାମବାସୀ ଓ ପୂଜା କମିଟି ପକ୍ଷରୁ ଉତ୍ସବ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଉଭୟ ପୀଠରେ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ କମିଟି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

