LIQUOR SEIZED: ଅଙ୍ଗନବାଡ଼ି ପରିସର ପାଇଖାନାରୁ ମଦ ଡିପୋ
ଭଦ୍ରକରେ ଅବକାରୀ ବିଭାଗର ଚଢ଼ାଉ। ଅଙ୍ଗନବାଡ଼ି କେନ୍ଦ୍ର ନିକଟ ପରିତ୍ୟକ୍ତ ପାଇଖାନାରେ ମଦ ଡିପୋ, ୧୫ ବସ୍ତାରୁ ଅଧିକ ଦେଶୀ ମଦ ଜବତ।
ଭଦ୍ରକ: ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଦେଶୀ ମଦ ଡିପୋ! ପରିତ୍ୟକ୍ତ ପାଇଖାନା ଘରେ ମଦ ମହଜୁଦ ରଖାଯାଇଥିବା ନେଇ ଚଢ଼ାଉ କରିଛି ଭଦ୍ରକ ଅବକାରୀ ବିଭାଗ। ଚଢ଼ାଉ ବେଳେ ୧୫ ବସ୍ତାରୁ ଅଧିକ ଦେଶୀ ମଦ ଜବତ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ କଟସାହି ପଞ୍ଚାୟତର ମୁଦୁଲିସାହି ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଥିବା ଏକ ପରିତ୍ୟକ୍ତ ପାଇଖାନା ଘରେ ଦେଶୀ ମଦ ମହଜୁଦ ରଖାଯାଇଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା। ପରେ ଅଚାନକ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ସୂଚନା ଅନୁସାରେ, ଅଙ୍ଗନବାଡ଼ି କେନ୍ଦ୍ରର ଏକ ପରିତ୍ୟକ୍ତ ପାଇଖାନା ଘରକୁ ଦେଶୀ ମଦ ମହଜୁଦ ରଖିବା ପାଇଁ ଡିପୋ ଭାବେ ବ୍ୟବହାର କରାଯାଉଥିଲା।
ତେବେ ଏହି ମଦ କିଏ ରଖିଥିଲା ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି। ଘଟଣା ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ କହିଛନ୍ତି ଯେ, ଏ ବିଷୟରେ ସେ କିଛି ଜାଣିନାହାନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ସ୍ଥାନରେ ରାତି ହେଲେ ଅସାମାଜିକ ବ୍ୟକ୍ତିଙ୍କ ଭିଡ଼ ଜମୁଥିବା ଅଭିଯୋଗ ରହିଛି। ଅଙ୍ଗନବାଡ଼ି କେନ୍ଦ୍ର ଭଳି ସମ୍ବେଦନଶୀଳ ସ୍ଥାନ ନିକଟରୁ ଏଭଳି ବେଆଇନ ମଦ ଜବତ ହେବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅବକାରୀ ବିଭାଗ ପକ୍ଷରୁ ଘଟଣାର ଅଧିକ ତଦନ୍ତ କରାଯାଉଛି।
