ବେଙ୍ଗାଲୁରୁରେ ପଥର ଖଣି ଦୁର୍ଘଟଣା: ୭ ମୃତ, ଅନେକ ଫସିଥିବା ଆଶଙ୍କା
ଦକ୍ଷିଣ ଅଞ୍ଚଳର ମାଦାପାଟନା ଗାଁ ନିକଟରେ କାଭେରୀ କ୍ରସର ପଥର ଖଣିରେ କାମ ଚାଲୁଥିବା ସମୟରେ ପ୍ରାୟ ୪୦ ଫୁଟ୍ ଉପରୁ ଏକ ବିଶାଳ ପଥର ଶ୍ରମିକମାନଙ୍କ ଉପରେ ପଡ଼ିଥିଲା। ଫଳରେ ଅନେକ ଶ୍ରମିକ ଚାପି ହୋଇଯାଇଥିବାବେଳେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ, ସହ ୫ ଜଣ ଗୁରୁତର ଆହତ ।

ବେଙ୍ଗାଲୁରୁ: ଦକ୍ଷିଣ ଅଞ୍ଚଳର ମାଦାପାଟନା ଗାଁ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। କାଭେରୀ କ୍ରସର ନାମକ ପଥର ଖଣିରେ କାମ ଚାଲୁଥିବା ସମୟରେ ପ୍ରାୟ ୪୦ ଫୁଟ୍ ଉପରୁ ଏକ ବିଶାଳ ପଥର ଶ୍ରମିକମାନଙ୍କ ଉପରେ ପଡ଼ିଥିଲା। ଫଳରେ ଅନେକ ଶ୍ରମିକ ଚାପି ହୋଇଯାଇଥିବାବେଳେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ, ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ଦକ୍ଷିଣ ତାଲୁକର ମାଦାପାଟନା ଗାଁ ନିକଟରେ ଗୁରୁବାର ସକାଳ ପ୍ରାୟ ୬ଟା ୩୦ ମିନିଟରେ କାଭେରୀ କମ୍ପାନି କ୍ରସର ଖଣିରେ ପଥର ଧସିବା ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ପ୍ରାୟ ୨୦ ଜଣ ଶ୍ରମିକ ଖଣି କାର୍ଯ୍ୟରେ ନିୟୋଜିତ ଥିଲେ। ହଠାତ୍ ଉପର ଭାଗରେ ଖଣି କାର୍ଯ୍ୟ ଚାଲୁଥିଲା ବେଳେ ପଥର ଧସି ପଡ଼ିବାରୁ ତଳେ କାମ କରୁଥିବା ଶ୍ରମିକମାନେ ଚାପି ହୋଇଯାଇଥିଲେ। ଦୁର୍ଘଟଣାରେ ଅନେକ ଶ୍ରମିକ ତଳେ ଫସିଥିବା ଆଶଙ୍କା ରହିଛି। ରେସ୍କ୍ୟୁ ଟିମ୍ ଓ ପୋଲିସ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ବିହାର ଓ କର୍ଣ୍ଣାଟକର ୟାଦଗିର ଜିଲ୍ଲାର ପ୍ରବାସୀ ଶ୍ରମିକ ବୋଲି ଜଣାପଡ଼ିଛି। ପୋଲିସ୍ ଖଣି ମାଲିକକୁ ପଚରାଉଚରା ପାଇଁ ଅଟକ ରଖିଛି ଏବଂ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଧସା ତଳେ ଆହୁରି ଶ୍ରମିକ ଥିବା ଆଶଙ୍କାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ପୋଲିସ୍ ସୂଚନା ଦେଇଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି। ଖନନକାରୀ ପର୍ଶୁରାମଙ୍କ ସୂଚନା ଅନୁଯାୟୀ, ପଥର ଖଣି ତଳେ ୧୪ ଜଣ ଶ୍ରମିକ କାମ କରୁଥିଲେ। ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନେ ପଥର ତଳେ ଚାପି ହୋଇ ରହିଛନ୍ତି। ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଲାସି କାର୍ଯ୍ୟ ଜାରି ରଖିଛନ୍ତି।
