ବଲାଙ୍ଗିରରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା ଅଭିଯୋଗ, ପୂଜାସ୍ଥଳ ନିକଟରୁ କଟାମୁଣ୍ଡ ଉଦ୍ଧାର
ଆଧୁନିକ ଯୁଗରେ ଅନ୍ଧବିଶ୍ୱାସର ଭୟଙ୍କର ପରିଣତି। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳର ବଗଡ଼ା ଗାଁରେ ଚାଞ୍ଚଲ୍ୟ। ଯୁବକଙ୍କୁ ହତ୍ୟା ଅଭିଯୋଗ, ପୂଜାସ୍ଥଳ ନିକଟରୁ କଟାମୁଣ୍ଡ ଉଦ୍ଧାର।
ବଲାଙ୍ଗିର: ଆଧୁନିକ ଯୁଗରେ ଅନ୍ଧବିଶ୍ୱାସର ଭୟଙ୍କର ପରିଣତି ଅଭିଯୋଗ। ଘର ଭିତରେ ଜଣେ ଯୁବକଙ୍କୁ ହତ୍ୟା କରି ତାଙ୍କ କଟାମୁଣ୍ଡକୁ ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳର ବଗଡ଼ା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଟେବେଡ଼ାମୁଣ୍ଡା ଗାଁର ସନ୍ତୋଷ ଖରସେଲ ବୋଲି ଜଣାପଡ଼ିଛି। ଘଟଣାରେ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ହତ୍ୟା ପଛରେ ଅନ୍ଧବିଶ୍ୱାସ ଓ ତନ୍ତ୍ରସାଧନାର ଭୂମିକା ଥିବା ନେଇ ସନ୍ଦେହ ହୋଇଥିବାବେଳେ ପୋଲିସ ଘଟଣାର ବିଭିନ୍ନ ଦିଗ ତଦନ୍ତ କରୁଛି। ସୂଚନା ଅନୁସାରେ, ପ୍ରାୟ ତିନି ଦିନ ତଳେ ସନ୍ତୋଷ ଖରସେଲ ନିଖୋଜ ହୋଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ସେ ବଗଡ଼ା ଗାଁକୁ ଆସିଥିବା ଜାଣିବାକୁ ପାଇଥିଲେ। ପରେ ସେମାନେ ଶତ୍ରୁଘ୍ନ ସାହୁଙ୍କ ଘରକୁ ଯାଇଥିଲେ। ତେବେ ଘର ଭିତରକୁ ଯିବାକୁ ସେମାନଙ୍କୁ ଅନୁମତି ଦିଆଯାଇନଥିବା ଅଭିଯୋଗ ହୋଇଥିଲା। ଶନିବାର ସକାଳେ ବଗଡ଼ା ଗାଁ ନିକଟସ୍ଥ ଏକ ପୋଖରୀରୁ ସନ୍ତୋଷଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶତ୍ରୁଘ୍ନଙ୍କୁ ପଚରାଉଚରା କରିଥିଲା। ପୋଲିସ ସୂତ୍ର ଅନୁସାରେ, ପଚରାଉଚରା ସମୟରେ ଶତ୍ରୁଘ୍ନ ହତ୍ୟା ସମ୍ପର୍କରେ ସ୍ୱୀକାର କରିଥିବା ଜଣାପଡ଼ିଛି। ପରେ ଅଭିଯୁକ୍ତ ନିଜ ଘର ଭିତରେ ମାଟି ତଳେ ପୋତାଯାଇଥିବା ସନ୍ତୋଷଙ୍କ କଟାମୁଣ୍ଡ ଦେଖାଇଥିବା ସୂଚନା ମିଳିଛି। ଘର ଭିତରେ ତମ୍ବା ନାଗ ଓ ପଥର ରଖି ପୂଜା କରାଯାଉଥିବା ଏକ ସ୍ଥାନ ଥିବା ମଧ୍ୟ ଜଣାପଡ଼ିଛି। ସେହି ପୂଜାସ୍ଥଳ ନିକଟରୁ କଟାମୁଣ୍ଡ ପୋତାଯାଇଥିବା ଅଭିଯୋଗ ଘଟଣାକୁ ଆହୁରି ରହସ୍ୟମୟ କରିଛି। ଅଭିଯୋଗ ଅନୁସାରେ, ଶତ୍ରୁଘ୍ନ ସାହୁ ସିଙ୍ଗଡ଼ା ଖାଇବାକୁ କହି ସନ୍ତୋଷଙ୍କୁ ପ୍ରାୟ ୫ କିଲୋମିଟର ଦୂରରୁ ନିଜ ଘରକୁ ଡାକି ଆଣିଥିଲେ।
ଘର ଭିତରେ ପୂଜାପାଠ କରିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଏବଂ କଟାମୁଣ୍ଡକୁ ପୂଜାସ୍ଥଳ ନିକଟରେ ପୋତି ଦିଆଯାଇଥିବା ଅଭିଯୋଗ ରହିଛି। ଏହାପରେ ମୁଣ୍ଡବିହୀନ ମୃତଦେହକୁ ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ପୋଖରୀରେ ଫିଙ୍ଗି ଦିଆଯାଇଥିବା କୁହାଯାଉଛି। ପୋଲିସର ପ୍ରାଥମିକ ତଦନ୍ତରେ ଘଟଣା ପଛରେ ଅନ୍ଧବିଶ୍ୱାସ କିମ୍ବା ତନ୍ତ୍ରସାଧନାର କୌଣସି ଭୂମିକା ରହିଛି କି, ସେନେଇ ତଦନ୍ତ କରାଯାଉଛି। ନିଜ ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ପୂଜାବିଧି କରିବା ଉଦ୍ଦେଶ୍ୟରେ ସନ୍ତୋଷଙ୍କୁ ବଳି ଦିଆଯାଇଥିବା ନେଇ ଅଭିଯୁକ୍ତ ପୋଲିସକୁ ସୂଚନା ଦେଇଥିବା ମଧ୍ୟ ଜଣାପଡ଼ିଛି। ଶତ୍ରୁଘ୍ନ ନିୟମିତ ମଦ୍ୟପାନ କରୁଥିବା ଓ ଅସ୍ୱାଭାବିକ ଆଚରଣ କରୁଥିବା ତାଙ୍କ ପରିବାର ଲୋକେ କହିଥିବା ସୂଚନା ମିଳିଛି। ପ୍ରାୟ ୧୦ ବର୍ଷ ହେଲା ତାଙ୍କ ସ୍ତ୍ରୀ ଓ ପୁଅ ତାଙ୍କଠାରୁ ଅଲଗା ରହୁଥିବା ମଧ୍ୟ ଜଣାପଡ଼ିଛି। ଘଟଣାକୁ ନେଇ ବଗଡ଼ା ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି। ହତ୍ୟାର ପ୍ରକୃତ କାରଣ, ବଳି ଅଭିଯୋଗର ସତ୍ୟତା ଏବଂ ଏଥିରେ ଅନ୍ଧବିଶ୍ୱାସ କିମ୍ବା ତନ୍ତ୍ରସାଧନାର ଭୂମିକା ରହିଛି କି ନାହିଁ—ତଦନ୍ତ ପରେ ଏହା ସ୍ପଷ୍ଟ ହେବ। ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
