Conspiracy Murder Plan From CID:କ୍ରାଇମ ସୋ ସିଆଇଡି ଦେଖି କ୍ରାଇମ୍ କଲେ ପତି ପତ୍ନୀ..
ପୁଲିସ ୨ହଜାରରୁ ଅଧିକ ଗାଡ଼ିର ଯାଞ୍ଚ, ପ୍ରାୟ ୬ଶହ ସିସିଟିଭି କ୍ୟାମେରାକୁ ଛାନଭିନ୍ ଓ ସର୍ଭେଲାନ୍ସ ଜରିଆରେ ଏହି ବ୍ଲାଇଣ୍ଡ ମର୍ଡର କେସ ଉପରୁ ପରଦା ଉଠାଇଛି।ସିଆଇଡି ଦେଖି ପୁଲିସରୁ ବର୍ତ୍ତିବାକୁ ଉପାୟ ଖୋଜିଥିଲା ଓ କ୍ରାଇମ ପାଟ୍ରୋଲ ଦେଖି ଘଟଣା ଘଟାଇବା ପରେ ନିଜ ପତ୍ନୀକୁ ବି ଏଥିରେ ସାମିଲ୍ କରିଦେଲା।

ବାଗପତରେ ୧୪ ବର୍ଷୀୟା ନାବାଳିକାର ଅଧାପୋଡ଼ା ଶବ ଜବତ ଘଟଣାରେ ପୁଲିସ ଯେଉଁ ଖୁଲାସା କରିଛି, ତାହା ସମସ୍ତଙ୍କୁ ଚକିତ କରିଛି। ଏହା ଏମିତି ଏକ ବ୍ଲାଇଣ୍ଡ ମର୍ଡର ମାମଲା ଥିଲା, ଯାହାର ଖୁଲାସା କରିବା ପୁଲିସ ଲାଗି ବଡ଼ ଆହ୍ୱାନ ଥିଲା। ପୁଲିସ ମୁତାବକ, ହତ୍ୟା ଷଡ଼ଯନ୍ତ୍ରକାରୀ ଟିଭି ସୋ ସିଆଇଡି ଓ କ୍ରାଇମ ପାଟ୍ରୋଲ ଦେଖି ପୁଲିସରୁ ବର୍ତ୍ତିବାକୁ ଉପାୟ ଖୋଜିଥିଲା ଓ ଘଟଣା ଘଟାଇବା ପରେ ନିଜ ପତ୍ନୀକୁ ବି ଏଥିରେ ସାମିଲ୍ କରିଦେଲା। ହତ୍ୟା ପରେ ଅଭିଯୁକ୍ତ ପତି ପତ୍ନୀ ଶବକୁ ସ୍କୁଟିରେ ରଖି ଦିଲ୍ଲୀ ଏକ୍ସପ୍ରେସ ଓ୍ୱେ ରାସ୍ତା ଦେଇ ବାଗପତ୍ ପହଞ୍ଚିଥିଲେ। ଆଉ ପରିଚୟ ଲୁଚାଇବାକୁ ଶବର ଚେହେରାରେ ଏସିଡ୍ ଢାଳିଦେଇଥିଲେ। ଆଉ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଏ ସବୁ କାଣ୍ଡ କାରଖାନା ପରେ ଦୁହେଁ ହାଥରସରେ ଯାଇ ଲୁଚିଥିଲେ। ପୁଲିସ ୨ହଜାରରୁ ଅଧିକ ଗାଡ଼ିର ଯାଞ୍ଚ, ପ୍ରାୟ ୬ଶହ ସିସିଟିଭି କ୍ୟାମେରାକୁ ଛାନଭିନ୍ ଓ ସର୍ଭେଲାନ୍ସ ଜରିଆରେ ଏହି ବ୍ଲାଇଣ୍ଡ ମର୍ଡର କେସ ଉପରୁ ପରଦା ଉଠାଇଛି। ମାମଲା ଅଗଷ୍ଟ ୧୩ର। ବାଗପତ ଏନଏଚ- ୭୦୯ବି ଦିଲ୍ଲୀ ସହାରନପୁର ହାଇଓ୍ୱେ ନିକଟସ୍ଥ କାଠା ଗାଁର ମଶାଣୀ କାନ୍ଥକୁ ଲାଗି ଜଣେ ନାବାଳିକାର ଅଧାପୋଡ଼ା ଶବ ମିଳିଥିଲା। ଶବର ଅବସ୍ଥା ଏମିତି ଥିଲା କି, ଏହାକୁ ଚିହ୍ନିବା ମୁସ୍କିଲ ଥିଲା। ଏହି ମର୍ଡର ମାମଲାର ଖୁଲାସା ଲାଗି SWAT ଟିମ୍ କୁ ଆକ୍ଟିଭ କରିଥିଲେ ବାଗପତ ଏସପି ସୁରଜ ରାୟ। ସିସିଟିଭି ଫୁଟେଜ ଘାଣ୍ଟିବା ବେଳେ ପୁଲିସ ଦେଖିଥିଲା ଯେ, ବିନା ନମ୍ୱରରେ ଧଳା ରଙ୍ଗର ସ୍କୁଟିରେ ଜଣେ ପୁରୁଷ ଓ ମହିଳା ପ୍ରାୟ ୨ ବର୍ଷର ଛୁଆ ସହ ଥିଲେ। ଏହି ସ୍କୁଟି ହିଁ ପୁଲିସ ଯାଞ୍ଚର ସବୁଠୁ ବଡ଼ ଆଧାର ସାଜିଲା। ପୁଲିସକୁ ଜଣାପଡ଼ିଲା ଯେ, ସନ୍ଦିଗ୍ଧ ବ୍ୟକ୍ତି ଦିଲ୍ଲୀର ଶାସ୍ତ୍ରୀ ପାର୍କ ଉସମାନପୁରୀ ଏରିଆରେ ଭଡ଼ାରେ ରହୁଛି। ପୁଲିସ ଟିମ୍ ସେଠାରେ ପହଞ୍ଚି ଘର ମାଲିକଙ୍କୁ ପଚରାଉଚୁରା କରିଥିଲା। ଜାଣିବାକୁ ପାଇଥିଲା ଯେ, ଅମନ ସାଗର ନାମକ ଯୁବକ ଘର ଭଡ଼ାରେ ନେଇଥିଲା। ସେ ନିଜ ପତ୍ନୀ ରଚନା, ଦୁଇ ବର୍ଷର ଝିଅ ଓ ୧୪ ବର୍ଷର ନାବାଳିକା ପରୀ ସହ ଘରେ ରହୁଥିଲା। ଅଗଷ୍ଟ ୧୩ରେ ହିଁ ସେମାନେ ଘର ଖାଲି କରି ଚାଲିଯାଇଥିଲେ। ଆଉ ଘର ମାଲିକ ଦେଖାଇଥିବା ଦସ୍ତାବିଜ ଅନୁସାରେ, ଅମନର ଘର ମଥୁରାରେ। ଏହା ପରେ ପୁଲିସକୁ ଆଉ ଏକ ପ୍ରମାଣ ମିଳିଥିଲା। ଏପ୍ରିଲ ୧୭, ୨୦୨୬ରେ ମଥୁରା ହାଇଓ୍ୱେ ଥାନାରେ ୧୪ ବର୍ଷୀୟା ପରୀର ଅପହରଣ ମାମଲା ଅମନ ବିରୁଦ୍ଧରେ ରୁଜୁ ହୋଇଥିଲା। ଏହାର ଅର୍ଥ ଦିଲ୍ଲୀରେ ଅର୍ଦ୍ଧଦଗ୍ଧ ଶବ ଓ ଅମନ ସହ ରହୁଥିବା ନାବାଳିକା ହିଁ ପରୀ ବୋଲି ପୁଲିସ ନିଶ୍ଚିତ ହୋଇଥିଲା। ଏହା ପରେ ହାଥରସରୁ ଅମନ ଓ ରଚନାକୁ ପୁଲିସ ଗିରଫ କରିଥିଲା। ପୁଲିସ ମୁତାବକ, ଅମନ ଓ ତାଙ୍କ ପତ୍ନୀ ରଚନା ମଥୁରାରେ ପରୀ ଘର ସାମ୍ନାରେ କପଡ଼ା ଦୋକାନ କରିଥିଲେ। ଅମନ ସହ ପରୀର ପରିଚୟ ବଢ଼ିଥିଲା। ଅମନର ୨ ବର୍ଷର ଝିଅର ଦେଖାଶୁଣା କରିବାରେ ସାହାଯ୍ୟ କରୁଥିଲା ପରୀ। ଅମନ ଓ ପରୀ ଭିତରେ ପ୍ରେମସମ୍ପର୍କ ବଢ଼ିଥିଲା। ଏହାକୁ ନେଇ ଅମନ ଓ ରଚନା ଭିତରେ ବିବାଦ ବଢ଼ିଥିଲା। ଆଉ ଏହି ବିବାଦରୁ ଦୁହେଁ ପରୀକୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିଲେ। ଅମନ ଓ ରଚନା ପରୀର ଗଳାଚିପି ହତ୍ୟା କରି ବସ୍ତାରେ ପ୍ୟାକିଂ କରିଥିଲେ। ଏହା ପରେ ଶବକୁ ସ୍କୁଟିରେ ନେଇ ଶାସ୍ତ୍ରୀ ପାର୍କ ପାଖ ମଶାଣୀ କଡ଼କୁ ଫିଙ୍ଗିଦେଇଥିଲେ।
