ଆରଡ଼ି ପୀଠରେ ଧୁମଧାମରେ ସମ୍ପନ୍ନ ହେଲା ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ
ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଆରଡ଼ି ପୀଠରେ ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ଉତ୍ସବ ଧୁମଧାମରେ ସମ୍ପନ୍ନ ।ଆଖଣ୍ଡଳମଣିଙ୍କ ପୀଠରେ ମଧ୍ୟରାତ୍ରରେ ଦେବଦମ୍ପତି ବିବାହ ପରେ ଯୁଗୋଳମୂର୍ତ୍ତୀଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାରହଜାର ଭକ୍ତଙ୍କ ସମାଗମ ।
ଭଦ୍ରକ : ଆଖଣ୍ଡଳମଣିଙ୍କ ଶିବ ବିବାହ ଉତ୍ସବ ଧୁମଧାମରେ ସମ୍ପନ୍ନ । ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଆରଡ଼ି ପୀଠରେ ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ଉତ୍ସବ ଧୁମଧାମରେ ସମ୍ପନ୍ନ ହୋଇଯାଇଛି । ବାବା ଆଖଣ୍ଡଳମଣିଙ୍କ ପୀଠରେ ମଧ୍ୟରାତ୍ରରେ ଦେବଦମ୍ପତି ବିବାହ ପରେ ଯୁଗୋଳମୂର୍ତ୍ତୀଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାରହଜାର ଭକ୍ତଙ୍କ ସମାଗମ ହୋଇଥିଲେ । ଶୁକ୍ରବାର ଅପରାହ୍ନରୁ ବିବାହ ଉତ୍ସବର ବିଭିନ୍ନ ନୀତିକାନ୍ତି ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟାରେ ବାବା ଆଖଣ୍ଡଳମଣି ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବା ପରେ ଦିଅଁ ମଙ୍ଗୁଳା ଓ ହଳଦୀପାଣି ନୀତି ସମ୍ପନ୍ନ ହୋଇଥିଲା । ସନ୍ଧ୍ୟା ୭ଟାରେ ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟ ଲିଳା ସନ୍ଧ୍ୟାରେ ମହାଦେବ ବର ରୂପେ ବିମାନରେ ବିଜେ କରି ବରାନୁଗମନ ଶୋଭାଯାତ୍ରାରେ ବାହାରିଥିଲେ। ଭାବେ କନ୍ୟାପିତା ଵିଚିତ୍ର ପାଢୀଙ୍କ ପକ୍ଷରୁ ମଣିବାବାଙ୍କୁ ବରଣ ନିମନ୍ତେ ପାର୍ବତୀଙ୍କ ଭାଇ ଭାବେ ପବନପୁତ୍ର ହନୁମାନ ବରଧରା ରୂପେ ଏକ ଶୋଭାଯାତ୍ରାରେ ବାହାରି ପୀଠ ଓ ମୁଖ୍ୟ ବଜାର ପରିକ୍ରମା କରିବା ପରେ ବରପିତା ଗଦାଧର ପାଢୀଙ୍କ ଘରେ ପହଞ୍ଚିବା ପରେ ବ୍ରାହ୍ମଣ ଓ ଜୋତିଷଙ୍କ ଦ୍ବାରା ବରଣ ନୀତି କରାଯାଇଥିଲା। ରାତ୍ର ୧ଟା ଯାଏଁ ଶୋଭାଯାତ୍ରା ଚାଲିବା ପରେ ମନ୍ଦିର ସମୁଖରେ ନିର୍ମିତ ବିବାହ ମଣ୍ଡପରେ ଦେବଦମ୍ପତିଙ୍କର ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଯୁଗଳମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥିଲା। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ, ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
