ଏକତରଫା ପ୍ରେମରୁ ଭୟଙ୍କର କାଣ୍ଡ: ପରିବାରର ୪ ଜଣଙ୍କୁ ଛୁରିରେ ଆକ୍ରମଣ, ଯୁବକ ଅଟକ
ବାଲେଶ୍ୱର ଔପଦା ଥାନା ଅନ୍ତର୍ଗତ ପାଟପୁର ଗାଁରେ ଏକତରଫା ପ୍ରେମକୁ କେନ୍ଦ୍ରକରି ଏକ ପରିବାରର ୪ ଜଣଙ୍କୁ ଧାରୁଆ ଛୁରିରେ ଆକ୍ରମଣ ଅଭିଯୋଗ। ଘରେ ପଶି ବାପା, ମା’, ଝିଅ ଓ ପୁଅଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୃଥ୍ୱୀରାଜ କରଙ୍କୁ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଛନ୍ତି। ଆହତ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ସୋର ଓ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ବାଲେଶ୍ୱର: ଏକତରଫା ପ୍ରେମକୁ କେନ୍ଦ୍ରକରି ଏକ ପରିବାରର ୪ ଜଣଙ୍କୁ ଧାରୁଆ ଛୁରିରେ ମରଣାନ୍ତକ ଆକ୍ରମଣ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ତଳକିଆ ଗ୍ରାମପଞ୍ଚାୟତର ପାଟପୁର ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ପାଟପୁର ଗାଁର କୃଷ୍ଣଚନ୍ଦ୍ର ସେଠୀଙ୍କ ଘରେ ଜଣେ ଯୁବକ ପଶି ତାଙ୍କ ସମେତ ପତ୍ନୀ ପ୍ରଭାସିନୀ ସେଠୀ, ଝିଅ ସୁଚିସ୍ମିତା ସେଠୀ ଓ ପୁଅ ଜ୍ୟୋତିର୍ମୟ ସେଠୀଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ସମୟରେ ପରିବାର ସଦସ୍ୟଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀ ଅଭିଯୁକ୍ତ ଯୁବକଙ୍କୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଔପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିଛି। ଆହତ ପରିବାରର ବାପା ଓ ପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରଥମେ ବାଲେଶ୍ୱର ହସ୍ପିଟାଲକୁ ପଠାଯାଇଥିଲା। ଅନ୍ୟପଟେ ମା’ ଓ ଝିଅଙ୍କୁ ଔପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶୁ ଚିକିତ୍ସା ପରେ ସୋର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଯୁବକ ଖଇରା ବ୍ଲକ ଗଣ୍ଡିବେଡ ଅଞ୍ଚଳର ଚକାପଦା ଶାସନର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ଦୀର୍ଘଦିନ ଧରି ଔପଦା ଅଞ୍ଚଳରେ ରହୁଥିବା ସୂଚନା ମିଳିଛି। ଏହି ଆକ୍ରମଣ ପଛରେ ଏକତରଫା ପ୍ରେମ ମୁଖ୍ୟ କାରଣ ବୋଲି ପ୍ରାଥମିକ ଭାବେ ଜଣାପଡ଼ିଥିବା ବେଳେ ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବ।
