Asika Panchayat Samiti: ଆସିକା ବ୍ଲକ ବୈଠକରେ ହୋହାଲ୍ଲା! ବିଧାୟକଙ୍କୁ ଘେରିଲେ ସରପଞ୍ଚ
ଦୀର୍ଘ ମାସ ପରେ ଆସିକା ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ବସିଥିବା ବେଳେ ଆରମ୍ଭରୁ ହିଁ ହୋହାଲ୍ଲା ହୋଇଥିଲା। ବ୍ଲକରେ ବିକାଶ କାର୍ଯ୍ୟ ଧିମେଇଥିବା, ଅଧିକାରୀମାନେ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରୁଥିବା ଓ କାର୍ଯ୍ୟ ବଣ୍ଟନରେ ପକ୍ଷପାତ ହେଉଥିବା ନେଇ ସରପଞ୍ଚ ଓ ସମିତି ସଭ୍ୟମାନେ ଅଭିଯୋଗ କରିଥିଲେ। ବହୁ ସରପଞ୍ଚ ବିଧାୟକ ସରୋଜ କୁମାର ପାଢ଼ୀଙ୍କୁ ଘେରିବା ସହ କଥା କଟାକଟି ହୋଇଥିଲା।
ଆସିକା: ଗଞ୍ଜାମ ଜିଲ୍ଲା ଆସିକା ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ଆଜି ଅନୁଷ୍ଠିତ ହୋଇଛି। ଦୀର୍ଘ ମାସ ପରେ ବସିଥିବା ଏହି ବୈଠକ ଆରମ୍ଭରୁ ହିଁ ହୋହାଲ୍ଲାରେ ପରିଣତ ହୋଇଥିଲା। ବିଭିନ୍ନ ସମସ୍ୟା ନେଇ ନିର୍ବାଚିତ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିବା ସହ ଜୋରଦାର ଭାବେ ସ୍ୱର ଉଠାଇଥିଲେ। ନୂତନ ସରକାର ଗଠନ ପରଠାରୁ ଆସିକା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ଧିମେଇ ଯାଇଥିବା ନେଇ ବୈଠକରେ ଅଭିଯୋଗ ଉଠିଥିଲା। ସରକାରୀ ଅଧିକାରୀମାନେ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରୁଥିବା ଏବଂ ଦଳୀୟ ଭିତ୍ତିରେ କାର୍ଯ୍ୟ ବଣ୍ଟନ ହେଉଥିବା ନେଇ କିଛି ପ୍ରତିନିଧି ଅଭିଯୋଗ କରିଥିଲେ। ଏହାର ପ୍ରଭାବ ସିଧାସଳଖ ପଞ୍ଚାୟତ ସ୍ତରରେ ପଡ଼ୁଥିବା ନେଇ ସରପଞ୍ଚ ଓ ସମିତି ସଭ୍ୟମାନେ ମତ ରଖିଥିଲେ। ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଥିବାରୁ ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡ଼ୁଥିବା ସେମାନେ କହିଥିଲେ। ବୈଠକ ଆରମ୍ଭରୁ ହିଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ବହୁ ସରପଞ୍ଚ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କୁ ଘେରି ନିଜ ନିଜ ସମସ୍ୟା ଉଠାଇଥିଲେ। ଏହାକୁ ନେଇ ବୈଠକରେ କଥା କଟାକଟି ମଧ୍ୟ ହୋଇଥିବା ଦେଖାଯାଇଥିଲା। ଫଳରେ କିଛି ସମୟ ପାଇଁ ବୈଠକରେ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଥିଲା। ନିର୍ବାଚିତ ପ୍ରତିନିଧିମାନେ ବ୍ଲକର ବିଭିନ୍ନ ବିକାଶମୂଳକ ସମସ୍ୟା, ଅଧିକାରୀଙ୍କ ଭୂମିକା ଓ କାର୍ଯ୍ୟ ବଣ୍ଟନ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ। ତେବେ ବୈଠକରେ ଉଠିଥିବା ଅଭିଯୋଗ ଉପରେ ପ୍ରଶାସନ ଓ ବିଧାୟକଙ୍କ ପକ୍ଷରୁ କି ପ୍ରତିକ୍ରିୟା ରହିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଦୀର୍ଘ ବ୍ୟବଧାନ ପରେ ଅନୁଷ୍ଠିତ ପଞ୍ଚାୟତ ସମିତିର ଏହି ସାଧାରଣ ଅଧିବେଶନରେ ଏଭଳି ହୋହାଲ୍ଲା ଆସିକା ବ୍ଲକରେ ବିକାଶ କାର୍ଯ୍ୟକୁ ନେଇ ରହିଥିବା ଅସନ୍ତୋଷକୁ ସାମ୍ନାକୁ ଆଣିଛି।

