Asian Games 2026: ଭାରୋତ୍ତୋଳନରେ ବାଜି ମାରିଲା ଭାରତ, ଚମକିଲେ ଚାନୁ
ବିଶ୍ୱସ୍ତରରେ ପୁଣି ଚମକିଲେ ଭାରତର ଝିଅ ! ହଜାରେ ଚ୍ୟାଲେଞ୍ଜ ପରେ ବି ଭାରତ ପାଇଁ ଲଢ଼ିଲେ ମୀରାବାଈ ଚାନୁ | ଭାରୋତ୍ତୋଳନରେ ଏସୀୟ ଖେଳର ନିଜର ପ୍ରଥମ ରୌପ୍ୟ ପଦକ ଭାରତ ନାଁରେ କଲେ ଚାନୁ | ୪୯ କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ୧୯୮ କିଲୋଗ୍ରାମ ଓଜନ ଉଠାଇଥିଲେ ମୀରାବାଈ |
" କଷ୍ଟ କଲେ କୃଷ୍ଣ ମିଳେ" କଥାଟିକୁ ପୁଣି ସତକରି ଦେଖାଇଛନ୍ତି ଭାରତର 'ୱାଣ୍ଡର ୱମେନ' ମୀରାବାଈ ଚାନୁ | ବୁଧବାର ଏସୀୟ କ୍ରୀଡ଼ାରେ ନିଜର ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି ଭାରତର ଷ୍ଟାର ଭାରୋତ୍ତୋଳକ ଚାନୁ । ଜାପାନର ନାଗୋୟା ସହରରେ ଆୟୋଜିତ ମହିଳା ୪୯ କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ନିଜର ପ୍ରଥମ ଏସୀୟ କ୍ରୀଡ଼ା ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସମାରୋହରେ ମୀରାବାଈ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇଥିଲେ। ପ୍ରତିସ୍ପର୍ଦ୍ଧା ଆରମ୍ଭରୁ ଜିତିବାର ଭୁତ ସବାର ଥିଲା ମୀରାବାଈଙ୍କ ମୁଣ୍ଡରେ,ସେ ସ୍ନାଚ୍ରେ ୮୭ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ନିଜ ପୁରା ବଳ ଲଗାଇ ୧୧୧ କିଲୋଗ୍ରାମ ଓଜନ ସଫଳତାର ସହ ଉଠାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେ ଚମତ୍କାର ପ୍ରଦର୍ଶନ ପୁରା ଷ୍ଟାଡିୟମ ତାଳିରେ କମ୍ପିଉଠିଥିଲା | ତେବେ,ଉତ୍ତର କୋରିଆର ରୀ ସୋଙ୍ଗ୍ ଗୁମ୍ ମୋଟ ୨୧୫ କିଲୋଗ୍ରାମ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଇଣ୍ଡୋନେସିଆର ଲୁଲୁକ୍ ଡିଆନା ବ୍ରୋଞ୍ଜ ପଦକ ପାଇଛନ୍ତି।
ତେବେ ମୀରାବାଈଙ୍କ ପାଇଁ ଏହି ବିଜୟ କେବଳ ଏକ ପଦକ ନୁହେଁ ବରଂ କଡା ଜବାବ ! ୨୦୨୩ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ଗଭୀର ଆଘାତ ଯୋଗୁଁ ଅତି ନିକଟରୁ ପଦକ ହରାଇ ଚତୁର୍ଥ ସ୍ଥାନରେ ରହିଥିଲେ ଚାନୁ । ତେବେ ଏହି ଅସଫଳତା ପରେ ଅନେକ ଆଙ୍ଗୁଳି ଉଠିଥିଲା ତାଙ୍କ ଉପରକୁ | ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ତଥା ପଦ୍ମଶ୍ରୀ ଓ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ୩୦ ବର୍ଷୀୟା ମୀରାବାଈ ପୂର୍ବରୁ ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିସାରିଛନ୍ତି। 119 କିଲୋଗ୍ରାମ ଉଠାଇ ୱାର୍ଲଡ ରେକର୍ଡ କରିଥିବା ମୀରାବାଈ ଏହି ଐତିହାସିକ ସଫଳତା ସହ ସେ ଭାରତୀୟ କ୍ରୀଡ଼ା ଜଗତରେ ପୁଣି ଥରେ ନିଜ ଗୌରବ ବୃଦ୍ଧି କରିଛନ୍ତି।
