ଘରେ ଘରେ ଜଳିବ ‘ଆଶୀର୍ବାଦ ଦୀପ’: ପ୍ରଭାତୀ ପରିଡ଼ା
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟବ୍ୟାପୀ ‘ଆଶୀର୍ବାଦ ଦୀପ’ କାର୍ଯ୍ୟକ୍ରମ। ସାମିଲ ହେବେ ୭୦ ଲକ୍ଷ ମହିଳା ।
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସେବା ପକ୍ଷ ଅବସରରେ ରାଜ୍ୟରେ ଆୟୋଜିତ ହେବ ‘ଆଶୀର୍ବାଦ ଦୀପ’ କାର୍ଯ୍ୟକ୍ରମ। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରାଯିବ। ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଜ୍ୟର ସମସ୍ତ ବ୍ଲକ୍ରେ ‘ଆଶୀର୍ବାଦ ଦୀପ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଅବସରରେ ଘରେ ଘରେ ମହିଳାମାନେ ଦୀପ ପ୍ରଜ୍ଜ୍ୱଳନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନରେନ୍ଦ୍ର ମୋଦୀଙ୍କ ୨୫ତମ ସୁଶାସନ ଅବସରକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ରାଜ୍ୟର ପ୍ରାୟ ୭୦ ଲକ୍ଷ ମହିଳା ଓ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଏଥିସହ ‘ଆଶୀର୍ବାଦ ଦୀପ’ ପ୍ରଜ୍ଜ୍ୱଳନର ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍ତି। #ଆଶୀର୍ବାଦ_କା_ଦିୟା ହାସଟ୍ୟାଗ୍ରେ ଫଟୋ ପୋଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି।
