Anganwadi Centre:ଅଙ୍ଗନୱାଡି କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ, ଦୁଇଦିନ ହେଲା ଝୁଲୁଛି ତାଲା
ଅଙ୍ଗନୱାଡିରେ ଖାଦ୍ୟ ନମିଳିବା ଅଭିଯୋଗରେ ଦୁଇଦିନ ଧରି କେନ୍ଦ୍ରରେ ତାଲା ପକାଇ ସମାଧାନ ଦାବି କରିଛନ୍ତି ଗ୍ରାମବାସୀ।

ଅଙ୍ଗନୱାଡି କେନ୍ଦ୍ରରେ ନିୟମିତ ଭାବେ ଖାଦ୍ୟ ମିଳୁନଥିବା ଅଭିଯୋଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏହାକୁ ନେଇ ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ଅଧୀନ କୁଆନାଳି ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଗ୍ରାମବାସୀ ତାଲା ପକାଇଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କେନ୍ଦ୍ରରେ ଛୋଟ ପିଲାମାନଙ୍କୁ ନିୟମିତ ଭାବେ ଖାଦ୍ୟ ଦିଆଯାଉନାହିଁ । ଏହା ସହିତ ଅଙ୍ଗନୱାଡି କେନ୍ଦ୍ରର ପରିଚାଳନା ନେଇ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗତ ଦୁଇଦିନ ଧରି ଗ୍ରାମବାସୀମାନେ ଅଙ୍ଗନୱାଡି କେନ୍ଦ୍ରର ଦିଦିଙ୍କୁ କେନ୍ଦ୍ରରୁ ବାହାର କରି ଦୁଇଟି ତାଲା ପକାଇଛନ୍ତି । ସମ୍ପୃକ୍ତ ଅଙ୍ଗନୱାଡି କର୍ମୀ ନିଜ କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତ କରିବା ସହ ଅଙ୍ଗନୱାଡିର ଅନ୍ୟାନ୍ୟ କାର୍ଯ୍ୟ କରିବା ପରିବର୍ତ୍ତେ ଅନ୍ୟ ଏକ ଅଙ୍ଗନୱାଡି କେନ୍ଦ୍ରରେ ଏସବୁ କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଘଟଣାକୁ ନେଇ ଗାଁରେ ଅସନ୍ତୋଷ ବଢ଼ିଥିବା ବେଳେ ଗ୍ରାମବାସୀ ନିଜ ଦାବିରେ ଅଡ଼ି ରହିଛନ୍ତି । ଗ୍ରାମବାସୀଙ୍କ କହିଛନ୍ତି,'ଉପରିସ୍ଥ ଅଧିକାରୀମାନେ ଗାଁକୁ ଆସି ସେମାନଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ କେନ୍ଦ୍ରର ତାଲା ଖୋଲାଯିବ ନାହିଁ |' ଏନେଇ ଗ୍ରାମବାସୀ ଚେତାବନୀ ଦେଇଛନ୍ତି |
