Roof Parking: ଏମିତି ବି ପାର୍କିଂ! ଦୁଇ ମହଲା ଛାତ ଉପରେ ସ୍କର୍ପିଓ
ଘରର ଦୁଇ ମହଲା ଛାତ ଉପରେ କ୍ରେନ୍ ସାହାଯ୍ୟରେ Mahindra Scorpio ପାର୍କିଂ। ଭିଡିଓ ସେୟାର କରି ଏହାକୁ ‘ନେକ୍ସଟ ଲେଭଲ ପାର୍କିଂ’ କହିଲେ ଆନନ୍ଦ ମହିନ୍ଦ୍ରା।
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିଜର ରୋଚକ ଓ ଚର୍ଚ୍ଚିତ ପୋଷ୍ଟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ପୁଣିଥରେ ଏକ ଭିଡିଓକୁ ନେଇ ଚର୍ଚ୍ଚାରେ। ଏଥର ଏକ୍ସରେ ସେୟାର କରିଥିବା ଏକ ଭିଡିଓରେ ଘରର ଦୁଇ ମହଲା ଛାତ ଉପରେ ମହିନ୍ଦ୍ରା ସ୍କର୍ପିଓ କ୍ଲାସିକ୍ ପାର୍କିଂ କରାଯାଉଥିବା ଦେଖିବାକୁ ମିଳିଛି। ଭିଡିଓରେ କ୍ରେନ୍ ସାହାଯ୍ୟରେ ଏକ ମହିନ୍ଦ୍ରା ସ୍କର୍ପିଓ କ୍ଲାସିକ୍କୁ ଉଠାଇ ଘରର ଛାତ ଉପରକୁ ନିଆଯାଉଛି। ପରେ ଏହାକୁ ଛାତ ଉପରେ ପାର୍କ କରାଯାଉଛି। ଏହି ଦୃଶ୍ୟକୁ ନେଇ ଆନନ୍ଦ ମହିନ୍ଦ୍ରା ଏହାକୁ ‘ନେକ୍ସଟ ଲେଭଲ ପାର୍କିଂ’ ବୋଲି କହିଛନ୍ତି। ଆନନ୍ଦ ମହିନ୍ଦ୍ରାଙ୍କ ପୋଷ୍ଟ ଅନୁସାରେ, ବିହାରର ଗୋପାଳଗଞ୍ଜର ମନୋଜ ଯାଦବ ଇସ୍ରାଏଲରେ କାମ କରନ୍ତି। ସେ ନିକଟରେ ଏକ ମହିନ୍ଦ୍ରା ସ୍କର୍ପିଓ କ୍ଲାସିକ୍ କିଣିଥିଲେ। ତେବେ ପରିବାରର କେହି ଗାଡ଼ି ଚଳାଇବା ଶିଖିନଥିବାରୁ ଗାଡ଼ିକୁ ସୁରକ୍ଷିତ ରଖିବା ପାଇଁ ଘରର ଛାତକୁ ପାର୍କିଂ ସ୍ଥାନ ଭାବେ ବ୍ୟବହାର କରାଯାଇଥିବା ସୂଚନା ମିଳିଛି। ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ, ସ୍କର୍ପିଓ ଯେକୌଣସି ସ୍ଥାନରେ ଚଢ଼ିପାରିବ ବୋଲି ସେ ଜାଣିଥିଲେ। କିନ୍ତୁ ଏଠାରେ ଏହାକୁ ଆଉ ଏକ ପାଦ ଆଗକୁ ନିଆଯାଇଛି। ସେ ପରିବାରର ଉପସ୍ଥିତ ବୁଦ୍ଧି ଓ ଗାଡ଼ି ପ୍ରତି ଥିବା ଭଲପାଇବାର ପ୍ରଶଂସା କରିଛନ୍ତି।
ତେବେ ଏହା ସହିତ ଆନନ୍ଦ ମହିନ୍ଦ୍ରା ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତା ମଧ୍ୟ ପ୍ରକାଶ କରିଛନ୍ତି। ଏତେ ଓଜନର ଗାଡ଼ିକୁ ଛାତ ଉପରେ ରଖିବା ପାଇଁ ଘରର ଛାତ ଆବଶ୍ୟକ ଭାର ବହନ କରିପାରିବା ଭଳି ଡିଜାଇନ୍ ହୋଇଛି କି ନାହିଁ, ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଆନନ୍ଦ ମହିନ୍ଦ୍ରାଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି। କିଛି ୟୁଜର୍ ଏହି ଅଜବ ପାର୍କିଂ ଆଇଡିଆକୁ ପ୍ରଶଂସା କରିଥିବାବେଳେ ଆଉ କିଛି ଜଣ ଏଭଳି ପ୍ରୟାସ ନିଜ ଘରେ ନକରିବାକୁ ପରାମର୍ଶ ଦେଇଛନ୍ତି। ଛାତର ଗଠନ ଓ ଭାର ବହନ କ୍ଷମତା ନିଶ୍ଚିତ ନକରି ଏଭଳି ଭାବେ ଗାଡ଼ି ପାର୍କ କରିବା ବିପଦଜନକ ହୋଇପାରେ ବୋଲି ମଧ୍ୟ ମତ ଆସିଛି।
