ଖାଇକୁ ଖସିଲା ଅମରନାଥ ଯାତ୍ରାରୁ ଫେରୁଥିବା ବସ୍, ୫୦ ଶ୍ରଦ୍ଧାଳୁ ସୁରକ୍ଷିତ ଉଦ୍ଧାର
ଅମରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଖାଇକୁ ଖସିଲା। ଜମ୍ମୁ-କାଶ୍ମୀରର ଗାନ୍ଦରବାଲରେ ଦୁର୍ଘଟଣା। ଦୁର୍ଘଟଣାରେ ୩୯ ତୀର୍ଥଯାତ୍ରୀ ଆହତ। ବସରେ ଥିଲେ ୫୦ ଯାତ୍ରୀ। ବାଲଟାଲ ବେସକ୍ୟାମ୍ପ ଯାଉଥିବା ଏହି ବସ ସୋନମାର୍ଗ ହାଇଓ୍ୱେରେ ହରିଗନିବାନ ପାଖରେ ନିୟନ୍ତ୍ରଣ ହରାଇଥିଲା।
ଜମ୍ମୁ-କାଶ୍ମୀରର ଗାନ୍ଦରବାଲ ଜିଲ୍ଲାରେ ଅମରନାଥ ଯାତ୍ରାରୁ ଫେରୁଥିବା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାୟ ୫୦ ଜଣ ଯାତ୍ରୀ ଥିବା ବସ୍ଟି ନିୟନ୍ତ୍ରଣ ହରାଇ ପ୍ରାୟ ୨୦ ମିଟର ଗଭୀର ଖାଇକୁ ଖସିପଡ଼ିଥିଲା। ତେବେ ଘଟଣାସ୍ଥଳରେ ଉପସ୍ଥିତ ସୁରକ୍ଷା ବଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ। ସୋମବାର ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ବାଲଟାଲ ବେସକ୍ୟାମ୍ପ ଯାଉଥିବା ଏହି ବସ ସୋନମାର୍ଗ ହାଇଓ୍ୱେରେ ହରିଗନିବାନ ପାଖରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହା ପରେ ବସ୍ଟି ରାସ୍ତାରୁ ଖସି ସିନ୍ଧ ନଦୀ କୂଳରେ ଥିବା ଗଭୀର ଖାଇକୁ ପଡ଼ିଯାଇଥିଲା। ଦୁର୍ଘଟଣାର ଖବର ମିଳିବା ସହିତ ITBP ଏବଂ CRPF ଜବାନମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍ରେ ଥିବା ସମସ୍ତ ୫୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ତେବେ ଦୁର୍ଘଟଣାରେ ୩୯ ତୀର୍ଥଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ କଙ୍ଗନ ଉପ-ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇନଥିବା ସୂଚନା ରହିଛି।
ଏପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମରନାଥ ଯାତ୍ରା ଜାରି ରହିଛି। ସୋମବାର ୩,୮୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ନେଇ ୧୨ତମ ଯାତ୍ରୀ ଦଳ ଜମ୍ମୁର ଭଗବତୀ ନଗର ଆଧାର ଶିବିରରୁ ଯାତ୍ରା ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ ୪.୧୫ ଲକ୍ଷରୁ ଅଧିକ ଭକ୍ତ ବାବା ବରଫାନୀଙ୍କ ଦର୍ଶନ କରିସାରିଥିବା ବେଳେ, ଚଳିତ ବର୍ଷର ଏହି ୫୭ ଦିନ ଧରି ଚାଲିଥିବା ଏହି ଯାତ୍ରା ଆସନ୍ତା ୨୮ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମାରେ ଶେଷ ହେବ।
