ହଠାତ ତଳକୁ ଖସିଲା ଏୟାର ଇଣ୍ଡିଆ ବିମାନ, ୧୪ ଜଣ ଆହତ
ଥାଇଲ୍ୟାଣ୍ଡର ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଟର୍ବୁଲେନ୍ସରେ ପଡ଼ିଲା, ଦଶ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ୟାବିନ କ୍ରୁ ସଦସ୍ୟ ଆହତ ସୂଚନା।
ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଫୁକେଟରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ମଙ୍ଗଳବାର ଉଡ଼ାଣ ସମୟରେ ହଠାତ୍ ଭୟଙ୍କର ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା। ଏହି ଘଟଣାରେ ବିମାନର ଉଚ୍ଚତା କିଛି ସମୟ ପାଇଁ ହଠାତ୍ ପରିବର୍ତ୍ତନ ହେବାରୁ ଦଶ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ୟାବିନ କ୍ରୁ ସଦସ୍ୟ ଆହତ ହୋଇଥିବା ସୂଚନା ମିଳିଛି। ତେବେ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର (IGIA)ରେ ଅବତରଣ କରିଥିଲା। ବିମାନବନ୍ଦରରେ ପୂର୍ବରୁ ଚିକିତ୍ସା ଦଳ ପ୍ରସ୍ତୁତ ରହିଥିଲେ ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। ସୂଚନା ଅନୁଯାୟୀ, ଏହି ବିମାନଟି ଏୟାର ଇଣ୍ଡିଆର AI2379 ଫ୍ଲାଇଟ୍ ଥିଲା, ଯାହା VT-EXO ବିମାନ ଦ୍ୱାରା ପରିଚାଳିତ ହେଉଥିଲା। ବିମାନଟି ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟରେ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟସୂଚୀ ଥିଲା। ଟର୍ବୁଲେନ୍ସର ପ୍ରଭାବରେ ବିମାନର କ୍ୟାବିନ୍ ଛାତର ପ୍ୟାନେଲ୍ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ ଆବଶ୍ୟକ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ, ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।
