ବାଙ୍କିପୁରର ବାଜିଗର- ପ୍ରଶାନ୍ତ କିଶୋର..
ଏହି ରେଜଲ୍ଟ ସହ ପିକେଙ୍କ ପତିଆରା ଯେତିକି ବଢ଼ିଗଲା। ବିଜେପି ମଙ୍ଗୁଆଳ ନିତିନ ନବୀନଙ୍କ କ୍ରେଜ୍ ସେତିକି ମଳିନ ପଡ଼ିଗଲା। ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ରାଜ୍ୟସଭାକୁ ଯିବା ପରେ ଏହି ଆସନରେ ଜୁଲାଇ ୩୦ରେ ହୋଇଥିଲା ଭୋଟ୍। ରେଜଲ୍ଟରେ ନୀରଜ ଦ୍ୱିତୀୟରେ ଥିଲା ବେଳେ ରେଖା ଗୁପ୍ତା ତୃତୀୟ ସ୍ଥାନରେ ରହିଲେ।।

ବାଙ୍କିପୁରରେ ବଡ଼ ପରିବର୍ତ୍ତନ। ୩୧ ବର୍ଷ ପରେ ଜନତାର ମୁଡ୍ ବଦଳିଗଲା। ଯେଉଁ ଆସନକୁ ବିଜେପିର ସବୁଠୁ ମଝଭୁତ୍ ଗଡ଼ ବୋଲି କୁହାଯାଉଥିଲା, ସେହି ଅଭେଦ୍ୟ ଦୁର୍ଗକୁ ଭେଦିଲେ ପିକେ। ପଦ୍ମ ପାଖୁଡ଼ାକୁ ଛିଣ୍ଡାଇ ନିଜର ବିଜୟଧ୍ୱଜା ଉଡ଼ାଇଲେ ପ୍ରଶାନ୍ତ କିଶୋର। ନବୀନ ବାପା ପୁଅଙ୍କ ଗଡ଼କୁ ଭାଙ୍ଗିଦେଲେ। ନିର୍ବାଚନୀ ମୈଦାନରେ ପ୍ରତ୍ୟକ୍ଷ ଡେବ୍ୟୁରେ ପିକେଙ୍କ ଏହି ଜିତ୍ ଐତିହାସିକ ସାଜିଲା। କାରଣ ଏହି ଆସନ ଥିଲା ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କର ଗଡ଼। ନବୀନ ରାଜ୍ୟସଭାକୁ ଗଲା ପରେ ଏହି ଆସନ ଖାଲି ପଡ଼ିଥିଲା। ଆଉ ବିଜେପି ପୁଣି ଏଥର ବି ନିଜ ଗଡ଼ ବଜାୟ ରଖିବ ବୋଲି ପ୍ରାରମ୍ଭରୁ ଆକଳନ ଚାଲିଥିଲା। ହେଲେ ଅଚାନକ ପିକେଙ୍କ ଏଣ୍ଟ୍ରି ପରେ ଏହି ଆସନରେ ରଣନୀତି ବିଗିଡ଼ିଗଲା। ମୋଟ୍ ୩୧ ରାଉଣ୍ଡ ଗଣତିରୁ ଦିନ ୩ଟା ସୁଦ୍ଧା ୩୦ହଜାର ଭୋଟ ପାଇବା ସହ ୧୭ ରାଉଣ୍ଡ ଗଣତି ବେଳକୁ ବିଜେପି ପ୍ରାର୍ଥୀ ନୀରଜ ସିହ୍ନାଙ୍କଠୁ ୯ହଜାର ଭୋଟରେ ଆଗୁଆ ଥିଲେ ପ୍ରଶାନ୍ତ କିଶୋର। ଆଉ ଏହି ବ୍ୟବଧାନ ଶେଷ ଯାଏ ବଳବତ୍ତର ରହିଲା। ଆଉ ବାଜି ମାରିନେଲେ ପିକେ। ୨୩ ରାଉଣ୍ଡ ବେଳକୁ ଏହି ବ୍ୟବଧାନ ବଢ଼ି ୧୩ହଜାର ହୋଇଯାଇଥିଲା। କିଶୋର ୪୬ହଜାରରୁ ଅଧିକ ଭୋଟ ପାଇସାରିଥିଲେ। ନୀରଜ ପାଇଥିଲେ ୩୩ହଜାର ଭୋଟ୍।
୧୯୯୫ରେ ସେତେବେଳେ ଏହା ପାଟନା ପଶ୍ଚିମ ଆସନ ଥିଲା। ଏଠାରୁ ନିତିନଙ୍କ ବାପା ନବୀନ କିଶୋର ପ୍ରସାଦ ସିହ୍ନା ବିଜୟୀ ହୋଇଥିଲେ। ଏହା ପରେ ୨୦୦୫ ଯାଏ ନବୀନଙ୍କ ବିଜୟ ଧାରା ଜାରି ରହିଲା। ତାଙ୍କର ଅକାଳ ବିୟୋଗ ପରେ ୨୦୦୬ରେ ହୋଇଥିଲା ଏହି ଆସନରେ ଉପନିର୍ବାଚନ। ଆଉ ପୁଅ ନିତିନ ନବୀନ ସେବେଠୁ ଲଗାତାର ଏହି ଆସନରେ ବିଜୟୀ ହୋଇ ଆସୁଛନ୍ତି। ୨୦୧୦ ପରଠୁ ଏହି ଆସନ ବାଙ୍କିପୁର ନାଁରେ ନାମିତ ହେବା ପରେ ନିତିନ ଲଗାତାର ୫ଥର ଜିତିଛନ୍ତି। ଆଉ ପାଟନା ପଶ୍ଚିମ ଆସନକୁ ମିଶାଇ ବିଜେପି ୯ଥର ଲଗାତାର ବିଜୟୀ ହୋଇଛି। ବାପା ନବୀନ କିଶୋର ୪ଥର ଓ ପୁଅ ନିତିନ ନବୀନ ୫ଥର ଜିତିଛନ୍ତି। ବାଙ୍କିପୁର ଆସନରେ ନବୀନ କିଶୋର ପ୍ରସାଦ ସିହ୍ନା ଓ ତାଙ୍କ ପୁଅ ନିତିନ ନବୀନଙ୍କ ପ୍ରଭାବ ରହିଆସିଛି। ଏହି କାରଣରୁ ଏହାକୁ ବିହାରରେ ବିଜେପିର ସବୁଠାରୁ ସୁରକ୍ଷିତ ବିଧାନସଭା ଆସନମାନଙ୍କ ମଧ୍ୟରୁ ଗଣାଯାଏ। ହଲେ ଏଥର ଜନତା ମତପରିବର୍ତ୍ତନ କରିଦେଲେ। ବିଜେପି ବି ଆରମ୍ଭରୁ ପ୍ରାର୍ଥୀ ଚୟନକୁ ନେଇ ଅଡ଼ୁଆରେ ପଡ଼ିଥିଲା। ପ୍ରଥମେ ବିଜେପି ଅଭିଷେକ କୁମାର (ବଣ୍ଟି)ଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ସେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଦଳ ନୀରଜ କୁମାର ସିହ୍ନାଙ୍କୁ ନୂଆ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଆରଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ ନ କରି ରେଖା ଗୁପ୍ତାଙ୍କୁ ଦୋହରାଇଥିଲା। କିନ୍ତୁ ଜନଶକ୍ତି ଜନତାଦଳର ସମୀକରଣ ସବୁ କିଛି ଓଲଟପାଲଟ କରିଦେଲା। ପ୍ରାର୍ଥୀ ବିଣା ମାନବୀଙ୍କ ପ୍ରାର୍ଥୀପତ୍ର ନାକଚ ପରେ ଜନସୁରାଜ ଦଳର ପ୍ରାର୍ଥୀ ପ୍ରଶାନ୍ତ କିଶୋରଙ୍କୁ ସିଧା ସମର୍ଥନ କରିଥିଲେ ତେଜପ୍ରତାପ। ଆଉ ୩ଟି ଏକଜିଟ ପୋଲ ବି ପୂର୍ବାନୁମାନ କରିଥିଲା, ଏଥର ବାଙ୍କିପୁରରେ ପିକେ। ଶେଷରେ ସେୟା ହିଁ ହେଲା। ଆଉ ଏହି ରେଜଲ୍ଟ ସହ ପିକେଙ୍କ ପତିଆରା ଯେତିକି ବଢ଼ିଗଲା। ବିଜେପି ମଙ୍ଗୁଆଳ ନିତିନ ନବୀନଙ୍କ କ୍ରେଜ୍ ସେତିକି ମଳିନ ପଡ଼ିଗଲା। ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ରାଜ୍ୟସଭାକୁ ଯିବା ପରେ ଏହି ଆସନରେ ଜୁଲାଇ ୩୦ରେ ହୋଇଥିଲା ଭୋଟ୍। ରେଜଲ୍ଟରେ ନୀରଜ ଦ୍ୱିତୀୟରେ ଥିଲା ବେଳେ ରେଖା ଗୁପ୍ତା ତୃତୀୟ ସ୍ଥାନରେ ରହିଲେ।। ୨୦୨୫ରେ ୨୩୮ ଆସନରେ ଲଢ଼ିଥିଲା ଜନସୁରାଜ ପାର୍ଟି। ହେଲେ ଖାତା ଖୋଲିପାରିନଥିଲା। ୨୦୨୫ ସାଧାରଣ ନିର୍ବାଚନରେ ରେଖାଙ୍କୁ ୫୦ହଜାରରୁ ଅଧିକ ଭୋଟରେ ହରାଇଥିଲେ ନିତିନ। ଆରଜେଡି ଏଥର ବି ରେଖାଙ୍କୁ ପ୍ରାର୍ଥୀ କରିଥିଲା।
