୫ଟି ମୁଦ୍ଦାରେ ସହମତି- ଇଣ୍ଡି ମେଣ୍ଟରୁ ଦୂରେଇଗଲା ଡିଏମକେ ଓ ଆପ୍
୩ ବର୍ଷ ଭିତରେ ଇଣ୍ଡି ମେଣ୍ଟରୁ ୩ଟି ବଡ଼ ଦଳ ଅଲଗା ହୋଇଛି। ୨୦୨୪ରେ ଜେଡିୟୁ, ୨୦୨୫ରେ ଆପ୍ ଓ ୨୦୨୬ରେ ଡିଏମକେ ଇଣ୍ଡି ମେଣ୍ଟରୁ ଅଲଗା ହୋଇଛି।

ଇଣ୍ଡିମେଣ୍ଟର ମାନସମନ୍ଥନ- ଦୂରେଇଗଲା ଆପ୍ ଡିଏମକେ
ଆଜି ଦିଲ୍ଲୀରେ ବସିଥିଲା INDIA ମେଣ୍ଟ ବୈଠକ। ଯୋଗଦେଇଥିଲେ ୨୫ ଦଳର ୩୪ ନେତା। ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଏହା INDIA ମେଣ୍ଟର ପ୍ରଥମ ବଡ଼ ବୈଠକ। ବୈଠକରେ ୫ଟି ମୁଦ୍ଦାକୁ ନେଇ ସହମତି ପ୍ରକାଶ ପାଇଛି। ବିରୋଧୀ ଏକତାକୁ ମଝବୁତ କରିବା, ସଂସଦର ଆଗାମୀ ମୌସୁମୀ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ, ଭବିଷ୍ୟତ ନିର୍ବାଚନକୁ ନେଇ ତର୍ଜମା ହୋଇଛି। ଏହାସହ ପେଟ୍ରୋଲ-ଡିଜେଲ ଦରବୃଦ୍ଧି, ଅର୍ଥନୈତିକ ପ୍ରସଙ୍ଗ ଓ କେନ୍ଦ୍ର ସରକାର ବିରୋଧରେ ସାଧାରଣ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇଛି। ଏସଆଇଆରର ଦୁରୁପଯୋଗ ନେଇ ସିଜେଆଇଙ୍କୁ ଲେଖାଯିବ ଚିଠି। ନିଟ୍ ଓ ସିବିଏସଇ ପରୀକ୍ଷା ଅନିୟମିତତାରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା, ବେରୋଜଗାର, ମହଙ୍ଗା, ଚାଷୀ ଓ ଆଟ୍ରୋସିଟି ପ୍ରସଙ୍ଗରେ ମାନସମନ୍ଥନ ହୋଇଛି। ପ୍ରତି ଦୁଇ ମାସରେ ଇଣ୍ଡି ମେଣ୍ଟର ବୈଠକ ହେବ। ଅଧିବେଶନ ଅବଧିରେ ଦୈନିକ ହେବ ବୈଠକ। ବୈଠକ ପୂର୍ବରୁ ମେଣ୍ଟ ଭିତରେ ମତଭେଦ ମଧ୍ୟ ସାମ୍ନାକୁ ଆସିଛି। ଡିଏମକେ ଓ ଆପ୍ ଦୂରତା ବଜାୟ ରଖିଛି। ନିଜ ସ୍ୱାର୍ଥ ପାଇଁ କଂଗ୍ରେସ ମେଣ୍ଟ କରୁଛି। ତାମିଲନାଡ଼ୁରେ ଡିଏମକେକୁ ପଛପଟୁ ଛୁରା ମାରିଲା। ଦିଲ୍ଲୀରେ ଆପ୍ ବିରୁଦ୍ଧରେ ଲଢ଼ିଲା। ଗତ କାଲି ମମତାଙ୍କୁ ଭେଟିଥିଲେ କେଜ୍ରିଓ୍ୱାଲ। ଅନ୍ୟପଟେ CPI(M) ଓ JMM ପକ୍ଷରୁ କଂଗ୍ରେସର କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏଥର ଗଠବନ୍ଧନର ରୂପ ବଦଳିସାରିଛି। ଆରମ୍ଭରୁ ଏହି ମେଣ୍ଟରେ ଥିବା କିଛି ଦଳ ମେଣ୍ଟରୁ ଓହରିସାରିଛନ୍ତି। ତେବେ ବଡ଼ କଥା ହେଲା, ସଂସଦରେ ଯେଉଁ ଦଳର ପ୍ରତିନିଧିତ୍ୱ ନାହିଁ, ସେମାନଙ୍କୁ ନିମନ୍ତ୍ରଣ କରାଯାଇନି। ସୋନିଆ, ଖଡ଼ଗେ, ରାହୁଲ, ମମତା, ଅଖିଳେଶ, ଓମାର ଅବଦ୍ଦୁଲା, ପ୍ରମୁଖ ସାମିଲ ହୋଇଥିଲେ। ଭର୍ଚ୍ଚୁଆଲରେ ଯୋଡ଼ି ହୋଇଥିଲେ ଉଦ୍ଧବ ଠାକରେ ଓ ହେମନ୍ତ ସୋରେନ। ସ୍ୱାଧୀନ ସାଂସଦ କପିଲ ଶିବଲ ବି ସାମିଲ୍ ହୋଇଥିଲେ ବୈଠକରେ। ଅଖିଳେଶ କହିଛନ୍ତି, ଏହି ପଦକ୍ଷେପ ବନ୍ଧୁ ରାଷ୍ଟ୍ର ନିର୍ମାଣ ଲାଗି ହେଉଛି। ଆପ୍ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ କହିଛନ୍ତି, ଇଣ୍ଡିମେଣ୍ଟରେ ପୂର୍ବରୁ ଥିଲୁ। ଯେଉଁମାନେ ଆଜି ସାମିଲ ହୋଇଛନ୍ତି, ସେମାନଙ୍କୁ ମିଡିଆ ପଚାରୁ।ବୈଠକ ପୂର୍ବରୁ ଦିଲ୍ଲୀର ଅନେକ ଜାଗାରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଲାଗିଥିବା ହୋର୍ଡିଂ ଚର୍ଚ୍ଚାର ବିଷୟ ପାଲଟିଥିଲା। କେମିତି ମେଣ୍ଟ ସହଯୋଗୀ ଡିଏମକେ, ଆପ୍, ଟିଏମସି, ଏନସିପି-ଏସସିପିକୁ ଧୋକ୍କା ଦେଇଛନ୍ତି ସେ ସମ୍ପର୍କିତ ପୋଷ୍ଟର ଓ ହୋର୍ଡିଂ ମରାଯାଇଛି। ଏଭଳି ବୈଠକକୁ ନେଇ ବିଜେପି କଡ଼ା କଟାକ୍ଷ କରିଛି। ନିଜର ଅସ୍ତିତ୍ୱ ରକ୍ଷା କରିବାକୁ କଂଗ୍ରେସ ଭିତରେ ଚିନ୍ତା ଘାରିଛି। ଯେତେ ମନ୍ଥନ କଲେ ବି ଇଣ୍ଡି ମେଣ୍ଟ ଆଗକୁ ବଢ଼ିପାରିବନି। କାରଣ ଜନତା ଏମାନଙ୍କ ଅସଲ ଉଦ୍ଦେଶ୍ୟ ଜାଣିସାରିଲେଣି। ୩ ବର୍ଷ ଭିତରେ ଇଣ୍ଡି ମେଣ୍ଟରୁ ୩ଟି ବଡ଼ ଦଳ ଅଲଗା ହୋଇଛି। ୨୦୨୪ରେ ଜେଡିୟୁ, ୨୦୨୫ରେ ଆପ୍ ଓ ୨୦୨୬ରେ ଡିଏମକେ ଇଣ୍ଡି ମେଣ୍ଟରୁ ଅଲଗା ହୋଇଛି। କେତେକ ରାଜ୍ୟରେ ମେଣ୍ଟର ସହଯୋଗୀ ଦଳଙ୍କ ପରାଜୟ ଓ ଆଭ୍ୟନ୍ତରୀଣ ମତଭେଦ ପରିପ୍ରେକ୍ଷୀରେ ଏହି ବୈଠକ ଉପରେ ସମସ୍ତଙ୍କ ନଜର ଥିଲା।
