ସୈତାନ ସାଜିଲା ସାନ ଭାଇ,ସମ୍ପତି ପାଇଁ ଉଜୁଡ଼ି ଗଲା ସମ୍ପର୍କ
ଉତ୍ତର ପ୍ରଦେଶ ଗୋରଖପୁରରେ ଏକ ଗଣହତ୍ୟା। ପାରିବାରିକ ଦୋକାନ ବିବାଦରୁ ରକ୍ତମୁଖା ସାଜିଛି ୧୬ ବର୍ଷର ସାନଭାଇ। ଗଭୀର ନିଦ୍ରାରେ ଶୋଇଥିବା ଅବସ୍ଥାରେ ନିଜ ବଡ଼ ଭାଇ, ଭାଉଜ ଏବଂ ୩ ବର୍ଷର ପୁତୁରାକୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା ।

ଗୋରଖପୁର : ଗୋଟିଏ ଝଟକାରେ ଶେଷ ହୋଇଗଲା ପୂରା ପରିବାର। ଗୋରଖପୁର ଜିଲ୍ଲା ବାସଗାଁ ଥାନା ଅନ୍ତର୍ଗତ ବଲୁଆ ବୁଜୁର୍ଗ ଗାଁରେ ସୋମବାର ଭୋର ପ୍ରାୟ ୩ଟା ସମୟରେ ଘଟିଛି ଏହି ହୃଦୟବିଦାରକ ଅଘଟଣ। ଉତ୍ତର ପ୍ରଦେଶ ଗୋରଖପୁରରେ ଏକ ଜଘନ୍ୟ ଗଣହତ୍ୟା। ପାରିବାରିକ ଦୋକାନ ବିବାଦରୁ ରକ୍ତମୁଖା ସାଜିଛି ୧୬ ବର୍ଷର ସାନଭାଇ। ଗଭୀର ନିଦ୍ରାରେ ଶୋଇଥିବା ଅବସ୍ଥାରେ ନିଜ ବଡ଼ ଭାଇ, ଭାଉଜ ଏବଂ ୩ ବର୍ଷର ପୁତୁରାକୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିଛି ଏହି ନାବାଳକ। ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକମାନେ ହେଲେ ୨୨ ବର୍ଷର ଅମିତ ଗୁପ୍ତା, ତାଙ୍କ ପତ୍ନୀ ରଞ୍ଜନା ଏବଂ ୩ ବର୍ଷର ପୁତ୍ର ଶ୍ରେୟାଂଶ। ଚିତ୍କାର ଶୁଣି ଅନ୍ୟ ଘରେ ଥିବା ବାପା ଆସିବା ବେଳକୁ ସବୁ ଶେଷ ହୋଇଯାଇଥିଲା। ସେ ସାନ ପୁଅକୁ ହାତରେ ରକ୍ତଭିଜା ଅସ୍ତ୍ର ଧରି ବାହାରୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଅସ୍ତ୍ର ଜବତ କରିଛି।ପ୍ରାଥମିକ ତଦନ୍ତ ଅନୁସାରେ, ପରିବାରର ଦୋକାନ ପରିଚାଳନାକୁ ନେଇ ଦୀର୍ଘ ଦିନ ହେବ ବିବାଦ ଥିଲା। ବଡ଼ ଭାଇ ଦାୟିତ୍ୱ ନେବା ପରେ ନାବାଳକ ଜଣକ ନିଜକୁ ଅବହେଳିତ ମନେ କରି ମନ ଭିତରେ ଆକ୍ରୋଶ ରଖିଥିଲା। ସେ ବାପାଙ୍କୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ବେଳେ ବଡ଼ ଭାଇ ମଧ୍ୟସ୍ଥତା କରୁଥିବାରୁ ପ୍ରଥମେ ତାଙ୍କୁ ଟାର୍ଗେଟ୍ କରିଥିଲା। ଆକ୍ରମଣ ବେଳେ ଭାଉଜ ଓ ଶିଶୁର ନିଦ ଭାଙ୍ଗିଯିବାରୁ ସେମାନଙ୍କୁ ମଧ୍ୟ ହତ୍ୟା କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ସମ୍ପତ୍ତି ପାଇଁ ରକ୍ତ ମୁଖା ନାବାଳକ ଅଭିଯୁକ୍ତ ନିଜ ବଡ଼ ଭାଇଙ୍କ ସମେତ ପୁରା ପରିବାକୁ ଶେଷ କରିଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
