Police Hockey Championship: ୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ ଉଦଘାଟିତ
କଳିଙ୍ଗ ଷ୍ଟାଡିୟମରେ ୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ ଉଦଘାଟିତ । ୧୮ଟି ପୋଲିସ ଦଳର ୩୬୦ ଖେଳାଳିଙ୍କ ଅଂଶଗ୍ରହଣ; ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ପ୍ରତିଯୋଗିତା ।

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସୋମବାର ୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍–୨୦୨୬ର ଶୁଭାରମ୍ଭ ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନସିପ୍କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନୀ ଅବସରରେ ଶ୍ରୀ ମିଶ୍ର କହିଥିଲେ ଯେ, ଭାରତୀୟ ହକିର ବିକାଶ ଓ ଲୋକପ୍ରିୟତାରେ ଓଡ଼ିଶାର ଅବଦାନ ଅତୁଳନୀୟ। ଭାରତୀୟ ହକି ଟିମ୍କୁ ରାଜ୍ୟ ସରକାରଙ୍କ ନିରନ୍ତର ପୃଷ୍ଠପୋଷକତା ଜାରି ରହିଛି। ଭାରତୀୟ ଜାତୀୟ ହକି ଟିମ୍ର ଜର୍ସିରେ ‘ଓଡ଼ିଶା’ ଲେଖାଯିବା ରାଜ୍ୟବାସୀଙ୍କ ପାଇଁ ଗୌରବର ବିଷୟ ବୋଲି ସେ ଉଲ୍ଲେଖ କରିଥିଲେ। ଓଡ଼ିଶା ପୋଲିସର ମହିଳା ହକି ଦଳ ସର୍ବଭାରତୀୟ ପୋଲିସ ହକି ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଥିବା ନେଇ ସେ ଉଲ୍ଲେଖ କରିବା ସହ ଆଗାମୀ ଦିନରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ହକି ଦଳ ଆହୁରି ସଫଳତା ହାସଲ କରିବେ ବୋଲି ଆଶା ପ୍ରକାଶ କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ, ଏଭଳି କ୍ରୀଡ଼ା ପ୍ରତିଯୋଗିତା ପୋଲିସ ବିଭାଗରେ କାର୍ଯ୍ୟରତ କ୍ରୀଡ଼ାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଦଳଗତ ମନୋଭାବ ବୃଦ୍ଧି କରିବା ସହ ଅନୁଶାସନ ଏବଂ କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ସୁଦୃଢ଼ କରିଥାଏ। ବିଭିନ୍ନ ଜିଲ୍ଲା, ରେଞ୍ଜ ଓ ବାଟାଲିୟନର ଖେଳାଳିମାନେ ଏକାଠି ଅଂଶଗ୍ରହଣ କରିବା ଦ୍ୱାରା ପୋଲିସ ବିଭାଗ ମଧ୍ୟରେ ସମନ୍ୱୟ ଓ ସହଯୋଗର ଭାବନା ଆହୁରି ଦୃଢ଼ ହେବ ବୋଲି ସେ କହିଥିଲେ।

ଚଳିତ ଚାମ୍ପିୟନସିପ୍ରେ ରାଜ୍ୟର ବିଭିନ୍ନ ରେଞ୍ଜ ଓ ବାଟାଲିୟନରୁ ମୋଟ ୧୮ଟି ପୋଲିସ ଦଳର ୩୬୦ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତା ଆସନ୍ତା ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଚାମ୍ପିୟନସିପ୍ର ପ୍ରଥମ ଦିନରେ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ କମିଶନରେଟ୍–ବି ୬–୦ ଗୋଲ୍ରେ କୋରାପୁଟ ଜିଲ୍ଲାକୁ ପରାସ୍ତ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ବ୍ରହ୍ମପୁର ଜିଲ୍ଲା ୩–୧ ଗୋଲ୍ରେ ଓଏସ୍ଏପି ୮ମ ବାଟାଲିୟନ୍, ଛତ୍ରପୁରକୁ ପରାସ୍ତ କରିଥିଲା। ସେହିପରି ୪ର୍ଥ ଆଇଆର୍ ବାଟାଲିୟନ୍, ଦେବଗଡ଼ ପେନାଲ୍ଟି ସୁଟ୍ଆଉଟ୍ରେ ୪–୨ ଗୋଲ୍ରେ ଓଏସ୍ଏପି ୩ୟ ବାଟାଲିୟନ୍, କୋରାପୁଟକୁ ପରାସ୍ତ କରିଥିଲା। ଓଏସ୍ଏପି ୪ର୍ଥ ବାଟାଲିୟନ୍, ରାଉରକେଲା ୪–୦ ଗୋଲ୍ରେ ଓଆଇଏସ୍ଏଫ୍, ଭୁବନେଶ୍ୱରକୁ ହରାଇଥିଲା।
ଉଦଘାଟନୀ ସମାରୋହରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର, ଭୁବନେଶ୍ୱର–କଟକ ଡ଼ା. ଏସ୍. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ରାଜେଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରତୀକ ମହାନ୍ତି ଏବଂ ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ଶ୍ରୀ ନୀଳମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
