ଇଲିଶି ମାଛ ଧରିବାକୁ ଯାଇ ସମୁଦ୍ରରେ ନିଖୋଜ ୧୫ ମତ୍ସ୍ୟଜୀବୀ, ୭ ଦିନ ପରେ ମିଳୁନି ପତ୍ତା
ଦିଘା ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମି ସହ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଘଟଣା । ଗତ ଜୁଲାଇ ୨ ରେ "ମାଆ କାଳୀ" ନାମକ ଟ୍ରଲରରେ ୧୫ ଜଣ ମତ୍ସ୍ୟଜୀବୀ ଇଲିଶି ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ଯାଇଥିଲେ। କିନ୍ତୁ ଟ୍ରଲର କିମ୍ବା ମତ୍ସ୍ୟଜୀବୀଙ୍କ ୭ ଦିନ ବିତି ଯାଇଥିଲେ ବି କୌଣସି ସନ୍ଧାନ ମିଳୁନି ।
ଭୋଗରାଇ: ଇଲିଶି ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ୧୫ ଜଣ ମତ୍ସ୍ୟଜୀବୀ ନିଖୋଜ । ଦିଘା ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମି ସହ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଘଟଣା । ଗତ ଜୁଲାଇ ୨ ତାରିଖରେ "ମାଆ କାଳୀ" ନାମକ ଟ୍ରଲରରେ ୧୫ ଜଣ ମତ୍ସ୍ୟଜୀବୀ ଇଲିଶି ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ଯାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଟ୍ରଲର କିମ୍ବା ମତ୍ସ୍ୟଜୀବୀଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିନାହିଁ। ନିଖୋଜ ହେବା ର ୭ ଦିନ ବିତି ଯାଇଥିଲେ ବି ମତ୍ସ୍ୟଜୀବୀଙ୍କ କୌଣସି ସନ୍ଧାନ ମିଳୁନି । ସୂଚନା ଅନୁସାରେ, ଜୁଲାଇ ୩ ତାରିଖରେ ପାଣିପାଗ ବିଭାଗ ସମୁଦ୍ରରେ ଝଡ଼ ନେଇ ସତର୍କ ସୂଚନା ଜାରି କରି ସମସ୍ତ ଟ୍ରଲରକୁ ତୁରନ୍ତ କୂଳକୁ ଫେରିବାକୁ ପରାମର୍ଶ ଦେଇଥିଲା। ସତର୍କବାର୍ତ୍ତା ପାଇବା ପରେ ଅଧିକାଂଶ ଟ୍ରଲର ସୁରକ୍ଷିତ ଭାବେ ଫେରି ଆସିଥିବା ବେଳେ "ମାଆ କାଳୀ" ଟ୍ରଲର ଆଉ ଫେରିନାହିଁ। ସେଥିସହ ଟ୍ରଲରରେ ଥିବା ମତ୍ସ୍ୟଜୀବୀଙ୍କ ସହ ସମସ୍ତ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। ନିଖୋଜଙ୍କ ମଧ୍ୟରେ ଓଡ଼ିଶା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଲୁଡା ଗ୍ରାମର ରବୀନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଓ ଜୟରାମ ମାଝୀ ମଧ୍ୟ ରହିଛନ୍ତି। ସେମାନଙ୍କର କୌଣସି ଖବର ନ ମିଳିବାରୁ ପରିବାର ଲୋକେ ଭାଙ୍ଗିପଡ଼ିଥିବା ବେଳେ ନିରାପଦରେ ଫେରି ଆସିବେ ବୋଲି ଆଶା ବାନ୍ଧି ବସିଛନ୍ତି। ଘଟଣା ସମ୍ପର୍କରେ ଏଡିଏସ୍ ମେରିନ୍ ଓ ଭାରତୀୟ କୋଷ୍ଟଗାର୍ଡକୁ ଅବଗତ କରାଯାଇଛି। ଅନ୍ୟପଟେ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ଭାରତୀୟ ନୌସେନାର ହେଲିକପ୍ଟର ସହାୟତା ଯୋଗାଇବାକୁ ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ସ୍ୱଦେଶ ନାୟକ ନିବେଦନ କରିଛନ୍ତି। ଏପଟେ ନିଖୋଜଙ୍କ ପରିବାର ଲୋକେ ରାଜ୍ୟ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ହସ୍ତକ୍ଷେପ କରି ବ୍ୟାପକ ସନ୍ଧାନ ଅଭିଯାନ ଚଳାଇବା ସହ ନିଖୋଜ ମତ୍ସ୍ୟଜୀବୀଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି।
