Poor Quality Food For Patient: ଚିକିତ୍ସା ପାଇଁ ଆସିଲେ, ମିଳିଲା ପୋକ ଥିବା ବ୍ରେଡ୍!
ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଇଥିବା ବ୍ରେଡ୍ରେ ପୋକ ଓ ଦୁର୍ଗନ୍ଧ ଥିବା ଅଭିଯୋଗ | ନିମ୍ନମାନର ଖାଦ୍ୟ ଯୋଗାଣକୁ ନେଇ ରୋଗୀଙ୍କ ସୁରକ୍ଷା ଓ ଖାଦ୍ୟ ଯାଞ୍ଚ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି | ଘଟଣାର ନିରପେକ୍ଷ ତଦନ୍ତ ସହ ଦାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି |
ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଯଦି ଖାଦ୍ୟ ଭାବେ ପୋକ ସାଲୁବାଳୁ କରୁଥିବା ବ୍ରେଡ୍ ପରସା ଯାଏ | ତେବେ ଏହାଠାରୁ ଦୁର୍ଭାଗ୍ୟଜନକ ଘଟଣା ଆଉ କ'ଣ ହୋଇପାରେ? ଟିଟିଲାଗଡ଼ ସହର ନିକଟସ୍ଥ ପିପଲପଦର ଗାଁ ନିକଟରେ ଥିବା ନୂତନ ଟିଟିଲାଗଡ଼ ମାତୃ ଓ ଶିଶୁ ବିଭାଗ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି | ସୂଚନା ଅନୁସାରେ, ଆଜି ସକାଳୁ ଟିଟିଲାଗଡ଼ ଉପଖଣ୍ଡସ୍ତରୀୟ ମାତୃ ଓ ଶିଶୁ ବିଭାଗ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଜଳଖିଆ ବାବଦରେ ପାରୁଟି/ବ୍ରେଡ୍ ଯୋଗାଇ ଦିଆଯାଇଥିଲା | ଏହି ଖାଦ୍ୟ ମା' ଘଣ୍ଟାଶୁଣି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଯୋଗାଣ କରାଯାଇଥିବା ଜଣାପଡ଼ିଛି | ତେବେ କିଛି ରୋଗୀ ବ୍ରେଡ୍ ଖାଇବା ପରେ ଏହା ଭିତରେ ପୋକ ଥିବା ଦେଖିବାକୁ ପାଇଥିଲେ | ପରେ ଅନ୍ୟ ବ୍ରେଡ୍ଗୁଡ଼ିକୁ ଯାଞ୍ଚ କରାଯିବା ବେଳେ ସେଥିରେ ମଧ୍ୟ ପୋକ ସାଲୁବାଳୁ କରୁଥିବା ଅଭିଯୋଗ ହୋଇଛି | କେତେକ ପ୍ୟାକେଟ୍ରୁ ଦୁର୍ଗନ୍ଧ ମଧ୍ୟ ବାହାରୁଥିବା ଅଭିଯୋଗ ରହିଛି | ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁଥିବା ଶିଶୁ, ମହିଳା ଓ ଅନ୍ୟ ରୋଗୀଙ୍କୁ ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇବା ଘଟଣା ରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ | ଖାଦ୍ୟର ଗୁଣବତ୍ତା ଯାଞ୍ଚ ଓ ଯୋଗାଣ ବ୍ୟବସ୍ଥା ଉପରେ ମଧ୍ୟ ଏହା ଅନେକ ପ୍ରଶ୍ନ ଉଠାଇଛି | ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରାଯାଇଥିଲା କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି | ରୋଗୀ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସହ ଏଭଳି ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି | ଘଟଣାର ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି | ଏଥିସହ ଭବିଷ୍ୟତରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଯାଞ୍ଚକୁ କଡ଼ାକଡ଼ି କରିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି |
