ଅଗଷ୍ଟ ୧୫ ପୂର୍ବରୁ ଜେଲରୁ ମୁକ୍ତ ହେବେ କି ଦାରା ସିଂ?
୧୯୯୯ ମସିହାରେ କେନ୍ଦୁଝରର ମନୋହରପୁରରେ ଅଷ୍ଟ୍ରେଲିୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲଙ୍କ ଅକାଳ ମୁକ୍ତିକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।
୧୯୯୯ ମସିହାରେ କେନ୍ଦୁଝରର ମନୋହରପୁରରେ ଅଷ୍ଟ୍ରେଲିୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲଙ୍କ ଅକାଳ ମୁକ୍ତିକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ୨୬ ବର୍ଷ ଧରି କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ରିମିସନ୍ ଆବେଦନ ଉପରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡର ବିଚାର ହେବାର ସମ୍ଭାବନା ଥିବାରୁ ସ୍ୱାଧୀନତା ଦିବସ ପୂର୍ବରୁ ତାଙ୍କ ମୁକ୍ତିକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ୧୯୯୯ ଜାନୁଆରୀ ୨୨ ତାରିଖରେ କେନ୍ଦୁଝର ଜିଲ୍ଲାର ମନୋହରପୁର ଗାଁରେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅ ଫିଲିପ୍ ଓ ଟିମୋଥିଙ୍କୁ ସେମାନେ ଶୋଇଥିବା ଜିପ୍ ଭିତରେ ଜୀଅନ୍ତା ପୋଡ଼ି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦାରା ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପ୍ରଥମେ ଟ୍ରାଏଲ୍ କୋର୍ଟ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ପରେ ଓଡ଼ିଶା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ୨୦୧୧ ମସିହାରେ ସୁପ୍ରିମକୋର୍ଟ ମଧ୍ୟ ଆଜୀବନ କାରାଦଣ୍ଡକୁ ବଜାୟ ରଖିଥିଲେ। ଏବେ ସେ କେନ୍ଦ୍ରାପଡ଼ା ସର୍କଲ୍ ଜେଲରେ ଦଣ୍ଡ ଭୋଗୁଛନ୍ତି। ୨୪ ବର୍ଷରୁ ଅଧିକ ସମୟ ଜେଲରେ ରହିବା ପରେ ଦାରା ସିଂ ଅକାଳ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ (SSRB) ମାଧ୍ୟମରେ ଆବେଦନର ବିଚାର କରି ନିଷ୍ପତ୍ତି ନେବାକୁ କହିଥିଲେ। ତେବେ SSRB ବୈଠକ ସ୍ଥଗିତ ହୋଇଥିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ବର୍ତ୍ତମାନ ପୁଣିଥରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡର ବୈଠକକୁ ନେଇ ଚର୍ଚ୍ଚା ବଢ଼ିଛି। ଏହି ବୈଠକରେ ଦାରା ସିଂଙ୍କ ଅକାଳ ମୁକ୍ତି ଆବେଦନ ଉପରେ ବିଚାର ହୋଇପାରେ। ତେବେ ଅଗଷ୍ଟ ୧୫ ପୂର୍ବରୁ ସେ ନିଶ୍ଚିତ ଭାବେ ମୁକ୍ତ ହେବେ ବୋଲି ସରକାର କିମ୍ବା SSRB ପକ୍ଷରୁ କୌଣସି ଅନ୍ତିମ ଘୋଷଣା ହୋଇନାହିଁ। ବୋର୍ଡର ସୁପାରିଶ ଏବଂ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହିଁ ମୁକ୍ତି ନେଇ ସ୍ପଷ୍ଟତା ଆସିବ।
