ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ
ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା। ଆସନ୍ତା ୨୪ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା। ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୬୯. ୪୫ ମିମି ବର୍ଷା ରେକର୍ଡ।

ପୁଣି ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା । ଆସନ୍ତା ୨୪ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୧୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୬୯. ୪୫ ମିଲି ମିଟର ବର୍ଷା ହୋଇଛି । ସ୍ୱାଭାବିକ ଭାବରେ ଏହି ସମୟରେ ୪୧୯ ମିଲିମିଟର ହେବା କଥା । ଯାହା ସ୍ୱାଭାବିକ ବର୍ଷା ଠାରୁ ୧୨ ପ୍ରତିଶତ ଅଧିକା ରହିଛି।
ସେହିପରି ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କିଛିକିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୩୦ ରୁ ୪୯ କିଲୋମିଟର ରହିପାରେ । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୨ରେ ମଧ୍ୟ ଏଭଳି ସ୍ଥିତି ଲାଗି ରହିବ । ୨୩ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଅଛି । ସେହିପରି ଆସନ୍ତା ୨୪ ଓ ୨୫ ତାରିଖ ଯାଏ ବର୍ଷା ସମ୍ଭାବନା ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
