Precautions For Cyclone: ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି: ନବରଙ୍ଗପୁରରେ ଛୁଟି ବାତିଲ, ଭୋଗରାଇରେ ସମୁଦ୍ରଯାତ୍ରା ଉପରେ ରୋକ
ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପକୁ ନଜରରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୩ ଓ ୨୪ ତାରିଖ ପାଇଁ ସତର୍କତା ଜାରି ସହ ବାଲେଶ୍ୱର ଭୋଗରାଇ ଅଞ୍ଚଳରେ ମଧ୍ୟ ସମ୍ଭାବ୍ୟ ଲଘୁଚାପକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପକୁ ନଜରରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୩ ଓ ୨୪ ତାରିଖ ପାଇଁ ସତର୍କତା ଜାରି କରାଯାଇଛି। ଏହି ଦୁଇ ଦିନ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ନବରଙ୍ଗପୁର, ତେନ୍ତୁଳୀଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକ୍ ପାଇଁ ୫ ଜଣ ନୋଡାଲ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।ସେହିପରି ୨୩ ଓ ୨୪ ତାରିଖରେ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ଶିକ୍ଷା କେନ୍ଦ୍ର ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ପରୀକ୍ଷା ଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି ନିଷ୍ପତ୍ତିରୁ ବାଦ ଦିଆଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଶୀ ଡଙ୍ଗା ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇଛି। ଅନ୍ୟପଟେ, ବାଲେଶ୍ୱର ଭୋଗରାଇ ଅଞ୍ଚଳରେ ମଧ୍ୟ ସମ୍ଭାବ୍ୟ ଲଘୁଚାପକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ଉଦୟପୁର, ତାଳସାରି, ରଣସିଂହପୁର ଓ କୀର୍ତ୍ତନିଆ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ମାସ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।ଚନ୍ଦନେଶ୍ୱର ମତ୍ସ୍ୟ ଅଧିକାରୀ ଅନନ୍ତ ଜେନାଙ୍କ ସୂଚନା ଅନୁସାରେ, ଭୋଗରାଇ ବ୍ଲକ୍ ଅଧୀନରେ ୪ଟି ମତ୍ସ୍ୟ ଅବତରଣ କେନ୍ଦ୍ର ରହିଛି। ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ବର୍ଷା, ପବନ ଓ ଘଡ଼ଘଡ଼ି ହେବା ସହ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯାଉଛି। ଡଙ୍ଗା, ମାଛଧରା ଜାଲ ଓ ଅନ୍ୟାନ୍ୟ ସାମଗ୍ରୀକୁ ସୁରକ୍ଷିତ ସ୍ଥାନକୁ ନେବାକୁ ମଧ୍ୟ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଦେଶ ଅବମାନନା କରି ସମୁଦ୍ରକୁ ଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
