VINESH PHOGAT: ଭିନେଶ ଫୋଗାଟଙ୍କୁ ଝଟକା: ୱାର୍ଲ୍ଡ ଚାମ୍ପିୟନଶିପ୍ ଟ୍ରାଏଲରେ ଭାଗ ନେବାକୁ ମିଳିଲାନି ଅନୁମତି
୨୦୨୬ ୱାର୍ଲ୍ଡ ଚାମ୍ପିୟନଶିପ୍ ଟ୍ରାଏଲରେ ଭିନେଶ ଫୋଗାଟଙ୍କ ଆଶା ମଉଳିଲା ଟ୍ରାଏଲରେ ଭାଗ ନେବାକୁ ଅନୁମତି ଦେଲେନି କୋର୍ଟ ।

ନୂଆଦିଲ୍ଲୀ: ୨୦୨୬ ସିନିୟର ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଭାଗ ନେବା ନେଇ ଭିନେଶ ଫୋଗାଟଙ୍କ ଆଶା ମଉଳି ଯାଇଛି। ସେପ୍ଟେମ୍ବର ୧୪ ତାରିଖରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ରେ ହେବାକୁ ଥିବା ଟ୍ରାଏଲରେ ସାମିଲ ହେବା ପାଇଁ ଭିନେଶ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ତାଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି। ମାତୃତ୍ୱ ଅବକାଶ କାରଣରୁ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI) ପକ୍ଷରୁ ଆୟୋଜିତ କିଛି ପ୍ରତିଯୋଗିତାରେ ଭାଗ ନେଇପାରିନଥିବା ଭିନେଶ ଫୋଗାଟ ତାଙ୍କ ଯାଚିକାରେ ଦର୍ଶାଇଥିଲେ। ଏହି କାରଣରୁ ତାଙ୍କୁ ଆଗାମୀ ଚୟନ ଟ୍ରାଏଲରେ ଭାଗ ନେବାର ସୁଯୋଗ ଦେବାକୁ ସେ ଅନୁରୋଧ କରିଥିଲେ। ଜଷ୍ଟିସ୍ ସ୍ୱର୍ଣ୍ଣ କାନ୍ତ ଶର୍ମା ଭିନେଶ ଫୋଗାଟଙ୍କ ଯାଚିକାର ଶୁଣାଣି କରିଛନ୍ତି। ତେବେ ତାଙ୍କୁ ଟ୍ରାଏଲରେ ସାମିଲ କରିବା ନେଇ କୌଣସି ଅନ୍ତରିମ ରାହତ ଦେବାକୁ କୋର୍ଟ ମନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ୭ ସେପ୍ଟେମ୍ବର ୨୦୨୬ରେ WFI ପକ୍ଷରୁ ଜାରି କରାଯାଇଥିବା ସର୍କୁଲାରରେ ଉଲ୍ଲେଖ ଥିବା ମାନଦଣ୍ଡ ସମସ୍ତ ଖେଳାଳିଙ୍କ ପାଇଁ ସମାନ ଭାବେ ଲାଗୁ ହେବ। ଭିନେଶଙ୍କ ଗର୍ଭାବସ୍ଥା, ପ୍ରସବ ଏବଂ ପ୍ରସବ ପରବର୍ତ୍ତୀ ରିକଭରୀକୁ ବିଚାରକୁ ନିଆଗଲେ ମଧ୍ୟ ଏହି ପର୍ଯ୍ୟାୟରେ ତାଙ୍କୁ ଅନ୍ତରିମ ସହାୟତା ଦିଆଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟଙ୍କ ମତ ଅନୁଯାୟୀ, କୌଣସି ଖେଳାଳି ଯେକୌଣସି କାରଣରୁ ନିର୍ଦ୍ଧାରିତ ପ୍ରତିଯୋଗିତାରେ ଭାଗ ନେଇନଥିଲେ, ତାଙ୍କୁ WFI ଦ୍ୱାରା ଧାର୍ଯ୍ୟ ଯୋଗ୍ୟତା ମାନଦଣ୍ଡରୁ ସ୍ୱତନ୍ତ୍ର ଭାବେ ଛାଡ଼ ଦିଆଯାଇପାରିବ ନାହିଁ। ଭିନେଶ ଫୋଗାଟଙ୍କୁ ବିଶେଷ ଛାଡ଼ ଦିଆଗଲେ ଅନ୍ୟ ଖେଳାଳିଙ୍କ ପ୍ରତି ଭେଦଭାବ ହୋଇପାରେ ବୋଲି କୋର୍ଟ ମତ ଦେଇଛନ୍ତି। ଏହି ଆଧାରରେ ଭିନେଶଙ୍କ ଯାଚିକାକୁ ଖାରଜ କରାଯାଇଛି। ଫଳରେ ସେପ୍ଟେମ୍ବର ୧୪ରେ ହେବାକୁ ଥିବା ୨୦୨୬ ସିନିୟର ୱାର୍ଲ୍ଡ ଚାମ୍ପିୟନଶିପ୍ ଚୟନ ଟ୍ରାଏଲରେ ଭିନେଶ ଫୋଗାଟଙ୍କ ଭାଗ ନେବା ଆଶା ଏବେ ଶେଷ ହୋଇଛି।
