powerlifting champion: ସେକ ନାଯିବ ଅଖତର ରାଜ୍ୟ ଚମ୍ପିୟାନ, ପାୱାରଲିଫ୍ଟିଂରେ ଜିତିଲେ ସ୍ୱର୍ଣ୍ଣ
ୱାର୍ଲ୍ଡ ପାୱାରଲିଫ୍ଟିଂ କଂଗ୍ରେସରେ ଚମକିଲେ ଭଦ୍ରକର ସେକ ନାଯିବ ଅଖତର, ସବ୍ ଜୁନିୟର ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ହେଲେ ରାଜ୍ୟ ଚମ୍ପିୟାନ; ଭବିଷ୍ୟତରେ ଏସିଆନ୍ ଗେମ୍ସରେ ଭାଗ ନେବା ଲକ୍ଷ୍ୟ।
ଭଦ୍ରକ: ପାୱାରଲିଫ୍ଟିଂ କ୍ଷେତ୍ରରେ ଭଦ୍ରକ ପାଇଁ ଗୌରବ ଆଣିଛନ୍ତି ଜଣେ ଯୁବ କ୍ରୀଡ଼ା ପ୍ରତିଭା। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୱାର୍ଲ୍ଡ ପାୱାରଲିଫ୍ଟିଂ କଂଗ୍ରେସର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି ଭଦ୍ରକ ପୌରପାଳିକା ଅଧୀନସ୍ଥ ୨୦ ନମ୍ବର ୱାର୍ଡ ଶଙ୍କରପୁରର ଛାତ୍ର ସେକ ନାଯିବ ଅଖତର। ସବ୍ଜୁନିୟର ବର୍ଗରେ ଅଂଶଗ୍ରହଣ କରି ସେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ରାଜ୍ୟ ଚମ୍ପିୟାନ ହୋଇଛନ୍ତି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହେରୁ ଅଧିକ ପ୍ରତିଯୋଗୀ ଯୋଗ ଦେଇଥିଲେ। ଯୁବ ପ୍ରତିଯୋଗୀମାନେ ନିଜ ନିଜର ଶକ୍ତି ଓ ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ନାଯିବ ଅଖତର ନିଜର ଚମତ୍କାର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପଛରେ ପକାଇ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପ୍ରତିଯୋଗିତାରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପରେ ନାଯିବ ଅଖତରଙ୍କୁ ରାଜ୍ୟ ଚମ୍ପିୟାନ ଘୋଷଣା କରାଯାଇଥିଲା। ଏହି ସଫଳତା ପାଇଁ ତାଙ୍କୁ ସ୍ୱର୍ଣ୍ଣ ପଦକ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ତାଙ୍କର ଏହି ସଫଳତା ଭଦ୍ରକର କ୍ରୀଡ଼ା ମହଲରେ ଉତ୍ସାହ ସୃଷ୍ଟି କରିଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ସେହିପରି ନାଯିବ ଅଖତରଙ୍କ ଏହି ସଫଳତାରେ ତାଙ୍କ ପରିବାର ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି। ଜଣେ ଛାତ୍ର ଭାବେ ପାଠପଢ଼ା ସହ କ୍ରୀଡ଼ା କ୍ଷେତ୍ରରେ ନିଜର ପ୍ରତିଭା ପ୍ରମାଣ କରିବା ପରିବାର ପାଇଁ ଗର୍ବର ବିଷୟ ହୋଇଛି। ରାଜ୍ୟସ୍ତରରେ ସଫଳତା ପାଇବା ପରେ ନାଯିବ ଅଖତରଙ୍କ ଲକ୍ଷ୍ୟ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚ। ଭବିଷ୍ୟତରେ ଏସିଆନ୍ ଗେମ୍ସରେ ଭାଗ ନେବା ସହ ଜାତୀୟ ଓ ଅନ୍ତର୍ଜାତୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ଦେଶ ଓ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।
