UFBU Defer Nationwide Strike:ରାତି ଅଧିଆ ବୈଠକରେ ଟଳିଲା ବ୍ୟାଙ୍କ ଧର୍ମଘଟ :ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି!
ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଉପରେ ବିରାମ ଚିହ୍ନ ଲାଗିଛି । ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (IBA) ଏବଂ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ମଧ୍ୟରେ ଗତକାଲି ଅଧରାତି ଯାଏ ହୋଇଥିବା ଆଲୋଚନା ପରେ ବୁଝିଲେ ବ୍ୟାଙ୍କ କର୍ମଚାରୀ | ୩ ଦିନିଆ ଧର୍ମଘଟ ଏବେ ସ୍ଥଗିତ ହେଇଛି। ସପ୍ତାହକୁ ୫-ଦିନିଆ କାର୍ଯ୍ୟଦିବସ ସମେତ ବିଭିନ୍ନ ଦାବିରେ ରାଜି ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ | ଆଜିଠୁ ଦେଶର ସମସ୍ତ ବ୍ୟାଙ୍କ ଶାଖା ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ।
ନୂଆଦିଲ୍ଲୀ: ସେପ୍ଟେମ୍ବର ୨୮ ରୁ ୩୦ ପର୍ଯ୍ୟନ୍ତ ପ୍ରସ୍ତାବିତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହେବା ପରେ ଗ୍ରାହକମାନେ ତ ଆଶ୍ୱସ୍ତ ହୋଇଛନ୍ତି, ତାହାସହ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କ ମାନସିକ ଚାପ ଓ ଦୀର୍ଘଦିନର ସଂଘର୍ଷକୁ ଆରାମ ମିଳିଛି | ଗତକାଲି ରବିବାର ବିଳମ୍ବିତ ରାତି ପ୍ରାୟ ୯:୩୦ ସମୟରେ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (IBA) ଏବଂ ବ୍ୟାଙ୍କ ସଂଗଠନଗୁଡ଼ିକର ମିଳିତ ମଞ୍ଚ 'ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ' (UFBU) ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏହି ଚୁକ୍ତି ହେଇଥିଲା | ଏହି ସୂଚନା ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ୍ ଆସୋସିଏସନ (AIBEA) ର ସାଧାରଣ ସମ୍ପାଦକ ସି.ଏଚ୍. ଭେଙ୍କଟାଚଲମ ଗଣମାଧ୍ୟମକୁ ଦେଇ କହିଛନ୍ତି ଯେ, ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ସଫଳ ହୋଇଛି ଏବଂ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଏହି ଆଲୋଚନାରେ ସମସ୍ତ ଦାବିକୁ ନେଇ ସକରାତ୍ମକ ସହମତି ପ୍ରକାଶ ପାଇବା ପରେ ଆଜି ସୋମବାର ସକାଳୁ ବ୍ୟାଙ୍କ ଶାଖା ଗୁଡିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ।
ସାଧାରଣତଃ ସରକାରୀ ବ୍ୟାଙ୍କଗୁଡ଼ିକରେ କେବଳ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ରହୁଥିବାବେଳେ କର୍ମଚାରୀମାନେ ଦୀର୍ଘ ବର୍ଷ ହେବ ସମସ୍ତ ଶନିବାର ଛୁଟି କରି ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବାକୁ ଦାବି କରିଆସୁଥିଲେ । ତେବେ,ଗତ ୨୦୨୪ ମାର୍ଚ୍ଚ ମାସରେ IBA ଏଥିପାଇଁ ନୀତିଗତ ଭାବେ ରାଜି ହୋଇଥିଲା ଏବଂ କର୍ମଚାରୀମାନେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦୈନିକ ୪୦ ମିନିଟ୍ ଅଧିକ କାମ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ । କିନ୍ତୁ ଅସନ୍ତୋଷ ସେତେବେଳେ ବଢ଼ିଲା ଯେତେବେଳେ କେନ୍ଦ୍ର ସରକାର ଏହାକୁ ମଞ୍ଜୁରୀ ଦେବାରେ ବିଳମ୍ବ କଲେ, ତେଣୁ, UFBU ୩ ଦିନିଆ ଧର୍ମଘଟ ଡାକରା ଦେଇଥିଲା ।
ସେପ୍ଟେମ୍ବର ୩୦ରେ ବ୍ୟାଙ୍କଗୁଡ଼ିକର ଅର୍ଦ୍ଧବାର୍ଷିକ ଆର୍ଥିକ ବର୍ଷ ସମାପ୍ତି ହେବାକୁ ଯାଉଥିବାରୁ ଏହି ଧର୍ମଘଟ ଡାକରାର ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା | ଏଭଳି ସମୟରେ ଯଦି ଏହି ୩ ଦିନିଆ ଧର୍ମଘଟ ହୋଇଥାନ୍ତା,ତାହେଲେ ଦେଶର ଅର୍ଥନୀତି ଓ ସାଧାରଣ ବ୍ୟବସାୟୀଙ୍କ ବହୁତ ବଡ଼ କ୍ଷତି ହୋଇଥାନ୍ତା । ତେବେ ନଗଦ କାରବାର, ଚେକ୍ କ୍ଲିୟରାନ୍ସ ଏବଂ ଜମା ଉଠାଣ ଭଳି ଅନେକ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୭ (ରବିବାର) ଦିନ ମଧ୍ୟ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା,ଯେଉଁଠି କର୍ମଚାରୀମାନେ କାମ ତ କରିଥିଲେ କିନ୍ତୁ କଳା ପୋଷାକ ପିନ୍ଧି |
ସପ୍ତାହକୁ ଦୁଇଦିନ ଛୁଟି ସହ ସ୍କେଲ୍-୪ ଏବଂ ତା'ଠାରୁ ଉପର ଅଧିକାରୀଙ୍କ ପାଇଁ ସଂଶୋଧିତ ପରଫରମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍ (PLI) ଯୋଜନାରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ବାକି ଥିବା ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ସୁପାରିଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ | ତେବେ ଶେଷ ମୁହୂର୍ତ୍ତରେ ଆଲୋଚନା ସଫଳ ହେବା ଫଳରେ ସାରା ଦେଶରେ ଆର୍ଥିକ କାରବାରକୁ ନେଇ ସଙ୍କଟ ଟଳିଯାଇଛି ।
